Attack
ଭାରତ-ପାକିସ୍ତାନ ସୀମାରେ ବଡ଼ଧରଣର ଆତଙ୍କବାଦୀ ହମଲା ପାଇଁ ହୋଇଥିଲା କି ଯୋଜନା? ପଞ୍ଜାବର ଅମୃତସର ଜିଲ୍ଲା ଭାରୋପଲ ଗାଁ ନିକଟ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ବଡ଼ ହମଲା ପାଇଁ ଯୋଜନା କରିଥିବା ଜଣାପଡ଼ିଛି। କାରଣ ଗାଁରୁ ମିଳିଛି ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା। ଆଜି ସୀମା ସୁରକ୍ଷା ବଳ ବା ବିଏସଏଫ ଓ ପଞ୍ଜାବ ପୁଲିସ୍ର ମିଳିତ ଅପରେସନ ଯୋଗୁ ବଡ଼ଧରଣର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି।
ବିଏସ୍ଏଫ ଗୁଇନ୍ଦା ୱିଙ୍ଗ ପକ୍ଷରୁ ଭାରୋପଲ ଗାଁରେ କିଛି ବଡ଼ ଅଘଟଣ ପାଇଁ ଯୋଜନା ଚାଲିଥିବା ସୂଚନା ଦିଆଯାଇଥିଲା। ଏହି ଖବର ମିଳିବା ମାତ୍ରେ ବିଏସଏଫ ଯବାନ ଓ ପଞ୍ଜାବ ପୁଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏପ୍ରିଲ ୩୦ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଅପରେସନ ବେଳେ ବିପୁଳ ପରିମାଣର ଗୁଳିଗୋଳା ମିଳିଛି। ସୁରକ୍ଷାକର୍ମୀମାନେ ଗାଁରୁ ୨ଟି ହ୍ୟାଣ୍ଡ ଗ୍ରେନେଡ, ୩ଟି ପିସ୍ତଲ, ୬ଟି ମାଗାଜିନ ଓ ୫୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି।
ଜବତ ଗୁଳିଗୋଳାକୁ ପୁଲିସ୍କୁ ଅଧିକ ତଦନ୍ତ ପାଇଁ ହସ୍ତାନ୍ତର କରାଯାଇଛି। ସୀମାରେ ଥିବା ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଏପରି ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖାଯାଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିବା ସୁରକ୍ଷାକର୍ମୀମାନେ ଏହାକୁ ପଣ୍ଡ କରି ଦେଇଛନ୍ତି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।
ପହଲଗାମ ପୂର୍ବରୁ ଅନ୍ୟ ୩ଟି ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ!
ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ନରସଂହାର କରିଥିବା ଆତଙ୍କବାଦୀମାନଙ୍କ ସମ୍ପର୍କରେ ବଡ଼ ଖୁଲାସା ହୋଇଛି। ଏପ୍ରିଲ ୨୨ ଆକ୍ରମଣରେ ୪ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ଆକ୍ରମଣର କିଛି ଦିନ ପୂର୍ବରୁ ଆତଙ୍କବାଦୀମାନେ ବୈସାରନ ଭ୍ୟାଲିରେ ଉପସ୍ଥିତ ଥିଲେ। ସେମାନେ ଉକ୍ତ ସ୍ଥାନକୁ ଭଲ ଭାବେ ବୁଲାବୁଲି କରି ଦେଖିଥିଲେ।
ପହଲଗାମ ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଏବେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଓଭର ଗ୍ରାଉଣ୍ଡ ୱାର୍କର୍ସ ବା ଓଜିଡବ୍ଲ୍ୟୁମାନଙ୍କୁ ଜେରା କରୁଛି। ସେମାନଙ୍କ ମଧ୍ୟରୁ ଜଣେ ଏପରି ତଥ୍ୟ ଦେଇଛି। ତଦନ୍ତ ସହ ଜଡ଼ିତ ଥିବା ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ଏପ୍ରିଲ ୧୫ରେ ଆତଙ୍କବାଦୀମାନେ ପହଲଗାମରେ ପହଞ୍ଚିଥିଲେ ଓ ସେଠାରେ ଥିବା ପ୍ରାୟ ୪ଟି ସ୍ଥାନକୁ ଭଲ ଭାବେ ବୁଲି ଦେଖିଥିଲେ।
ଏହା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବୈସାରନ ଭ୍ୟାଲି ମଧ୍ୟ ରହିଥିଲା। ସେମାନଙ୍କ ଟାର୍ଗେଟରେ ବୈସାରନ ଭ୍ୟାଲି ବ୍ୟତୀତ ଅରୁ ଭ୍ୟାଲି, ସ୍ଥାନୀୟ ଆମ୍ୟୁଜମେଣ୍ଟ ପାର୍କ ଓ ବେତାବ ଭ୍ୟାଲି ମଧ୍ୟ ରହିଥିଲା। ସେମାନେ ଉକ୍ତ ସ୍ଥାନଗୁଡ଼ିକରେ ପହଞ୍ଚି ରେକି ମଧ୍ୟ କରିଥିଲେ। ବୈସାରନ ଭ୍ୟାଲିକୁ ଛାଡ଼ି ଦେଲେ ବାକି ୩ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବେଶ କଡ଼ାକଡ଼ି ରହିଥିଲା। ତେଣୁ ଆତଙ୍କବାଦୀମାନେ ବୈସାରନ ଭ୍ୟାଲିକୁ ନିଜର ଟାର୍ଗେଟ ଭାବେ ବାଛିଥିଲେ।
ଏନଆଇଏ ତା’ର ତଦନ୍ତ ବେଳେ ବିଦେଶୀ ଆତଙ୍କବାଦୀଙ୍କୁ ସହାୟତା କରିଥିବା ପ୍ରାୟ ୨୦ ଜଣ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସର୍ଭେଲାନ୍ସ ମଧ୍ୟରେ ରଖାଯାଇଛି।
ଗୁଇନ୍ଦା ତଥ୍ୟ ଅନୁସାରେ, ଅତି କମରେ ୪ ଜଣ ଓଭର ଗ୍ରାଉଣ୍ଡ ୱାର୍କର ଆତଙ୍କବାଦୀମାନଙ୍କୁ ହମଲା ପୂର୍ବରୁ ଓ ପରେ ସହାୟତା କରିଥିଲେ। ସେମାନଙ୍କଚୁ ଲଜିଷ୍ଟିକ ସୁବିଧା ଯୋଗାଇ ଦେଇଥିଲେ। ଆକ୍ରମଣ ପୂର୍ବରୁ ବୈସାରଣ ଭ୍ୟାଲି ନିକଟରେ ୩ଟି ସ୍ୟାଟେଲାଇନ ଫୋନର ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରୁ ୨ଟିର ସିଗ୍ନାଲକୁ ସଫଳତାର ସହ ଠାବ କରାଯାଇ ପାରିଛି।
ପହଲଗାମ ଆକ୍ରମଣ ଘଟଣାରେ ଏନଆଇଏ ଓ ଗୁଇନ୍ଦା ଏଜେନ୍ସି ବର୍ତ୍ତମାନ ସୁଦ୍ଧା ୨୫ ଶହରୁ ଅଧିକ ଲୋକଙ୍କୁ ଜେରା କରି ସାରିଲେଣି। ସେମାନଙ୍କ ମଧ୍ୟରୁ ୧୮୬ ଜଣଙ୍କୁ ଅଧିକ ପଚରାଉଚରା ପାଇଁ ହେପାଜତରେ ରଖାଯାଛି। ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଏନଆଇଏ ଲକ୍ଷ୍ୟ ରଖିଛି।
ପହଲଗାମ ନରସଂହାର ପରେ ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ହୁରିୟାତ କନଫରେନ୍ସ ଓ ଜମାତ-ଇ-ଇସଲାମି ଭଳି ବ୍ୟାନ ହୋଇଥିବା ସଂଗଠନ ଗୁଡ଼ିକର ସଦସ୍ୟ ଏବଂ ସେମାନଙ୍କ ସମର୍ଥକଙ୍କ ଠିକଣାରେ ରେଡ ଚାଲିଛି।
କୁପୱାଡା, ହାଣ୍ଡୱାରା, ଅନନ୍ତନାଗ, ତ୍ରାଲ, ପୁଲୱାମା, ସୋପର, ବାରମୁଲ୍ଲା ଓ ବାନ୍ଦିପୁରା ଭଳି ଜିଲ୍ଲାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ରେଡ ବେଳେ ସନ୍ଧିଗ୍ସମାନଙ୍କୁ ଅଟକ ରଖାଯାଉଛି ଓ ସେମାନଙ୍କ କଲ ତଥ୍ୟକୁ ଯାଞ୍ଚ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Attack_1746088284.jpg)