Advertisment

ଚାଇନା ଓ ପାକରେ ଆତଙ୍କୀ ଟ୍ରେନିଂ ନେଇ ଭାରତ ଆସିଥିବା ଯୁବକ ଧରାପଡ଼ିଲା

ଚାଇନା ଓ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଟ୍ରେନିଂ ନେଇ ଭାରତ ଆସିଥିବା ଜଣେ ଯୁବକକୁ ଶେଷରେ ଧରିଛନ୍ତି ସୁରକ୍ଷାକର୍ମୀ।

author-image
Hemant Lenka
ଅଦ୍ୟତନ ହୋଇଛି
Sarfaraz Memon

Sarfaraz Memon

ଚାଇନା ଓ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଟ୍ରେନିଂ ନେଇ ଭାରତ ଆସିଥିବା ଜଣେ ଯୁବକକୁ ଶେଷରେ ଧରିଛନ୍ତି ସୁରକ୍ଷାକର୍ମୀ।  ଧରାପଡ଼ିଥିବା ଯୁବକର ନାଁ ସର୍ଫରାଜ ମେମନ। ମହାରାଷ୍ଟ୍ର ଏଟିଏସ ଓ ମଧ୍ୟପ୍ରଦେଶ ପୁଲିସ୍‌ ମିଳିତ ଭାବେ ଅପରେସନ କରି ସର୍ଫରାଜକୁ ଧରିଛନ୍ତି। ତା’ ଘର ମଧ୍ୟପ୍ରଦେଶରେ ହୋଇଥିବା ବେଳେ ତାକୁ ସେଇଠାରୁ ଧରା ଯାଇଛି। ଏହାପରେ ତାକୁ ଜେରା ଆରମ୍ଭ କରାଯାଇଛି। ଏନଆଇଏର ଗୋଟିଏ ଟିମ ମଧ୍ୟ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। 

Advertisment

ପାକିସ୍ତାନ ଓ ଚାଇନାରେ ସର୍ଫରାଜ ଆଇଇଡି ତିଆରି କରିବା ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ନେଇଥିଲା। ସେ କିଛି ଦିନ ତଳେ ଭାରତ ଆସିଥିବା ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ତାକୁ ଏବେ ଧରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମୁମ୍ବାଇର ଏଟିଏସ ଓ ସହରର କ୍ରାଇବ୍ରାଞ୍ଚ ଟିମ ଧରପଗଡ଼ ଆରମ୍ଭ କରିଥିଲେ। 

ନିକଟରେ ଏନଆଇଏ ପକ୍ଷରୁ ଇ-ମେଲ ଯୋଗେ ମୁମ୍ବାଇ ପୁଲିସ୍‌କୁ ସର୍ଫରାଜ ସମ୍ପର୍କରେ ଅବଗତ କରାଯାଇଥିଲା। ଦେଶ ପାଇଁ
ସେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ଓ ସେ ମୁମ୍ବାଇରେ ରହିଛି ବୋଲି ଏନଆଇଏ କହିଥିଲା। ସର୍ଫରାଜ ସମ୍ପର୍କରେ ଖବର ପାଇବା ପରେ ମୁମ୍ବାଇ ପୁଲିସ୍‌ ତା’ର ଇନ୍ଦୋର ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିଥିଲା। 

Advertisment

ପ୍ରଥମେ ଇନ୍ଦୋର ପୁଲିସ୍‌ର ଗୋଟିଏ ଟିମ ସର୍ଫରାଜର ବାପାମା’ଙ୍କୁ ସମନ କରିଥିଲା। ହେଲେ ସେମାନେ ସର୍ଫରାଜ ସମ୍ପର୍କରେ କୌଣସି ସୂଚନା ଦେଇପାରି ନଥିଲେ। ତଥାପି ମହାରାଷ୍ଟ୍ର ଏଟିଏସ ଓ ଇନ୍ଦୋର ପୁଲିସ୍‌ ତଦନ୍ତ ଜାରି ରଖିଥିଲେ। ଶେଷରେ ସେମାନଙ୍କୁ ସଫଳତା ମିଳିଛି। ୧୨ ବର୍ଷ କାଳ ହଂକଂରେ ରହିଥିବା ସର୍ଫରାଜ ଚାଇନା ଓ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପର ଟ୍ରେନିଂ ନେବା ପରେ ଭାରତ ଆସିଥିଲା। ଏବେ ସେ ପୁଲିସ୍‌ ହାତରେ ଧରାପଡ଼ିଛି। 

ମୁମ୍ବାଇ ପୁଲିସ୍‌କୁ ଏନଆଇଏ ସର୍ଫରାଜର ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ତଥ୍ୟ ପ୍ରଦାନ କରିଥିଲା। ମଧ୍ୟପ୍ରଦେଶ କିମ୍ବା ମୁମ୍ବାଇରେ ତା’ ନାଁରେ କିଛି ଅପରାଧିକ ମାମଲା ରହିଛି କି ନାହିଁ, ତା’ର ଯାଞ୍ଚ ଏବେ କରାଯାଉଛି। ସେହିପରି ତା’ ଲିଙ୍କରେ ଆଉ କେଉଁମାନେ ଅଛନ୍ତି, ସେକଥା ମଧ୍ୟ ଜାଣିବାକୁ ଏନଆଇଏ ଉଦ୍ୟମ କରୁଛି।

ଏନଆଇଏ ସହ ଏଟିଏସ ଓ କ୍ରାଇମବ୍ରାଞ୍ଚ ମଧ୍ୟ ସର୍ଫରାଜକୁ ଖୋଜୁଥିଲେ। ତାକୁ ଧରିବା ଏବେ ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। 

Pakistan China NIA Investigation