/odisha-reporter/media/post_attachments/uploadimage/library/16_9/16_9_0/Jyoti_1747819451.jpg)
Jyoti
ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଗିରଫ ହୋଇ ଜେଲରେ ଥିବା ଜ୍ୟୋତି ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ କଥାବାର୍ତ୍ତା ସାମ୍ନାକୁ ଆସିଛି। ଏଥିରୁ ଜ୍ୟୋତିଙ୍କ ଇସଲାମାବାଦ ଲିଙ୍କ ଆହୁରି ସ୍ପଷ୍ଟ ହୋଇଛି।
ପାକିସ୍ତାନ ପାଇଁ ଜ୍ୟୋତି କେଉଁ ପ୍ରକାରର ଗୁଇନ୍ଦାଗିରି କରୁଥିଲେ ଓ ସେ କେଉଁ ସବୁ ତଥ୍ୟ ପାକିସ୍ତାନକୁ ଦେଇଥିଲେ, ତା’ର ତଦନ୍ତ ଭାରତୀୟ ଏଜେନ୍ସିଗୁଡ଼ିକ କରୁଛନ୍ତି। ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଜ୍ୟୋତିଙ୍କ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଜ୍ୟୋତି କେମିତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଅଧିକାରୀଙ୍କୁ ବାହା ହେବାକୁ ଉଚ୍ଛନ୍ନ ହେଉଥିଲେ, ତା’ର ସୂଚନା ପୁଲିସ୍ ହାତରେ ଲାଗିଛି।
ହରିୟାଣାର ହିସରାରେ ରହୁଥିବା ଜ୍ୟୋତି ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ। ଏହାର ନାଁ ଟ୍ରାଭେଲ ୱିଥ ଜୋ। ଗତ ସପ୍ତାହରେ ତାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। କୁହାଯାଉଛି ଯେ ଜ୍ୟୋତି ନିୟମିତ ଭାବେ ଆଇଏସଆଇ ପାଇଁ କାମ କରୁଥିବା ଅଲୀ ହାସନ ନାମକ ଜଣେ ବ୍ୟକ୍ତିଙ୍କ ଯୋଗାଯୋଗରେ ରହିଥିଲେ। ଉଭୟ ପରସ୍ପର ସହ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି।
୩୩ ବର୍ଷୀୟ ଜ୍ୟୋତି ଓ ଆଇଏସଆଇ ଅଧିକାରୀ ହାସନଙ୍କ ମଧ୍ୟରେ ହ୍ୱାଟସଆପ୍ରେ ହୋଇଥିବା କଥାବାର୍ତ୍ତା ଏବେ ପୁଲିସ୍ ହାତରେ ଲାଗିଛି। ଏଥିରେ ଏକଦା ଜ୍ୟୋତି ନିଜ ତରଫରୁ ହାସନଙ୍କୁ ବାହା ହେବାକୁ କହୁଛନ୍ତି। ଜ୍ୟୋତି କହିଛନ୍ତି, “ମୋତେ ପାକିସ୍ତାନରେ ଶୀଘ୍ର ବାହା ହୋଇଯାଅ।” ଏଥିରୁ ଇସଲାମାବାଦ ସହ ଜ୍ୟୋତିଙ୍କ ଭାବାତ୍ମକ ଲିଙ୍କର ସଙ୍କେତ ମିଳିଛି।
ହ୍ୱାଟସଆପ୍ ଚ୍ୟାଟ୍ରୁ ଆହୁରି ଜଣାପଡ଼ିଛି ଯେ ଦୁଇ ଜଣ ଏକାଧିକ ଥର କୋଡ ଭାଷାରେ କଥା ହୋଇଛନ୍ତି। ବିଶେଷ କରି ଭାରତର ଅଣ୍ଡରକଭର ଅପରେସନ ସମ୍ପର୍କରେ ସେମାନଙ୍କ ମଧ୍ୟରେ କୋଡ ଭାଷାରେ କଥାବାର୍ତ୍ତା ହୋଇଥିଲା। ତଦନ୍ତ ବେଳେ ପୁଲିସ୍ ଜ୍ୟୋତିଙ୍କ ନାଁରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପାଇଛି। ଗୋଟିଏ ଆକାଉଣ୍ଟରେ ଦୁବାଇରୁ ଟ୍ରାଞ୍ଜାକସନ ହୋଇଥିବା ସ୍ପଷ୍ଟ ହୋଇଛି। ତଦନ୍ତକାରୀ ସଂସ୍ଥା ଏବେ ଜ୍ୟୋତିଙ୍କ ସବୁ ବ୍ୟାଙ୍କ ଆକାଉଣ୍ଟର ତନାଘନା କରୁଛି। ତାଙ୍କ ପାଖକୁ ଟଙ୍କା କୌଣସି ସନ୍ଦିଗ୍ଧ ଆକାଉଣ୍ଟରୁ ଆସିଥିଲା କି ନାହିଁ, ସେକଥା ତଦନ୍ତକାରୀ ସଂସ୍ଥା ନିଶ୍ଚିତ କରିବାକୁ ଚାହୁଁଛି।
ୟୁଟ୍ୟୁବରେ ଜ୍ୟୋତିଙ୍କ ଚ୍ୟାନେଲକୁ ଲକ୍ଷାଧିକ ଲୋକ ସବସ୍କ୍ରାଇବ କରିଛନ୍ତି। ସେ ଦୁଇ ଥର ପାକିସ୍ତାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜ୍ୟୋତି ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନର ଅଧିକାରୀ ରହିମଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ରହିମ ତାଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଅଧିକାରୀଙ୍କ ସହ ପରିଚିତ କରାଇଥିଲେ।
ଭାରତକୁ ଫେରିବା ପରେ ମଧ୍ୟ ଜ୍ୟୋତିଙ୍କ ପାକିସ୍ତାନ ପ୍ରେମ ସରି ନଥିଲା। ସେ ପାକିସ୍ତାନୀ ହ୍ୟାଣ୍ଡେଲର୍ସଙ୍କ ସହ ଯୋଗାଯୋଗରେ ରହିବା ସହ ଭାରତୀୟ ସେନାର ଗତିବିଧି ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ଶେୟାର କରୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
