/odisha-reporter/media/post_attachments/uploadimage/library/16_9/16_9_0/Gopal_1755952319.jpg)
Gopal
ସ୍ୱାଧୀନତା। ଏହି ଶବ୍ଦଟି ପିଢ଼ି ପରେ ପିଢ଼ିଙ୍କୁ ଯେତିକି ଖୁସି ଦିଏ, ବିଭାଜନର ବିଭୀଷିକା ସେତିକି ଆତଙ୍କ ସୃଷ୍ଟି କରିଥାଏ। ଇଂରେଜ ଶାସନର ଅନ୍ତକୁ ଅପେକ୍ଷା କରାଯାଇଥିବା ବେଳେ ବେଙ୍ଗଲ ଓ ପଞ୍ଜାବ ସାଂପ୍ରଦାୟିକ ନିଆଁର ଆଁରେ ପଡ଼ି ଯାଇଥିଲେ। ମୁସଲିମ ଲିଗ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଳରେ କଲକତା(ବର୍ତ୍ତମାନ କୋଲକାତା)କୁ ପାକିସ୍ତାନରେ ସାମିଲ କରିବାକୁ ଚାହୁଁଥିଲା। କିନ୍ତୁ ଏହାକୁ ଗ୍ରହଣ ନ କରି ସେଠାରେ ମାଂସ ବିକ୍ରି କରୁଥିବା ଜଣେ ବ୍ରାହ୍ମଣ ପରିବାର ପିଲା ୧୯୪୬ରେ ସାମ୍ନାକୁ ଆସିଥିଲେ।
ତାଙ୍କ ସଂଘର୍ଷର କାହାଣୀ ଆଜି ବି ଗୁରୁତ୍ୱବହନ କରେ। ଏବେ ଜଣେ ଫିଲ୍ମ ନିର୍ମାତା ତାଙ୍କ ଆଦର୍ଶକୁ ଭୁଲ ଭାବେ ଚିତ୍ରଣ କରୁଥିବା ପରିବାର ଲୋକ ଅଭିଯୋଗ କରିବା ପରେ ତାଙ୍କ କାହାଣୀ ପୁଣି ଚର୍ଚ୍ଚାକୁ ଆସିଛି।
ଗୋପାଲ ପାଠା କିଏ?
ଗୋପାଲ ଚନ୍ଦ୍ର ମୁଖାର୍ଜୀ ଓରଫ ଗୋପାଲ ପାଠା ୧୯୧୩ ମସିହାରେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ। ପାଠାର ଅର୍ଥ ବେଙ୍ଗଲରେ ଛେଳି। ତାଙ୍କ ପରିବାର ଲୋକ କଲେଜ ରାସ୍ତାରେ ମାଂସ ବିକ୍ରି କରନ୍ତି। କୁହାଯାଏ, ଗୋପାଲ ପାଠା ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ କଲକତାକୁ ମୁସଲିମ ଲିଗ କଳବରୁ ରକ୍ଷା କରିଥିଲେ। କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ତାଙ୍କ ପରିଚୟର ଆବଶ୍ୟକତା ରହୁଛି।
ମାତ୍ର ୫ ଫୁଟ ୪ ଇଞ୍ଚ ଉଚ୍ଚତାର ମୁଖାର୍ଜୀ ନିଜ ପାଇଁ ଗୋଟିଏ ବିରାଟ କାମ ବାଛି ଥିଲେ। ସେ ତାଙ୍କ ଲମ୍ବା ଚୁଟିକୁ ଭଲ ଭାବେ ବାନ୍ଧିଥିଲେ ଓ ନିଶକୁ ସଜାଡ଼ି ଜେଣ୍ଟଲିମ୍ୟାନ ବନିଥିଲେ। କିନ୍ତୁ ପୁଲିସ୍ ଭଲ ଭାବେ ତାଙ୍କୁ ଜଣେ ଗ୍ୟାଙ୍ଗ ଲିଡର ଭାବେ ଜାଣିଥିଲେ। ତାଙ୍କ ଅଧୀନରେ ଥିବା ଶତାଧିକ ପିଲା ତାଙ୍କ ନିର୍ଦ୍ଦେଶ ମାରିବାକୁ ଓ ମରିବା ପାଇଁ ପ୍ରସ୍ତୁତ ଥିଲେ। ତାଙ୍କ କ୍ଷମତାକୁ ପୁଲିସ ଭଲ ଭାବେ ହୃଦଙ୍ଗମ କରିଥିଲା।
କଲକତା ଇତିହାସରେ ମୁଖାର୍ଜୀଙ୍କ ଭୂମିକା ବିଭାଜନ ପୂର୍ବରୁ ବେଶ ଚର୍ଚ୍ଚାକୁ ଆସିଥିଲା। ବଳପ୍ରୟୋଗ କରି କଲକତାକୁ ପାକିସ୍ତାନରେ ମିଶାଇବାକୁ ଚାହୁଁଥିବା ମୁସଲିମ ଲିଗ ଏଜେଣ୍ଡାର ସାମ୍ନା ସେ କରିଥିଲେ। ସେ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ କାଠ, ଫାଳିଆ, ଲୁହା ରଡ, ବନ୍ଧୁକ, ଛୁରୀ ଦ୍ୱାରା ମୁସଲିମ ଲିଗ ଏଜେଣ୍ତା ଆଗରେ କାନ୍ଥ ଭଳି ଛିଡ଼ା ହୋଇଥିଲେ। ସହରର ସୁରକ୍ଷା କରିବାକୁ ଆଗେଇ ଆସିଥିଲେ।
ଡାଇରେକ୍ଟ ଆକ୍ସନ ଡେ
୧୯୪୦ ଆରମ୍ଭରୁ ଦେଶର ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ଜାଣି ସାରିଥିଲେ ଯେ ଦୁଇ ଦେଶ ଥିଓରୀ ଅକାଟ୍ୟ। ୨ ନେଶନ ଥିଓରୀକୁ ମୁସଲିମ ଲିଗ ଓ ମହମ୍ମଦ ଅଲୀ ଜିହ୍ନା କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ। କିନ୍ତୁ ବ୍ରିଟିଶଙ୍କ ବିରୋଧରେ ଲଢ଼ିବା ପାଇଁ ଏକାଠି ହୋଇଥିବା ଦେଶ ସାଂପ୍ରଦାୟିକ ନିଆଁରେ ପଡ଼ି ଯାଇଥିଲା।
ମୁସଲିମ ଲିଗ ତା’ର ସ୍ୱପ୍ନର ଦେଶକୁ ନେଇ ଚିନ୍ତାରେ ଥିଲା। କାରଣ ଅର୍ଥନୀତିକ ଚ୍ୟାଲେଞ୍ଜ ମୁସଲିମ ଲିଗକୁ ଘାରିଥିଲା। ବେଙ୍ଗଲ ପ୍ରଦେଶର ପୂର୍ବ ପ୍ରାନ୍ତ ମୁସଲିମ ବହୁଳ। କିନ୍ତୁ ଏଠାରେ କୌଣସି ଶିଳ୍ପାଞ୍ଚଳ ନଥିଲା। ଏଥିପାଇଁ ମୁସଲିମ ଲିଗ କଲକତା ଓ ହାୱାଡା ଉପରେ ଫୋକସ କରିଥିଲା।
ମୁସଲିମ ଲିଗ ଏମିତି ଏକ ଯୋଜନା ଧରି ଆସିଥିଲା ଯାହା ପୂରା ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିଥିଲା। ଜିନ୍ନା ଡାଇରେକ୍ଟ ଆକ୍ସନ ଡେ ସମ୍ପର୍କରେ ୧୯୪୬ ମସିହା ଅଗଷ୍ଟ ୧୫ରେ ଘୋଷଣା କରିଥିଲେ। ବାହୁ ବଳରେ କଲକତାକୁ ମୁସଲିମ ଲିଗ ନିଜ ପାଖକୁ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ହିଂସାକାଣ୍ଡ।
ସ୍ଥାନୀୟ ମସିଜିଦରୁ ଦିଆଯାଇଥିଲା ଉତ୍ତେଜନା ସୃଷ୍ଟିକାରୀ ବୟାନ। ବେଙ୍ଗଲର ପ୍ରଧାନମନ୍ତ୍ରୀ ପଦ ଦଖଲ କରିଥିବା ମୁସଲିମ ଲିଗର ନେତା ହୁସେନ ଶାହୀଦ ଶୁହ୍ରାୱାର୍ଡୀଙ୍କ ନିର୍ଦ୍ଦେଶରେ ଏସବୁ କରାଯାଇଥିଲା। ମୁସଲିମ ଲିଗର ସମର୍ଥକମାନେ ହିନ୍ଦୁଙ୍କ ଘରକୁ ଜାଳିଥିଲେ ଓ ଦୋକାନ ଲୁଟ କରିଥିଲେ। ହତ୍ୟା ଓ ଦୁଷ୍କର୍ମ ବଢ଼ି ଚାଲିଥିଲା।
ଅଗଷ୍ଟ ୧୭ ବେଳକୁ ହିନ୍ଦୁମାନେ ଏକାଠି ହୋଇଥିଲେ। ଗୋପାଲ ମୁଖାର୍ଜୀ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ ଓ ନିଜ ଗ୍ୟାଙ୍ଗର ସଦସ୍ୟଙ୍କୁ ସକ୍ରିୟ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା The Vyayam Samitis ରାସ୍ତା ଓହ୍ଲାଇ ମୁସଲିମ ଲିଗକୁ ଜବାବ ଦେଇଥିଲା।
କଲକତା ପାକିସ୍ତାନ ହାତକୁ ଚାଲି ଯିବା ଆଶଙ୍କାରେ ମୁଖାର୍ଜୀ ନିଜର ଲୋକମାନଙ୍କୁ କଡ଼ା ଜବାବ ଦେବାକୁ କହିଥିଲେ। ଗୋଟିଏ ହତ୍ୟାର ଜବାବରେ ଆକ୍ରମଣକାରୀ ଗୋଷ୍ଠୀର ୧୦ ମୁଣ୍ଡ ଗଡ଼ାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଦୁଥ ଦିନର ସଂଘର୍ଷ ପରେ ମୁସଲିମ ଲିଗ ବୁଝି ସାରିଥିଲା ଯେ ମୁଖାର୍ଜୀଙ୍କୁ କାଉଣ୍ଟର କରିବା ଅସମ୍ଭବ। ଲିଗର କଲକତା ଦଖଲ ସ୍ୱପ୍ନ ଅଧା ରହି ଯାଇଥିଲା।
ବ୍ରିଟିଶ ସାମ୍ବାଦିକ ଆଣ୍ଡ୍ର୍ୟୁ ହ୍ୱାଇଟହେଡ ଇଣ୍ତିଆନ ଏକ୍ସପ୍ରେସର ଏକଦା ଲେଖିଥିବା ସ୍ତମ୍ଭରେ ମୁଖାର୍ଜୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ “କଲକତା ଜଳୁଥିଲା ଓ ଗୋପାଲ ପାଠଙ୍କ ପ୍ରଭାବ ଯୋଗୁ ଏହା ବନ୍ଦ ହୋଇଥିଲା। ମୁଖାର୍ଜୀ ସମସ୍ତଙ୍କୁ ସହଯୋଗ କରୁଥିଲେ।”
ହିଂସା ଓ ହତ୍ୟା ଆରମ୍ଭ ହେବାର ବର୍ଷକ ପରେ ଅର୍ଥାତ ୧୯୪୭ରେ ମହାତ୍ମା ଗାନ୍ଧି କଲକତାରେ ପହଞ୍ଚିଥିଲେ। ସମସ୍ତେ ତାଙ୍କ ଶାନ୍ତିର ବାର୍ତ୍ତାକୁ ସମ୍ମାନ ଜଣାଇ ଅସ୍ତ୍ର ଛାଡ଼ିଥିଲେ। କିନ୍ତୁ ମୁଖାର୍ଜୀ ନିଜ ଜିଦରେ ଅଟଳ ରହିଥିଲେ। ସେ କହିଥିଲେ, “ଗ୍ରେଟ କଲକତା କିଲିଂ ବେଳେ ଗାନ୍ଧିଜୀ କେଉଁଠି ଥିଲେ?” ସେ ଅସ୍ତ୍ର ଛାଡ଼ିବାକୁ ମନା କରି ଦେଇଥିଲେ।
କ’ଣ ସେ ମୁସଲିମ ବିରୋଧୀ ଥିଲେ?
ବିଭାଜନ ହିଂସା ବେଳେ ମୁଖାର୍ଜୀଙ୍କ ଭୂମିକା ବିବାଦୀୟ ଥିଲା। ବିଗତ ବର୍ଷ ଧରି ତାଙ୍କୁ ହିନ୍ଦୁଙ୍କ ରକ୍ଷାକାରୀ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କ ପରିବାର ଲୋକ ଏହି ସାଂପ୍ରଦାୟିକ ଟ୍ୟାଗକୁ ଗ୍ରହଣ କରି ନାହାନ୍ତି। ସେମାନଙ୍କ କହିବା କଥା ଯେ ୧୯୪୬ ଦଙ୍ଗା ବେଳେ ପଡ଼ୋଶୀ ଭାବେ ରହୁଥିବା ମୁସିଲମ ଲୋକଙ୍କୁ ସେ ଆକ୍ରମଣରୁ ରକ୍ଷା କରିଥିଲେ।
ତାଙ୍କ ନାତି ଶାନ୍ତନୁ ମୁଖାର୍ଜୀ ଦାବି କରିଛନ୍ତି ଯେ ମୁଖାର୍ଜୀ ମୁସଲିମମାନଙ୍କୁ ନିଜ ଘରର ଛାତରେ ଆଶ୍ରୟ ଦେଇଥିଲେ। ରଫିକ ଚାଚା ନାମକ ଜଣେ ରିକ୍ସା ଚାଳକଙ୍କ ପରିବାରୁ ସେ ରକ୍ଷା କରିଥିଲେ। ଏଥିପାଇଁ ସ୍ଥାନୀୟ ମୁସଲିମମାନେ ତାଙ୍କୁ ସମ୍ମାନ କରନ୍ତି।
ଶାନ୍ତନୁଙ୍କ କହିବା କଥା ଯେ ଆଗାମୀ ଫିଲ୍ମ ଦ ବେଙ୍ଗଲ ଫାଇଲ୍ସରେ ତାଙ୍କୁ ମୁସଲିମ ବିରୋଧୀ ଭାବେ ପ୍ରଦର୍ଶିତ କରାଯାଇଛି। ଗୋପାଲ ପାଠାଙ୍କ ପୁରୁଣା ଘରେ ରହୁଥିବା ଶାନ୍ତନୁ ମୁଖାର୍ଜୀ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଫିଲ୍ମରେ ତାଙ୍କ ଜେଜେ ବାପାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ସେ କହିଛନ୍ତି।
କେବଳ ତାଙ୍କ ପରିବାର ନୁହେଁ, ଏକତା ଗୋପାଲ ମୁଖାର୍ଜୀ ତାଙ୍କ ଆଭିମୁଖ୍ୟ ସମ୍ପର୍କରେ ପୂରା ଦେଶକୁ ଜଣାଇଥିଲେ। ସେ କହିଥିଲେ ୧୯୪୬ରେ ତାଙ୍କ ଲକ୍ଷ୍ୟ ସହରକୁ ରକ୍ଷା କରିବାର ଥିଲା, ଅଯଥା ହତ୍ୟା କରିବାର ନଥିଲା।
୧୯୯୭ରେ ଗୋଟିଏ ସାକ୍ଷାତକାରରେ ସେ କହିଥିଲେ ଯେ “ମୁଁ କଠୋର ଭାବେ ମୁସଲିମ ମହିଳାଙ୍କ ସହ ଦୁର୍ବ୍ୟବହାର କିମ୍ବା ସେମାନଙ୍କୁ ହତ୍ୟା କରିବାକୁ ଆମ ଲୋକମାନଙ୍କୁ ବାଣ କରିଥିଲି। କୌଣସି ମହିଳାଙ୍କୁ ସ୍ପର୍ଶ ନ କରିବାକୁ କୁହାଯାଇଥିଲା। ଆମ ଇତିହାସରେ ସୀତାଙ୍କୁ ଅପହରଣ କରି ରାବଣ ଧ୍ୱଂସ ହୋଇଥିଲା। ତେଣୁ ମୁଁ ଦୁଇଟି ନିର୍ଦ୍ଦେଶ ଦେଇଥିଲି। ଗୋଟିଏ ହେଲା ଲୁଟ କରିବନି ଓ ଆଉ ଗୋଟିଏ ହେଲା ମହିଳାଙ୍କୁ ଖରାପ ବ୍ୟବହାର କରିବ ନାହିଁ।” ମୁଖାର୍ଜୀଙ୍କ ଦେହାନ୍ତ ୨୦୦୫ରେ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
