Advertisment

ମୁମ୍ବାଇରେ ବିଶାଳ ହୋର୍ଡିଂ ଭାଙ୍ଗିବା ଘଟଣା; ମୃତ୍ୟୁ ସଂଖ୍ୟା ୧୬ ଛୁଇଁଲା, ମୁଖ୍ୟ ଅଭିଯୁକ୍ତ ନାଁରେ ୨୩ ମାମଲା

ମାୟାନଗରୀ ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ୍‌ ଆଜି ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି

author-image
Niharika Rout
ଅଦ୍ୟତନ ହୋଇଛି
main accused & Spot

main accused & Spot

ମାୟାନଗରୀ ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ୍‌ ଆଜି ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି ଅଘଟଣ ଘଟିଥିବା ବେଳେ ୩ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିନି ପୁଲିସ୍‌ ।

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏମ୍‌/ଏମ୍‌ ଏଗୋ ମିଡିଆ ଏଜେନ୍ସିର ମାଲିକ ଭାବେଶ ଭିଣ୍ଡେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କ ପତ୍ତା ପାଇ ପାରୁନି। ଯାଞ୍ଚ ସମୟରେ ଜଣାପଡ଼ିଛି ଭାବେଶ ଭିଣ୍ଡେ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ବଳାତ୍କାର ସମେତ ୨୩ଟି ମାମଲା ରୁଜୁ ହୋଇଛି। କିଛି ମାମଲାରେ ସେ ଜେଲ୍ ଯାଇଥିବା ବେଳେ ଜାମିନରେ ବାହାରକୁ ଆସିଥିବା ଜଣାଯାଇଛି।

ଭାବେଶ ଭିଣ୍ଡେ ୨୦୦୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ସେ ନିର୍ବାଚନ ହାରି ଯାଇଥିଲେ। ଉକ୍ତ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାଁରେ ୨୩ଟି ମାମଲା ରୁଜୁ ହୋଇଥିବା ଉଲ୍ଲେଖ ଥିଲା।

Advertisment

ଗତ କିଛି ବର୍ଷ ହେଲା ଭିଣ୍ଡେ ହୋର୍ଡିଂ ଓ ବ୍ୟାନର ଲଗାଇବା ନିମନ୍ତେ ରେଲୱେ, ମୁମ୍ବାଇ ମହାନଗର ନିଗମ, ବିଏମସିରୁ ବହୁ ଟେଣ୍ଡର ହାତେଇଥିଲା। ଏହି ସବୁ କାମ ନିମନ୍ତେ ସେ ବହୁ ଥର ନିୟମ ଉଲ୍ଲଘଂନ କରିଥିବା ଜଣାଯାଇଛି। ଏନେଇ ବି ତାଙ୍କ ନାମରେ ବହୁ ମାମଲା ରୁଜୁ ହୋଇଛି।

ଭାବେଶ ପ୍ରଥମେ ଗୁଜୁ ଆଡ ନାମକ ଏକ କମ୍ପାନୀ ଚଳାଉଥିବା ବେଳେ କମ୍ପାନୀ ବିରୋଧରେ ବହୁ ମାମଲା ରୁଜୁ ହୋଇଥିଲା। ଏହାପରେ ନଗରପାଳିକା ତାଙ୍କ କମ୍ପାନୀକୁ ବ୍ଲାକ ଲିଷ୍ଟ କରିବାରୁ ସେ ଏଗୋ ମିଡିଆ ନାମକ କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀ ଅଧୀନରେ ବହୁ ଟେଣ୍ଡର ହାତେଇ ସେ ବହୁ ଅନିୟମିତ କାମ କରୁଥିଲେ। କେତେବେଳେ ବିନା ଅନୁମତିରେ ବଡ଼ ବଡ଼ ହୋର୍ଡିଂ ଲଗାଉଥିଲେ ତ କେତେବେଳେ ମନ ଇଚ୍ଛା ବଡ଼ ବଡ଼ ଗଛ କାଟି ପକାଉଥିଲେ।

ଗତ ସୋମବାର ମୁମ୍ବାଇରେ ହୋଇଥିବା ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍‌ବୋର୍ଡ ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ୮୮ ଜଣ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଏହି ବିଶାଳକାୟ ବିଲ୍‌ବୋର୍ଡ ଲଗାଇବା ପୂର୍ବରୁ କମିଶନର୍‌ କିମ୍ବା ରେଲଓ୍ୱେ ଠାରୁ କୌଣସି ଅନୁମତି ନିଆଯାଇନଥିବା ବିଏମ୍‌ସି ସ୍ପଷ୍ଟ କରି ସାରିଛି।

Dust Storm Mumbai Hoarding Collapse