Advertisment

ନଭେମ୍ବର ୧ରୁ ଦିଲ୍ଲୀରେ ଏହି ଗାଡ଼ିଗୁଡ଼ିକୁ ମିଳିବନି ତେଲ

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଲେଖିଥିବା ଏହି ଚିଠିରେ ଉପ-ରାଜ୍ୟପାଳ ଯୁକ୍ତି ବାଢ଼ିଥିଲେ ଯେ ଏଭଳି ଏକ ବ୍ୟବସ୍ଥାକୁ ଆପଣାଇବାକୁ ଦିଲ୍ଲୀବାସୀ ପ୍ରସ୍ତୁତ ହୋଇନାହାନ୍ତି। ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକ ସେମାନଙ୍କର ସମସ୍ତ ଆୟ ଗାଡ଼ି ଖଣ୍ଡିଏ କିଣିବାରେ ବ୍ୟୟ କରି ଦେଇଥିବା ବେଳେ ଏହି ବ୍ୟବସ୍ଥା ସେମାନଙ୍କ ପ୍ରତି ନ୍ୟାୟୋଚିତ ହେବ ନାହିଁ।

author-image
Jitendra Garnayak
Traffic

Traffic

୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଚାଳିତ କାରଗୁଡ଼ିକୁ ତେଲ ନଦେବା ପାଇଁ ଲାଗିଥିବା ବ୍ୟାନକୁ ହଟାଇ ନେବାର କିଛି ଦିନ ପରେ ମଙ୍ଗଳବାର ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଏହି ବର୍ଗର ଗାଡ଼ିଗୁଡ଼ିକୁ ଆସନ୍ତା ନଭେମ୍ବର ୧ ତାରିଖରୁ ଆଉ ତେଲ ଦିଆଯିବ ନାହିଁ। ସେହିଭଳି ସେହିଦିନଠାରୁ ନ୍ୟାଶନାଲ କ୍ୟାପିଟାଲ ରିଜିଅନ (NCR)ର ୫ଟି ଜିଲ୍ଲାରେ ମଧ୍ୟ ଏହି ନିୟମ ଲାଗୁ ହେବ। ସେଗୁଡ଼ିକ ହେଉଛନ୍ତି- ଗୁରୁଗ୍ରାମ, ଫରିଦାବାଦ, ନୋଏଡା, ଗାଜିଆବାଦ ଓ ସୋନିପତ।

Advertisment

ଏହି ବର୍ଗର ଗାଡ଼ିଗୁଡ଼ିକୁ ଜୁଲାଇ ୧ ତାରିଖରୁ ତେଲ ନଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିଭିନ୍ନ ବର୍ଗରୁ ବ୍ୟାପକ ବିରୋଧ କରାଯିବା ପରେ ସରକାର ଏହି ବ୍ୟାନକୁ ଉଠାଇ ନେଇଥିଲେ। ସେତେବେଳେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଥିଲେ ଯେ ପୁରୁଣା ଗାଡ଼ିଗୁଡ଼ିକୁ ନେଇ ସରକାର ଏକ ନୂଆ ବ୍ୟବସ୍ଥା ଗ୍ରହଣ କରିବେ।

ଜୁଲାଇ ୧ରୁ ଏହି ବର୍ଗର ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ପେଟ୍ରୋଲ ବା ଡିଜେଲ ନ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଫୁଏଲିଂ ଷ୍ଟେସନଗୁଡ଼ିକରେ ଅଟୋମେଟେଡ୍ କ୍ୟାମେରା ସିଷ୍ଟମ ହୋଇଥିଲା, ଯେଉଁଗୁଡ଼ିକ ଗାଡ଼ିଗୁଡ଼ିକର ବୟସ ଜାଣିପାରିବେ। ତା’ ସହିତ ଟ୍ରାଫିକ ପୁଲିସକୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଥିଲା। ଏହି ବର୍ଗର ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ଉପରେ ଚାଲାଣ କାଟିବା ପାଇଁ ମଧ୍ୟ ଟ୍ରାଫିକ ପୁଲିସକୁ କ୍ଷମତା ଦିଆଯାଇଥିଲା।

Advertisment

ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଉପ-ରାଜ୍ୟପାଳ ମଧ୍ୟ ଏହି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଗତ ରବିବାର ସେ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖି ଏହି ବ୍ୟାନ ଉପରେ ଲାଗିଥିବା ରୋକକୁ ଜାରି ରଖିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଲେଖିଥିବା ଏହି ଚିଠିରେ ଉପ-ରାଜ୍ୟପାଳ ଯୁକ୍ତି ବାଢ଼ିଥିଲେ ଯେ ଏଭଳି ଏକ ବ୍ୟବସ୍ଥାକୁ ଆପଣାଇବାକୁ ଦିଲ୍ଲୀବାସୀ ପ୍ରସ୍ତୁତ ହୋଇନାହାନ୍ତି। ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକ ସେମାନଙ୍କର ସମସ୍ତ ଆୟ ଗାଡ଼ି ଖଣ୍ଡିଏ କିଣିବାରେ ବ୍ୟୟ କରି ଦେଇଥିବା ବେଳେ ଏହି ବ୍ୟବସ୍ଥା ସେମାନଙ୍କ ପ୍ରତି ନ୍ୟାୟୋଚିତ ହେବ ନାହିଁ।

ଏହି ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ ଦିଲ୍ଲୀ ସରକାର ଚିଠି ଲେଖିବା ପରେ ଆଜି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ସରକାରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କମିଶନ ଦିଲ୍ଲୀ ସହିତ ଏନ୍‌ସିଆରର ୬ଟି ଜିଲ୍ଲାରେ ନଭେମ୍ବର ୧ ତାରିଖରୁ ଜୀବନ ନଥିବା ଏହି ବର୍ଗର ଗାଡ଼ିଗୁଡ଼ିକୁ ତେଲ ନ ଦେବାକୁ ନିଷ୍ପତ୍ତି ନେଇଛି।