Advertisment

Crorepati Beggar: କୋଟିପତି ଭିକାରୀ: ୩ ଘର, ୩ ଅଟୋ ଓ କାର୍‌ର ମାଲିକ, ସୁଧରେ ଲଗାନ୍ତି ଟଙ୍କା

ସେ ବଜାରରେ ବୁଲିବା ବେଳେ ରାସ୍ତାରେ ଯାଉଥିବା ଲୋକଙ୍କୁ ହାତ ଦେଖାଇ କିଛି ମାଗନ୍ତି ନାହିଁ। କିନ୍ତୁ ସେ ଶଗଡ଼ ଗାଡ଼ିରେ ଏମିତି ଅସହାୟ ଭାବେ ବସି ରୁହନ୍ତି, ଯାହାକୁ ଦେଖିବା ମାତ୍ରେ ଲୋକମାନେ କଏନ କିମ୍ବା ନୋଟ ନ ପକାଇ ଯାଆନ୍ତି ନାହିଁ।

Corerpati

କୋଟିପତି ଭିକାରୀ ମାଙ୍ଗିଲାଲ

Advertisment

ଭିକ ମାଗି ବା ଅନ୍ୟର ହାତ ଟେକାକୁ ଅପେକ୍ଷା କରୁଥିବା ଲୋକ କେବେ କ’ଣ କୋଟିପତି ହୋଇ ପାରିବ? ଏ ପ୍ରଶ୍ନ ନିଶ୍ଚିତ ଅଡ଼ୁଆ ଲାଗି ପାରେ। କିନ୍ତୁ ବାସ୍ତବରେ ଜଣେ କୋଟିପତି ଭିକାରୀ ପୂରା ଦେଶରେ ଚହଳ ସୃଷ୍ଟି କରିଛନ୍ତି।

Advertisment

ସେ ଗୋଟିଏ ଲୁହାର ଶଗଡ଼ରେ ବସନ୍ତି। ଏଥିରେ ଲାଗିଛି ବଲ-ବେରିଂରେ ଚାଲୁଥିବା ଚକା। କାନ୍ଧରେ ଗୋଟିଏ ବ୍ୟାଗ ଓ ଦୁଇ ହାତରେ ରହିଛି ଚପଲ। ସେ ଏହି ଲୁହାର ଶଗଡ଼ ଗାଡ଼ିକୁ ହାତ ଦ୍ୱାରା ଠେଲା ମାରି ପୂରା ସାର୍ଫା ବଜାରରେ ବୁଲନ୍ତି। ଏହା ମଧ୍ୟପ୍ରଦେଶ ଅନ୍ତର୍ଗତ ଇନ୍ଦୋରର ଅନ୍ୟତମ ବଡ଼ ବଜାର। 

ସେ ବଜାରରେ ବୁଲିବା ବେଳେ ରାସ୍ତାରେ ଯାଉଥିବା ଲୋକଙ୍କୁ ହାତ ଦେଖାଇ କିଛି ମାଗନ୍ତି ନାହିଁ। କିନ୍ତୁ ସେ ଶଗଡ଼ ଗାଡ଼ିରେ ଏମିତି ଅସହାୟ ଭାବେ ବସି ରୁହନ୍ତି, ଯାହାକୁ ଦେଖିବା ମାତ୍ରେ ଲୋକମାନେ କଏନ କିମ୍ବା ନୋଟ ନ ପକାଇ ଯାଆନ୍ତି ନାହିଁ। ଗୋଟିଏ ଶବ୍ଦରେ କହିବାକୁ ଗଲେ ସେ ଭିକ ମାଗନ୍ତି। 

Advertisment

ଭିକ(Beggar) ମାଗୁଥିବା ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗିଲାଲ। ସେ ଜଣେ ଦିବ୍ୟାଙ୍ଗ କୋଟିପତି ଭିକାରୀ। ତାଙ୍କ ପାଖରେ ରହିଛି ୩ଟି ଘର। ଏହାବାଦ ଦିବ୍ୟାଙ୍ଗଙ୍କୁ ମିଳୁଥିବା ଗୋଟିଏ ସରକାରୀ ଘର ମଧ୍ୟ ତାଙ୍କ ନାଁରେ ଅଛି। ସେ ୩ଟି ଅଟୋ ଓ ଗୋଟିଏ ମାରୁତି ସୁଜୁକି ଡିଜାଏର କାରର ମାଲିକ ମଧ୍ୟ। 

ନିକଟରେ ଇନ୍ଦୋରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭିକାରୀ ଲୋପ ଅଭିଯାନ ଆରମ୍ଭ କରାଯାଇଥିଲା। ସହରକୁ ଭିକାରୀ ମୁକ୍ତ କରିବା ତଥା ଅସହାୟ ଲୋକଙ୍କୁ ଥଇଥାନ କରିବାକୁ ବିଭାଗ ଏପରି ଅଭିଯାନ କରିଥାଏ। ଏହି ଅଭିଯାନ ସମୟରେ ଉଦ୍ଧାରୀ ଦଳ ମାଙ୍ଗିଲାଲଙ୍କୁ ଶନିବାର ବିଳମ୍ବିତ ରାତିରେ ଠାବ କରିଥିଲେ।

ସାର୍ଫା ବଜାରରେ ଜଣେ ଭିକାରୀ ବୁଲୁଥିବା ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ। ସେମାନେ ମାଙ୍ଗାଲିଆଙ୍କୁ ସାଧାରଣ ଭିକାରୀ ବିବେଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଆର୍ଥିକ ସ୍ଥିତି ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। 

ବେଶ କିଛି ବର୍ଷ ହେଲାଣି ମାଙ୍ଗିଲାଲ ନୀରବତାର ଅସ୍ତ୍ର କେତେ ଶକ୍ତିଶାଳୀ ସେକଥା ବେଶ ଭଲ ଭାବେ ବୁଝି ଯାଇଥିଲେ। ସେ କେବେ ହେଲେ କାହାକୁ କିଛି ମାଗନ୍ତି ନାହିଁ। ସେ କେବଳ ଲୁହାର ଛୋଟ ଶଗଡ଼ ଉପରେ ବସନ୍ତି। ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ନିଜ ଆଡ଼ୁ କିଛି ଟଙ୍କା ଦିଅନ୍ତି। ସେ ଏପରି ଭାବେ ଦୈନିକ ୪୦୦ରୁ ୫୦୦ ଟଙ୍କା ଆୟ କରି ନିଅନ୍ତି। 

ହେଲେ ପ୍ରକୃତ ଖେଳ ରାତିର ଅନ୍ଧକାର ପ୍ରବେଶ କରିବା ପରେ ଆରମ୍ଭ ହୁଏ। ମାର୍କେଟରୁ ଉଠାଇ ଆଣି ମାଙ୍ଗିଲାଲଙ୍କୁ ଜେରା କରିବା ବେଳେ ସେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ଦେଇଛନ୍ତି। ସେ ଭିକ ରୂପେ ପାଉଥିବା ଟଙ୍କାକୁ ନିଜ ଜୀବନ ପାଇଁ ଖର୍ଚ୍ଚ କରନ୍ତି ନାଁ। ସେ ସାର୍ଫା ବଜାରରେ ହିଁ ଏହାକୁ ନିବେଶ କରନ୍ତି।

ଭିକ ମାଗି ସେ ପାଉଥିବା ଟଙ୍କାକୁ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଦିନିକିଆ କିମ୍ବା ସାପ୍ତାହିକ ସୁଧରେ ଦିଅନ୍ତି। ସେ ନିଜେ ସୁଧ ଟଙ୍କାକୁ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ଯାଇ ସଂଗ୍ରହ କରନ୍ତି। ସେ ମାର୍କେଟରେ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ସୁଧରେ ଦେଇଛନ୍ତି। ସୁଧ ମୂଳ ସହ ଦୈନିକ ସେ  ୧ ହଜାରରୁ ୨ ହଜାର ଟଙ୍କା ପାଆନ୍ତି। 

ପ୍ରଥମେ ଛୋଟ ଦେଖା ଯାଉଥିବା ଏହି ବ୍ୟକ୍ତିଙ୍କ ନାଁରେ ଇନ୍ଦୋରର ପ୍ରମୁଖ ସ୍ଥାନରେ ରହିଛି ୩ଟି ଘର। ଏହା ମଧ୍ୟରେ ଗୋଟିଏ ୩ ମହାଲ ବିଶିଷ୍ଟ ବିଲଡିଂ ବି ଅଛି। ତାଙ୍କ ପାଖରେ ଥିବା ୩ଟି ଅଟୋକୁ ସେ ଭଡ଼ାରେ ଲଗାଇଛନ୍ତି। ନିଜର କାରକୁ ସେ ଚଳାଇବା ବଦଳରେ ଭଡ଼ାରେ ଦେଇ ସେଥିରୁ ଆୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତାଙ୍କୁ ଗୋଟିଏ ଘର ମିଳିଛି। ସେ ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ନାହାନ୍ତି। 

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ତଥା ରେସ୍କ୍ୟୁ ଅପରେସନର ନୋଡାଲ ଅଫିସର ଦୀନେଶ ମିଶ୍ରାଙ୍କ କହିବା କଥା ଯେ ମାଙ୍ଗିଲାଲଙ୍କୁ ଏବେ ଉଜ୍ଜୟୀନ ସ୍ଥିତ ସେବାଧାମ ଆଶ୍ରମକୁ ପଠାଇ ଦିଅଯାଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଯାଞ୍ଚ ହେଉଛି। ସେହିପରି ତାଙ୍କ ଠାରୁ ଋଣ କରିଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ଜେରା କରାଯିବ। 

ମାଙ୍ଗିଲାଲ ୨୦୨୧-୨୨ରୁ ଭିକ୍ଷାବୃତ୍ତି କରୁଛନ୍ତି। ତାଙ୍କୁ ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଆଗରେ ହାଜର କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ରା ସୂଚନା ଦେଇଛନ୍ତି। 

Beggar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe