Advertisment

ଏହି ଆଇପିଏସ୍‌ ଅଫିସର ହେବେ ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ଡିଜିପି

ଡିଜିପି ରଶ୍ମୀ ରଞ୍ଜନ ସ୍ୱାଇଁ ଅବସର ନେବା ପରେ ଜମ୍ମୁ ଓ କଶ୍ମୀରର ନୂଆ ଡିଜିପି ହେବେ ୧୯୯୨ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର।

author-image
Jitendra Garnayak
Nalin Prabhat

Nalin Prabhat

ବରିଷ୍ଠ ଆଇପିଏସ୍ ଅଫିସର ନଳିନ ପ୍ରଭାତ ହେବେ ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Advertisment

ଏବେ ଡିଜିପି ଥିବା ରଶ୍ମୀ ରଞ୍ଜନ ସ୍ୱାଇଁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ। ସେ ଅବସର ନେବା ପରେ ଅକ୍ଟୋବର ୧ ତାରିଖରେ ଜମ୍ମୁ ଓ କଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ନଳିନ ପ୍ରଭାତ। ହେଲେ ତା’ପୂର୍ବରୁ ତାଙ୍କୁ ସେଠାରେ ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ (SDGP) ଭାବେ ନିଯୁକ୍ତି ଦିଆଯାଇଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ନଳିନ ପ୍ରଭାତଙ୍କୁ ତତ୍‌କାଳ ଜମ୍ମୁ ଓ କଶ୍ମୀରର ସ୍ୱତନ୍ତ୍ର ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇ ପଠାଯାଇଛି। ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଜରୁରୀକାଳୀନ ଭିତ୍ତିରେ ନଳିନ ପ୍ରଭାତଙ୍କୁ ନିଯୁକ୍ତି ଦେଇ ସେଠାକୁ ପଠାଇଥିବା କୁହାଯାଉଛି।

Advertisment

ନଳିନ ପ୍ରଭାତ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇପିଏସ୍ ଅଫିସର। ଗତ ଏପ୍ରିଲ ମାସରୁ ସେ ଏନ୍‌ଏସ୍‌ଜିର ମହାନିର୍ଦ୍ଦେଶକ (ଡିଜି) ଭାବେ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ତାଙ୍କର ସେହି ଅବଧିକୁ କାଣ୍ଟଛାଣ୍ଟ କରାଯାଇ ତାଙ୍କୁ ଜମ୍ମୁ ଓ କଶ୍ମୀର ପଠାଯାଇଛି। ନଳିନ ପ୍ରଭାତଙ୍କୁ ଜମ୍ମୁ ଓ କଶ୍ମୀରର ଡିଜିପି କରିବା ପାଇଁ ପ୍ରଥମେ ତାଙ୍କୁ ଏଜିଏମ୍‌ୟୁଟି (ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ) କ୍ୟାଡରକୁ ବଦଳି କରାଯାଇଥିଲା। ଆଉ ସେ ଏଜିଏମ୍‌ୟୁଟି କ୍ୟାଡରକୁ ବଦଳି ହୋଇ ଆସିବାର ୧୨ ଘଣ୍ଟା ମଧ୍ୟରେ ତାଙ୍କୁ ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି।

ନଳିନ ପ୍ରଭାତଙ୍କର ପୂର୍ବରୁ ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସେ ବିଭିନ୍ନ ପଦପଦବୀରେ ରହି ସେଠାରେ ୧୨ ବର୍ଷ କାର୍ଯ୍ୟ କରିଛନ୍ତି। ସେଠାରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅପରେସନ ସଂପର୍କରେ ସେ ଭଲ ଭାବେ ଅବଗତ ଅଛନ୍ତି। ସେ ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ସିଆରପିଏଫ୍‌ର ଆଇଜି ଓ ଏଡିଜି ଭାବେ କାର୍ଯ୍ୟ କରିସାରିଛନ୍ତି।

୧୯୬୮ ମାର୍ଚ୍ଚ ୧୪ ତାରିଖରେ ହିମାଚଳ ପ୍ରଦେଶର ମନାଲିରେ ଜନ୍ମ ହୋଇଥିବା ନଳିନ ପ୍ରଭାତ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ସ୍ନାତକ ଡିଗ୍ରୀ କରିବା ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ଆନ୍ଧ୍ର ପ୍ରଦେଶରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିବାରେ ତାଙ୍କର ନେତୃତ୍ୱ ଏବଂ ପ୍ରତିବଦ୍ଧତା ପାଇଁ ସେ ବେଶ୍ ଜଣାଶୁଣା। ତେଣୁ ବର୍ତ୍ତମାନ ଜମ୍ମୁ ଓ କଶ୍ମୀରର ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ନଳିନ ପ୍ରଭାତଙ୍କୁ ସେଠାରେ ଡିଜିପି ଭାବେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି କୁହାଯାଉଛି। 

DGP Jammu And Kashmir