Advertisment

ଆରମ୍ଭ ହେଲା ‘ଆପ୍‌’ର ଅନ୍ତ

ଆପ୍‌ ଜନସେବା ବଦଳରେ ଅର୍ଥକୁ ଗୁରୁତ୍ୱ ଦେଇ ଦିଗହରା ହୋଇଗଲା। ଦଳ ନିଜର ବିଶ୍ୱାସନୀୟତା ହରାଇଲା ଓ ଶେଷରେ ନିର୍ବାଚନ ହାରିଲା।

author-image
Jitendra Garnayak
Kejriwal

Kejriwal

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌କୁ ଲାଗିଛି ବଡ଼ ଝଟକା। ଦଳ ହାରିଯାଇଛି। ମାତ୍ର ୨୨ଟି ଆସନ ପାଇଛି। ଏହାର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାସ୍ତ ହୋଇଯାଇଛନ୍ତି। ଆଉ ଆପ୍‌ର ଏଭଳି ଅବସ୍ଥା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ଦାୟୀ କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଯିଏ ଦିନେ ଆପ୍‌ ନେତା ଥିଲେ।

Advertisment

‘ଏକ୍ସ’ ଏକ ପୋଷ୍ଟ କରି ପ୍ରଶାନ୍ତ କହିଛନ୍ତି, ଆପ୍‌ର ଦିଲ୍ଲୀ ବିପର୍ଯ୍ୟୟ ପାଇଁ କେଜ୍ରିୱାଲ ଅଧିକ ଦାୟୀ। ବିକଳ୍ପ ରାଜନୀତି ପାଇଁ ଏହି ଦଳ ଗଠନ ହୋଇଥିଲା, ଯାହା ସ୍ୱଚ୍ଛ, ଉତ୍ତରଦାୟୀ ଓ ଗଣତାନ୍ତ୍ରିକ ହୋଇଥା’ନ୍ତା। କିନ୍ତୁ ଅରବିନ୍ଦ ଏହାକୁ ଖୁବ୍‌ଶୀଘ୍ର ଏକ ସୁପ୍ରିମୋ ପ୍ରାଧାନ୍ୟ, ଅସ୍ୱଚ୍ଛ ଓ ଦୁର୍ନୀତିଗ୍ରସ୍ତ ଦଳରେ ପରିଣତ କରି ଦେଲେ ଯାହା ଲୋକପାଳକୁ ଆପଣାଇ ପାରିଲା ନାହିଁ ଓ ନିଜ ଲୋକପାଳକୁ ହଟାଇ ଦେଲା। ସେ ନିଜ ପାଇଁ ୪୫ କୋଟି ଟଙ୍କାର ଶୀଶ ମହଲ ତିଆରି କଲେ ଓ ଦାମୀ ଗାଡ଼ି ଚଢ଼ିଲେ। ଆପ୍‌ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିଗୁଡ଼ିକ ଯେଉଁ ୩୩ଟି ପଲିସି ରିପୋର୍ଟ ପ୍ରଦାନ କରିଥିଲେ, ସେଗୁଡ଼ିକୁ ସେ ଫୋପାଡ଼ି ଦେଲେ। କହିଥିଲେ, ଯେତେବେଳେ ସମୟ ଆସିବ ଦଳ ତ୍ୱରିତ ନୀତିଗୁଡ଼ିକୁ ଆପଣାଇବ। ସେ ଭାବିଥିଲେ ଧମକ ଦେଇ ଓ ପ୍ରଚାର ସର୍ବସ୍ୱ ହୋଇ ରାଜନୀତି କରାଯାଇପାରିବ। ଏହା ହେଉଛି ‘ଆପ୍‌’ର ଅନ୍ତର ଆରମ୍ଭ।

ଏହା ସହିତ ଏହି ପୋଷ୍ଟ ତଳେ ସେ ଏକ ଲିଙ୍କ୍ ଦେଇଛନ୍ତି, ଯେଉଁଥିରେ ସେ ଆପ୍ ଛାଡ଼ିବା ବେଳେ କେଜ୍ରିୱାଲଙ୍କୁ ପଠାଇଥିବା ଚିଠିକୁ ଦେଇଛନ୍ତି। ୨୦୧୫ରେ ପ୍ରଶାନ୍ତ ଭୂଷଣଙ୍କୁ ଆପ୍‌ରୁ ବହିଷ୍କାର କରାଯାଇଥିଲା।

Advertisment

ସେହିପରି ଆପ୍‌ର ପରାଜୟ ପାଇଁ କେଜ୍ରିୱାଲଙ୍କୁ ସମାଲୋଚନା କରି ସାମାଜିକ କର୍ମୀ ଆନ୍ନା ହଜାରେ କହିଛନ୍ତି, ସେ କହୁଥିଲେ ସେ ଏକ ଛୋଟ କଠୋରୀରେ ସାରା ଜୀବନ ରହିବେ। କିନ୍ତୁ ପରେ ମୁଁ ଶୁଣିଲି ସେ ନିଜ ପାଇଁ ଏକ ଶୀଶ ମହଲ ନିର୍ମାଣ କରିଛନ୍ତି। ମୋତେ ୯୦ ବର୍ଷ ହେଲାଣି। ମୁଁ ମୋ ପାଇଁ ମଧ୍ୟ ଏକ ସୁନ୍ଦର ଘର ନିର୍ମାଣ କରିପାରିବି। କିନ୍ତୁ ବିଳାସରେ ଖୁସି ମିଳେ ନାହିଁ। ପ୍ରକୃତ ଖୁସି ପାଇଁ ସମାଜ ପାଇଁ ଭଲ କାମ କର।

ଏହା ପୂର୍ବରୁ ହଜାରେ କହିଥିଲେ ଯେ ଆପ୍‌ ଜନସେବା ବଦଳରେ ଅର୍ଥକୁ ଗୁରୁତ୍ୱ ଦେଇ ଦିଗହରା ହୋଇଗଲା। ଦଳ ନିଜର ବିଶ୍ୱାସନୀୟତା ହରାଇଲା ଓ ଶେଷରେ ନିର୍ବାଚନ ହାରିଲା।