ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ମିଳିଲା ଧମକ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ରାଜା ଭୋଜ ଏୟାରପୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକି। ଇ-ମେଲ୍ ଜରିଆରେ ଏପରି ଧମକି ମିଳିବା ପରେ ଛାନିଆ ହୋଇ ଯାଇଛନ୍ତି ଏୟାରପୋର୍ଟ କର୍ତ୍ତୃପକ୍ଷ ।
ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ପାଇବା ପରେ ତୁରନ୍ତ ଗାନ୍ଧୀନଗର ଥାନା ପୁଲିସ୍ ପହଞ୍ଚି ତନ ତନ କରି ଯାଞ୍ଚ ଆରମ୍ଭ କରିଛି। ଏୟାରପୋର୍ଟର କୋଣ, କୋଣ ସହ ଛିଡ଼ା ହୋଇଥିବା ପ୍ଲେନ୍ଗୁଡ଼ିକୁ ବି ଯାଞ୍ଚ କରାଯାଇଥିବା ଜଣାଯାଇଛି। ମାତ୍ର ସେପରି କିଛି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ଭୋପାଳର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି, ଭୋପାଳ ଏୟାରପୋର୍ଟ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଏପରି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ ହୋଇ ଯାଇଛି।
ଏହି ଧମକ ମିଳିବା ପରେ ମହାରାଷ୍ଟ୍ର ନାଗପୁରସ୍ଥିତ ଏୟାରପୋର୍ଟରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଅନ୍ୟ କିଛି ଏୟାରପୋର୍ଟକୁ ବି ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି ଉକ୍ତ ଇ-ମେଲ୍ ଯୋଗେ ଧମକ ଦିଆଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।