/odisha-reporter/media/media_files/2025/10/12/medical-college-2025-10-12-14-42-50.jpg)
ମେଡିକାଲ କଲେଜ ଗେଟ୍ ପକ୍ଷରୁ ଉଠାଇ ନେଇଥିଲେ ଅଭିଯୁକ୍ତ
ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ଜଣଙ୍କୁ ଅଟକ ରଖାଯାଇଛି। ଆଉ ଦୁଇ ଜଣଙ୍କୁ ପୁଲିସ ଖୋଜୁଥିବା ଜଣାପଡ଼ିଛି।
ଗିରଫ ଓ ଅଟକ ଅଭିଯୁକ୍ତମାନେ ସେହି ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଅପୁ ବାଉରୀ (୨୧), ପିର୍ଦ୍ଦୋସ ଶେଖ (୨୩) ଓ ଶେଖ ରିଆଜୁଦ୍ଦିନ (୩୧)। ସେହିପରି ଅଟକ ଯୁବକଙ୍କ ନାଁ ଶେଖ ସୋଫିକୁଲ।
ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। ସେ ଦୁର୍ଗାପୁରର ଶୋଭାପୁର ଅଞ୍ଚଳରେ ଥିବା ଆଇକ୍ୟୁ ସିଟି ମେଡିକାଲ କଲେଜର ଏମ୍ବିବିଏସ୍ର ଦ୍ୱିତୀୟ ବର୍ଷର ଛାତ୍ରୀ।
ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ ଆଠଟା ବେଳେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଗୁପ୍ଚୁପ୍ ଖାଇବାକୁ ମେଡିକାଲ କଲେଜ କ୍ୟାମ୍ପସରୁ ବାହରିଥିଲେ। କ୍ୟାମ୍ପସ ଗେଟ୍ ପାଖରୁ ଅଭିଯୁକ୍ତମାନେ ତାଙ୍କୁ ଉଠାଇ ନେଇଥିଲେ। ସେମାନେ ଛାତ୍ରୀ ଜଣଙ୍କୁ ମେଡିକାଲ ପଛ ପଟକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।
ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ସଂପୃକ୍ତ ରହିଛନ୍ତି। ସେ ଝିଅକୁ ନିଛାଟିଆ ଜାଗାକୁ ଡାକି ନେଇ ଏମିତି ଏକ ଘଟଣା ଘଟାଇଛନ୍ତି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଫୋନ୍ ଓ ୫୦୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।
ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀ ଜଣଙ୍କ ଏବେ ଦୁର୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେ ଧୀରେ ଧୀରେ ସୁସ୍ଥ ହେଉଥିବା ସେଠାକାର କର୍ତ୍ତୃପକ୍ଷ କହିଛନ୍ତି।
ପଶ୍ଚିମବଙ୍ଗର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଶଶୀ ପାଞ୍ଜା କହିଛନ୍ତି ଯେ ପୀଡ଼ିତାଙ୍କୁ ମାନସିକ ସ୍ତରରେ ଦୃଢ଼ କରିବା ପାଇଁ କାଉନସେଲିଂ କରାଯିବ।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଅନେକ ଲୋକଙ୍କୁ ଜେରା କରାଯାଇଛି। ସେମାନେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି।
ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମବଙ୍ଗ ପୁଲିସ ‘ଏକ୍ସ’ରେ ଏକ ବୟାନ ଜାରି କରିଛି। ଏହା ସହିତ ଏହି ଘଟଣାକୁ ନେଇ କୌଣସି ମିଛ ସୂଚନାକୁ ସୋଶାଲ ମିଡିଆରେ ଶେଆର ନ କରିବାକୁ ଅନୁରୋଧ କରିଛି।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ତାଙ୍କ ବାପା। ସେ ତାଙ୍କ ଝିଅକୁ ଓଡ଼ିଶା ଫେରାଇ ନେବାକୁ ଚାହୁଁଥିବା କହିଛନ୍ତି।
ନ୍ୟୁଜ ଏଜେନ୍ସୀ ଏଏନ୍ଆଇକୁ ସେ କହିଛନ୍ତି, ମୋ ଝିଅ କଷ୍ଟରେ ଅଛି। ବର୍ତ୍ତମାନ ସେ ଚାଲି ପାରୁ ନାହିଁ। ସେ ଶଯ୍ୟାଶାୟୀ। ଏଠାରେ ମୁଁ ତା’ର ସୁରକ୍ଷାକୁ ନେଇ ଚିନ୍ତିତ ଅଛି। ସେମାନେ ତାକୁ ଯେକୌଣସି ମୁହୂର୍ତ୍ତରେ ମାରି ଦେଇ ପାରନ୍ତି। ସେଥିପାଇଁ ଆମେ ତାକୁ ଓଡ଼ିଶା ନେଇ ଯିବାକୁ ଚାହୁଁଛୁ। ଆମେ ଏଠାରେ ବିଶ୍ୱାସ ନାହିଁ। ଆମେ ଚାହୁଁନୁ ସେ ପଶ୍ଚିମବଙ୍ଗରେ ରହୁ। ସେ ଓଡ଼ିଶାରେ ପଢ଼ିବ।
ସେ ଆହୁରି କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ତାଙ୍କ ସହିତ କଥା ହୋଇଛନ୍ତି। ଓଡ଼ିଶାର ଏକ ମେଡିକାଲ କଲେଜରେ ତାଙ୍କର ନାମ ଲେଖାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
