New Parliament Building
ଜାଲ୍ ଆଧାର କାର୍ଡ ଦେଖାଇ କଡ଼ା ସୁରକ୍ଷାରେ ଥିବା ସଂସଦ ଭବନରେ ପଶିବାକୁ ଉଦ୍ୟମ କରିବା ମହଙ୍ଗା ପଡ଼ିଲା। ୩ ଶ୍ରମିକଙ୍କୁ ବାନ୍ଧିଛି CISF । ସେମାନେ ହେଲେ କାସିମ, ମୋନିସ ଓ ସୋଏବ । ସେମାନେ ଜାଲ୍ ଆଧାର କାର୍ଡ ଦେଖାଇ ପାର୍ଲାମେଣ୍ଟ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ଗତ ୪ ତାରିଖର ବୋଲି ଜଣାଯାଇଛି।
ଯାଞ୍ଚରୁ ଜଣା ପଡ଼ିଛି ଯେ ଗିରଫ ଶ୍ରମିକମାନେ ପାର୍ଲାମେଣ୍ଟରେ ଡି.ବି ପ୍ରୋଜେକ୍ଟସ୍ ଦ୍ୱାରା ଚାଲିଥିବା କାମରେ ନିୟୋଜିତ ହୋଇଥିଲେ। ସେମାନେ ଆଇଜି-୭ ଓ ଏମପି - ଲାଉଞ୍ଜ ନିର୍ମାଣ କାମରେ ନିୟୋଜିତ ଥିଲେ।
ଜାଲିଆତି କରିବା ଓ ଧୋକା ଦେବା ନେଇ ସମସ୍ତ ୩ ଶ୍ରମିକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନେ ଧାଡ଼ିରେ ଛିଡ଼ା ହୋଇ ନିଜ ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଉକ୍ତ ସମୟରେ CISF ଯବାନଙ୍କର ସନ୍ଦେହ ହୋଇଥିଲା। ଏହାପରେ ତୁରନ୍ତ ସେମାନଙ୍କ ଆଧାର କାର୍ଡର ଯାଞ୍ଚ ହୋଇଥିବା ବେଳେ ତାହା ଜାଲ୍ ବୋଲି ସ୍ପଷ୍ଟ ହୋଇଥିଲା।
ଏହାପରେ ସଂସଦ ଭବନର ସୁରକ୍ଷାରେ ମୁତୟନ ଅନ୍ୟ ସୁରକ୍ଷା ଏଜେନ୍ସି କର୍ମଚାରୀ ବି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ତନାଘନା କରି ପଚରାଉଚରା କରିଥିଲେ। ଏହାପରେ ଉକ୍ତ ୩ ଶ୍ରମିକ ସବୁ ସତ କଥା ମାନିଥିଲେ। ତେବେ ସେମାନେ କେଉଁଠୁ ଓ କେବେ ଫର୍ଜି ଆଧାର କାର୍ଡ କରିଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଅଧିକ ଯାଞ୍ଚ ନିମନ୍ତେ ସମସ୍ତ ୩ ଜଣଙ୍କୁ ସଂସଦ ମାର୍ଗ ପୁଲିସ୍ ଷ୍ଟେଶନକୁ ହସ୍ତାନ୍ତର କରାଯାଇଛି। ସେମାନେ ସମସ୍ତେ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
