ଛଞ୍ଛାଣ
ଅବିଶ୍ୱସନୀୟ। ଆଶ୍ଚର୍ଯ୍ୟଜନକ। ଯେତେ ଯାହା କହିଲେ ବି କମ ପଡ଼ିବ। ବିନା ଷ୍ଟପରେ ଉଡ଼ାଣ ଭରିଛନ୍ତି ଭାରତର ଉଡ଼ନ୍ତା ବାହୁବଳୀ। ବ୍ରେକ୍ ଲେସ ଉଡ଼ାଣ ଭରି ନୂଆ ଇତିହାସ ରଚିଛନ୍ତି ୩ଟି ଛଞ୍ଛାଣ। ମଣିପୁରରୁ ଆରମ୍ଭ ହୋଇଥିବା ଉଡ଼ାଣ ସିଧା ସୋମାଲିଆରେ ଶେଷ ହୋଇଛି।
ପାହାଡ଼, ଜଙ୍ଗଲ ଓ ବିଶାଳ ଆରବ ସାଗର ଉପରେ ନନଷ୍ଟପ ଯାତ୍ରା କରି ୩ ଛଞ୍ଛାଣ ସମସ୍ତଙ୍କୁ ଚକିତ କରିଛନ୍ତି। ସେମାନେ ୫ଦିନରେ ୫ହଜାର ୪ଶହ କିଲୋମିଟର ଉଡ଼ାଣ ଭରିଛନ୍ତି। ୧୫୦ ଗ୍ରାମ ଓଜନର ଏହି ପକ୍ଷୀର ସାଇଣ୍ଟିଫିକ୍ ନାଁ ହେଉଛି ଅମୁର ଫାଲକନ। ଓଡ଼ିଆରେ ଆମେ ଏହାକୁ ଛଞ୍ଛାଣ କହିଥାଉ।
ଦେଖିବାକୁ ଏମାନେ ସିନା ଛୋଟ, ହେଲେ ନିଜର ଉଡ଼ନ୍ତା କ୍ଷମତା ବଳରେ ସେମାନେ ସମସ୍ତଙ୍କ ବଡ଼ବଡ଼ ପକ୍ଷୀଙ୍କୁ ଫିକା କରି ଦେଇଛନ୍ତି। ସେମାନେ ଆକାଶର ବାହୁବଳୀ ବନି ଯାଇଛନ୍ତି। ନଭେମ୍ବର ୧୧ରୁ ୩ ପକ୍ଷୀଙ୍କ ଉଡ଼ାଣ ଉପରେ ରଖାଯାଇଥିଲା ନଜର। ପ୍ରତିଟି ମୁହୂର୍ତ୍ତ କୌଣସି ରୋମାଞ୍ଚକର ଘଟଣାରୁ କମ ନ ଥିଲା।
କିଛି ଘଣ୍ଟାର ବ୍ୟବଧାନରେ ବନ୍ୟ ପ୍ରାଣୀ ବିଶେଷଜ୍ଞ ମାନେ ସ୍ୟାଟେଲାଇଟ ମ୍ୟାପକୁ ଯେତେବେଳେ ରିଫ୍ରେଶ କରୁଥିଲେ ସେତେବେଳେ ୩ ରଙ୍ଗର ଲାଇନ ବିଶାଳ ସମୁଦ୍ରକୁ ଚିରି ସତେ ଯେମିତି ଆଗକୁ ମାଡ଼ି ଯାଉଥିବା ଦେଖାଯାଉଥିଲା।
ଶେଷରେ ମଣିପୁରରୁ ଉଡ଼ାଣ ଭରିଥିବା ୩ ଛଞ୍ଛାଣ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚି ଯାଇଛନ୍ତି। ସେମାନେ ଆରବ ସାଗର ଡେଇଁ ସୋମାଲିଆ(Somalia)ରେ ସୁରକ୍ଷିତ ଅବସ୍ଥାନ କରିଛନ୍ତି। ଏହି ପୀକ୍ଷୀମାନଙ୍କ ଓଜନ ମାତ୍ର ୧୫୦ ଗ୍ରାମ, କିନ୍ତୁ ସେମାନେ ପୃଥିବୀର ସବୁଠାରୁ ଚ୍ୟାଲେଞ୍ଜିଂ ମାଇଗ୍ରେସନର ସାମ୍ନା କରିପାରିଛନ୍ତି।
ମଣିପୁରୁ(Manipur)ରୁ ଅପାପଙ୍ଗ, ଅଲଙ୍ଗ ଓ ଆହୁ ସୋମାଲିଆରେ ୧୮ ତାରିଖ ରାତି ଓ ୧୯ ତାରିଖ ସକାଳ ମଧ୍ୟରେ ସୁରକ୍ଷିତ ଭାବେ ପହଞ୍ଚିଥିବା ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ଅପାପଙ୍ଗ ଓ ଅଲଙ୍ଗ ମଙ୍ଗଳବାର ବିଳମ୍ବିତ ରାତିରେ ସୋମାଲିଆରେ ପହଞ୍ଚିଥିଲେ। ଅହୁ ବୁଧବାର ସକାଳୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଛି।
ତେବେ ଏହି ଯାତ୍ରା କୌଣସି କଠିନ ଚ୍ୟାଲେଞ୍ଜ ଠାରୁ କମ ନଥିଲେ। ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ପକ୍ଷରୁ ଜାରି କରିଥିବା ତଥ୍ୟ ଅନୁସାରେ ଅପାପଙ୍ଗ ଏକାକୀ ୫ ଦିନ ଓ ୧୫ ଘଣ୍ଟା ସମୟରେ ୫୪୦୦ କିମି ରାସ୍ତା ଅତିକ୍ରମ କରିଛି। ଏହାର ଅର୍ଥ ଦିନକୁ ପ୍ରାୟ ସେ ୧ ହଜାର କିମି ବାଟ ଉଡ଼ିଛି। ଘଣ୍ଟା ପ୍ରତି ତା’ର ବେଗ ୪୧.୬ କିମି ରହିଥିଲା।
କେମିତି ଆରମ୍ଭ ହୋଇଥିଲା ଯାତ୍ରା?
ବନ୍ୟ ପ୍ରାଣୀ ବିଶେଷଜ୍ଞମାନେ ୩ ଛଞ୍ଛାଣଙ୍କ ଦେହରେ ପ୍ରଥମେ ଯନ୍ତ୍ରାଂଶ ଖଞ୍ଜି ଥିଲେ। ଏହାପରେ ସେମାନଙ୍କ ମାଇଗ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଣିପୁରରୁ ବାହାରି ୩ଟି ଯାକ ଛଞ୍ଛାଣ ପୂରା କେନ୍ଦ୍ରୀୟ ଭାରତକୁ ଅତିକ୍ରମ କରିଥିଲେ। ଅପାପଙ୍ଗ ହେଉଛି ଗୋଟିଏ ପ୍ରାପ୍ତ ବୟସ୍କ ପୁରୁଷ ପକ୍ଷୀ। ତା’ର ଗତିବିଧି କମାଳ ରଙ୍ଗର ଟ୍ରାକରୁ ସ୍ପଷ୍ଟ ହୋଇଛି। ସେ ୩ ହଜାରରୁ ଅଧିକ କିମି କେବଳ ୭୬ ଘଣ୍ଟାରେ ଅତିକ୍ରମ କରିଥିଲା। ଏହାର ଅର୍ଥ ସେ ନିୟମିତ ଘଣ୍ଟା ପ୍ରତି ୩୯.୪ କିମି ବେଗରେ ଉଡ଼ୁଥିଲା।
ଅଲଙ୍ଗ ଗୋଟିଏ ଯୁବ ଫିମେଲ ଓ ଆହୁ ଜଣେ ପ୍ରାପ୍ତ ବୟସ୍କ ମାଇ ପକ୍ଷୀ। ଗୁଜରାଟରୁ ଏହି ୩ ଛଞ୍ଛାଣ ସବୁଠାରୁ ବିପଦପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିଲେ। କାରଣ ସାମ୍ନାରେ ଥିବା ବିଶାଳ ଆରବ ସାଗର। ଏହା ଥିଲା ୫ ହଜାରରୁ ୬ ହଜାର କିମିର ଡିଆଁ। ଏଠାରେ ନା ଖାଇବାକୁ କିଛି ମିଳିବ ନା ବିଶ୍ରାମ ନେବାକୁ ସ୍ଥାନ ଅଛି। ସେହିପରି ଫେରିବାର ମଧ୍ୟ କୌଣସି ସୁଯୋଗ ସେମାନଙ୍କ ପାଖରେ ନଥିଲା। ସେମାନେ କେବଳ ପବନ ଓ କୀଟ ରହିଥିବା ବିଶ୍ୱାସରେ ବିଶାଳ ସାଗରକୁ ଅତିକ୍ରମ କରିଥିଲେ। ଏଥିରେ ସେମାନଙ୍କୁ ସଫଳତା ମଧ୍ୟ ମିଳିଛି।
ସେମାନଙ୍କ ଯାତ୍ରା ଭାରତ ପାଇଁ କାହିଁକି ଗୁରୁତ୍ୱ?
ଛଞ୍ଛାଣମାନେ ପ୍ରତିବର୍ଷ ଭାରତରେ ଅଟକିଥାଆନ୍ତି। କାରଣ ଉତ୍ତରପୂର୍ବ ଭାରତ ସେମାନଙ୍କ ତେଲ ଭଣ୍ଡାର ଭାବେ ପରିଚିତ। ସେମାନେ ଯେତେବେଳେ ଅକ୍ଟୋବର ଓ ନଭେମ୍ବରରେ ମଣିପୁରରେ ପହଞ୍ଚନ୍ତି ସେତେବେଳେ ଆକାଶ ଓ ବିଭିନ୍ନ କ୍ଷେତ ଭିନ୍ନଭିନ୍ନ କୀଟପତଙ୍ଗରେ ଭର୍ତ୍ତି ହୋଇ ରହିଥାଏ। ଏହି କୀଟପତଙ୍ଗ ବାହାରୁ ଆସିଥିବା ପକ୍ଷୀଙ୍କ ଶକ୍ତି ଭଣ୍ଡାର ଭାବେ କାମ କରନ୍ତି।
ବିଶାଳ ସାଗର ଅତିକ୍ରମ କରିବା ପାଇଁ ଆବଶ୍ୟକ ଶକ୍ତି ସେମାନେ ବେଶ ଚମତ୍କାର ଢଙ୍ଗରେ ଏଠାରୁ ସଂଗ୍ରହ କରି ନିଅନ୍ତି। ଗୋଟିଏ ଦଶନ୍ଧି ତଳେ ବାହାରୁ ଆସିଥିବା ପକ୍ଷୀଙ୍କୁ ଏଠାରେ ଶିକାର କରାଯାଉଥିଲା। କିନ୍ତୁ ଏବେ ମଣିପୁରର ବିଭିନ୍ନ ଗାଁର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଛଞ୍ଛାଣ ଏବେ ଗର୍ବ ଓ ଦାୟିତ୍ୱର ପ୍ରତୀକ ବନି ଯାଇଛି।
ବନ୍ୟ ପାସପୋର୍ଟରେ ବିଶ୍ୱ ଭ୍ରମଣ
ଛଞ୍ଛାଣମାନଙ୍କ ସ୍ୱାଭାବିକ ଯାତ୍ରା ଯୋଜନା ସର୍ବିଆ ଓ ଉତ୍ତରପୂର୍ବ ଚାଇନାରୁ ଆରମ୍ଭ ହୋଇଥାଏ। ସେମାନେ ପୂରା ଭାରତ ଦେଇ ଆଫ୍ରିକା ଆଡ଼କୁ ଯାଆନ୍ତି। ବସନ୍ତରେ ଫେରିବା ସମୟରେ ସେମାନେ ସାମାନ୍ୟ ଉତ୍ତର ଆଡ଼କୁ ଯାଆନ୍ତି। ସେମାନେ ଦୂର ସ୍ଥାନକୁ ଉଡ଼ାଣ ଭରୁଥିବାରୁ ବେଳେବେଳେ ଇଟାଲୀ, ସ୍ୱିଡେନ ଓ ବ୍ରିଟେନରେ ମଧ୍ୟ ଛଞ୍ଛାଣକୁ ଦେଖିବାକୁ ମିଳିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/19/manipur-2025-11-19-18-19-08.jpg)