Advertisment

ନିଜକୁ ପିଏମ୍‌ଓ ଅଧିକାରୀ କହି ଅୟସ କରୁଥିଲା ଠକ, ଜାଣିଦେଲା ପୁଲିସ୍‌

ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ଭାବେ ପରିଚୟ ଦେଉଥିବା କିରଣଭାଇ ପଟେଲଙ୍କୁ ପ୍ରାୟ ୧୦ ଦିନ ପୂର୍ବରୁ ଗିରଫ କରାଯାଇଥିଲା।

author-image
Niharika Rout
Fraud

Fraud

ପଞ୍ଚ ତାରକା ହୋଟେଲ ରହଣି ସାଙ୍ଗକୁ ବୁଲିବାକୁ ମିଳିଛି ବୁଲେଟ ପ୍ରୁଫ୍‌ ଏସୟୁଭି ଗାଡ଼ି। ଆଉ ସୁରକ୍ଷା ଦେବାକୁ ୨୪ ଘଣ୍ଟା ମୁତୟନ ହୋଇଛନ୍ତି ବନ୍ଧୁକଧାରୀ ପାରା ମିଲଟାରୀ ଓ ପୁଲିସ୍‌ କର୍ମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏପରି ସୁଖସୁବିଧା ମିଳିବା ସାଧାରଣ କଥା। ମାତ୍ର ଏପରି ମିଥ୍ୟା ପରିଚୟ ଦେଇ ରାଜକୀୟ ଠାଣୀରେ ଜୀବନ ଅତିବାହିତ କରୁଥିବା ଜଣେ ଠକଙ୍କୁ ବାନ୍ଧିଛି ଜମ୍ମୁ କଶ୍ମୀର ପୁଲିସ୍‌। ଏହି ଠକଜଣକ ହେଲେ କିରଣଭାଇ ପଟେଲ ଓ ତାଙ୍କ ଘର ଗୁଜରାଟରେ ବୋଲି ଜଣାଯାଇଛି।

Advertisment

ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ଭାବେ ପରିଚୟ ଦେଉଥିବା କିରଣଭାଇ ପଟେଲଙ୍କୁ ପ୍ରାୟ ୧୦ ଦିନ ପୂର୍ବରୁ ଗିରଫ କରାଯାଇଥିଲା। କିନ୍ତୁ ପୁଲିସ ତାଙ୍କ ଗିରଫଦାରୀ ପ୍ରସଙ୍ଗକୁ ଲୁଚାଇ ରଖିଥିଲା। ଗୁରୁବାର ବିଚାରପତି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ଏହି ଧ୍ରୂତ ବ୍ୟକ୍ତିଜଣକ ଫେବୃଆରୀରେ ପ୍ରଥମ ଥର କଶ୍ମୀର ଗସ୍ତ କରିଥିଲେ। ସେଠାରେ ସେ ନିଜକୁ ପିଏମ୍‌ଓର ବରିଷ୍ଠ ଅଧିକାରୀ ରୂପେ ପରିଚୟ ଦେଇଥିଲେ। ଏହାପରେ ତାଙ୍କୁ ବଡ଼ ହୋଟେଲ ରହଣୀ ସାଙ୍ଗକୁ ସବୁ ସୁଖ ସୁବିଧା ଯୋଗାଇ ଦିଆଯାଇଥିଲା ଓ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। 

Advertisment

ପାରାମିଲିଟାରୀ ଏବଂ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। କେତେବଳେ ବୁଦ୍ଧଗାମୀର ବରଫ ଆଚ୍ଛାଦିତ ଅଞ୍ଚଳ ତ କେତେବେଳେ ଶ୍ରୀନଗରର କ୍ଲକ୍ ଟାୱାର୍ ଲାଲ ଛକ୍ ସାମ୍ନାରେ ସେ ଫଟୋଗ୍ରାଫ୍ ପୋଜ ଦେଉଥିବା ନଜର ଆସିଛନ୍ତି। ଏପରିକି କାହାରି ଯେପରି ସନ୍ଦେହ ନ ହୁଏ, ସେଥିନିମନ୍ତେ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବି ଯୋଗ ଦେଇଥିଲେ। 

ଏହାର ଠିକ୍‌ ୨ ସପ୍ତାହ ପରେ ପୁଣି ଥରେ କିରଣଭାଇ ପଟେଲ କଶ୍ମୀର ଗସ୍ତରେ ଯାଇଥିଲେ । ଜଣେ ବରିଷ୍ଠ ଅଧିକାରୀ ବାରମ୍ବାର ଗୋଟିଏ ଜାଗାକୁ ଆସିବାକୁ ନେଇ ପୁଲିସ୍‌ର ସନ୍ଦେହ ହୋଇଥିଲ। ଏହାପରେ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲେ । ତଦନ୍ତରୁ ଯାହା ସାମନାକୁ ଆସିଥିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

କିରଣଭାଇ ପଟେଲ କୌଣସି ଚାକିରି କରି ନ ଥିବା ବେଳେ ଜଣେ ପରମ ଠକ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ସେ ରହୁଥିବା ପଞ୍ଚ ତାରକା ହୋଟେଲରୁ ତାଙ୍କୁ ଗିରଫ କରିଥିଲା। ଗିରଫଦାରୀର ପ୍ରାୟ ୧୦ ଦିନ ପରେ ଘଟଣା ସାମନାକୁ ଆସିଛି।

ଜମ୍ମୁ କଶ୍ମୀର ସବୁବେଳେ ଉତ୍ତେଜନାପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ତ୍ରୁଟିକୁ କେହି ସହଜେ ହଜମ କରି ପାରୁ ନାହାନ୍ତି। କିପରି ଜଣେ ଠକ ନିଜକୁ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଖୁଲମଖୁଲା ବୁଲିଲେ, ଆଉ କେହି କିଛି ଜାଣି ପାରିଲେନି ସେ ନେଇ ଉଠିଛି ପ୍ରଶ୍ନ ।

ଏପରିକି ଦାୟିତ୍ୱରେ ଅବହେଳା ଅଭିଯୋଗରେ ୨ ପୁଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁଜରାଟ ପୁଲିସ୍‌ ବି ଏହି ତଦନ୍ତରେ ସହଯୋଗ କରୁଥିବା ଜଣାଯାଇଛି।

Jammu Kashmir Fraud Arrest