Advertisment

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବକୁ ବୟକଟ କରି‍ବେ ତୃଣମୂଳ କଂଗ୍ରେସ ଓ ଆପ୍

କଂଗ୍ରେସ ବୟକଟ କରିବ କି ନାହିଁ କିଛି ଜଣାପଡ଼ିନାହିଁ। ଦଳ କାଲି ତା’ ବିବୃତ୍ତି ରଖିବ।

author-image
Jitendra Garnayak
Derek O'Brien

Derek O'Brien

ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ଘାଟନ ତାରିଖ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିବାଦ ମଧ୍ୟ ସେତିକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରିବା ଉଚିତ ବୋଲି କଂଗ୍ରେସ କହୁଥିବା ବେଳେ ଅନେକ ବିରୋଧୀ ଦଳ ମଧ୍ୟରେ ତା’ ସହିତ ସ୍ୱର ମିଳାଇଛନ୍ତି।

Advertisment

ତୃଣମୂଳ କଂଗ୍ରେସ ମଧ୍ୟ ତା’ର ବିରୋଧ ଜାହିର କରିଛି। ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବକୁ ଦଳ ବୟକଟ କରିଛି। ଅର୍ଥାତ୍ ଉଦ୍‌ଘାଟନ ଉତ୍ସବରେ ଦଳର କୌଣସି ସାଂସଦ ଉପସ୍ଥିତ ରହିବେ ନାହିଁ। ମଙ୍ଗଳବାର ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏହାର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ।

ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବ ହେଉଛି କେବଳ ‘ମୁଁ, ମୋତେ ଓ ମୋର ସମାହାର’।

Advertisment

ଡେରେକ କହିଛନ୍ତି, ସଂସଦ ଭବନ କେବଳ ଏକ କୋଠା ନୁହେଁ। ଏହା ଏକ ଅନୁଷ୍ଠାନ, ଯାହାର ଖୁବ୍ ପୁରୁଣା ପରମ୍ପରା, ମୂଲ୍ୟବୋଧ ଓ ନିୟମ ରହିଛି। ଏହା ଭାରତୀୟ ଗଣତନ୍ତ୍ରର ଆଧାର। ପ୍ରଧାନମନ୍ତ୍ରୀ ତାହା ବୁଝନ୍ତି ନାହିଁ।

ସେହିପରି ଆମ୍‌ ଆଦମୀ ପାର୍ଟି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛି। ଦଳ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି ଯେ ତାଙ୍କ ଦଳ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ। 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦ୍‌ଘାଟନକୁ କଂଗ୍ରେସ ବିରୋଧ କରି ଆସୁଥିବା ବେଳେ ଉଦ୍‌ଘାଟନ ଉତ୍ସବକୁ ବୟକଟ କରିବ କି ନାହିଁ ସ୍ପଷ୍ଟ ହୋଇପାରିନାହିଁ। ଦଳର ଅନେକ ନେତା କୁଆଡ଼େ ବୟକଟ କରିବା ଉଚିତ ବୋଲି କହୁଛନ୍ତି। ତେବେ ଆସନ୍ତାକାଲି ଦଳ ଏନେଇ ତା’ର ବିବୃତ୍ତି ରଖିବ ବୋଲି ସୂଚନା ମିଳିଛି। 

TMC Parliament AAP New Parliament Building