/odisha-reporter/media/post_attachments/uploadimage/library/16_9/16_9_0/Chit_Fund_1751967316.jpg)
Chit Fund
୨୧ ଦିନରେ ପଇସା ଡବଲ। କମ ସମୟ ମଧ୍ୟରେ ଧନୀ ହେବାର ସ୍କିମ ସମ୍ପର୍କରେ ରାଜୁ ଜାଣିବା ପରେ ତୁରନ୍ତ ଶ୍ୟାମ ଓ ବାବୁରାଓ ଗଣପତରାଓଙ୍କ ପାଖରେ ପହଞ୍ଚି ଯାଆନ୍ତି। ସେ ବଡ଼ ଲୋକ ହେବାର ସ୍କିମ କଥା ଉଭୟଙ୍କୁ ବୁଝାଇଥିଲେ। ସ୍କିମ କଥା ଜାଣିବା ପରେ ସେମାନେ ନିଜର ବଙ୍ଗଳା ବିକ୍ରି କରିଥିଲେ ଓ କିଛି ଟଙ୍କା ଧାର ଆଣି ମୋଟ ୧ କୋଟି ଟଙ୍କା ଲକ୍ଷ୍ମୀ ଚିଟ ଫଣ୍ଡରେ ନିବେଶ କରିଥିଲେ।
ମାତ୍ର ୩ ସପ୍ତାହ ପରେ ଏହା ୨ କୋଟି ହୋଇଯିବ ବୋଲି ଆଶା ରଖିଥିଲେ। କିନ୍ତୁ ୨୧ ଦିନ ପରେ ସେମାନେ ନିଜକୁ ଏମିତି ଏକ ସ୍ଥାନରେ ପାଇଥିଲେ ଯେଉଁଠି ସେମାନଙ୍କ ପାଖରେ କିଛି ନଥିଲା। ସେମାନେ ସବୁ ଟଙ୍କା ଓ ସମ୍ପତ୍ତି ହରାଇ ସାରିଥିଲେ। ଏହି କାହାଣୀ ବଲିଡର ସୁପର ହିଟ ଫିଲ୍ମ ‘ଫିର ହେରା ଫେରି’ର। ହେଲେ ଏହି ରିଲ ଲାଇଫ କାହାଣୀ ଏବେ ରିୟଲ ଲାଇଫରେ ସତ ପ୍ରମାଣିତ ହୋଇଛି। ବେଙ୍ଗାଲୁରୁରେ ଫିର ହେରା ଫେରିର ପୁନରାବୃତ୍ତି ଘଟିଛି। ଏଠାରେ ରହୁଥିବା କେରଳ ଦମ୍ପତି ଟମୀ ଓ ଶିନୀ ଶହଶହ ସାଧାରଣ ଲୋକଙ୍କୁ ବଡ଼ ଲୋକ ହେବାର ସ୍ୱପ୍ନ ଦେଖାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା।
ରିଲର ଲକ୍ଷ୍ମୀ ଚିଟ ଫଣ୍ଡ, ରିୟଲରେ ଏ&ଏ ଚିଟ ଓ ଫାଇନାନ୍ସ
କେରଳର ମୂଳ ବାସିନ୍ଦା ଟମୀ ଓ ଶିନୀ ଦୀର୍ଘ ୨୫ ବର୍ଷ ହେଲା ବେଙ୍ଗାଲୁରୁରେ ରହୁଥିଲେ। ସେମାନେ ଏଠାରେ ରହି ଏ&ଏ ଚିଟ ଓ ଫାଇନାନ୍ସ ଚଳାଉଥିଲେ। ଏହି କମ୍ପାନୀ ଲୋକଙ୍କୁ ସେମାନଙ୍କ ନିବେଶରେ ୧୫ରୁ ୨୦% ଲାଭ ଦେବ ବୋଲି ଅଫର କରୁଥିଲା। ଅଧିକ ଲାଭ ପାଇବା ଆଶାରେ ଏ&ଏ ଚିଟ ଓ ଫାଇନାନ୍ସରେ ଅନେକ ଲୋକ ନିବେଶ କରି ଚାଲିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଦମ୍ପତି ନିୟମିତ ଭାବେ ଟଙ୍କା ଫେରାଇ ଚାଲିଥିଲେ। ଏଥିରେ ବିଶ୍ୱାସ କରି ଲୋକମାନେ ଅଧିକରୁ ଅଧିକ ଓ ବିପୁଳ ଟଙ୍କା ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଦମ୍ପତି ନିୟମିତ ଟଙ୍କା ପୈଠ କରୁଥିଲେ ହେଁ ନିକଟରେ ଏଥିରେ ପରିବର୍ତ୍ତନ ଦେଖାଯାଇଥିଲା। ଦମ୍ପତି ସମୟସୀମା ମଧ୍ୟରେ ଲୋକଙ୍କୁ ଟଙ୍କା ଫେରାଇ ନଥିଲେ।
ଏପରି କି ସେମାନଙ୍କ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ଦମ୍ପତିଙ୍କୁ ନ ପାଇବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ଏବେ ୩୦୦ରୁ ଅଧିକ ଲୋକ ପୁଲିସ୍ର ଦ୍ୱାରସ୍ଥ ହୋଇ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେମାନ ଏ&ଏ ଚିଟ ଓ ଫାଇନାନ୍ସରେ କୋଟି କୋଟି ଟଙ୍କା ନିବେଶ କରିଥିବା ପୁଲିସକୁ ଜଣାଇଛନ୍ତି।
ରାମାମୂର୍ତ୍ତି ନଗର ପୁଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ ଦମ୍ପତି ସାଧାରଣ ଲୋକଙ୍କୁ ପ୍ରଲୋଭିତ କରାଇ ଏ&ଏ ଚିଟ ଓ ଫାଇନାନ୍ସରେ ସେମାନଙ୍କ ଜୀବନ ବ୍ୟାପୀ ଜମା, ପିଲାଙ୍କ ଶିକ୍ଷା ପାଇଁ ରଖୁଥିବା ଟଙ୍କା, ମେଡିକାଲ ଓ ବାହାଘର ବାବଦ ଟଙ୍କାକୁ ନିବେଶ କରିବାକୁ କହିଥିଲେ।
ଅଧିକ ଲାଭ ପାଇବା ଆଶାରେ କିଛି ଲୋକ ସେମାନଙ୍କ ସମ୍ପତ୍ତି ବିକ୍ରି କରି ଏ&ଏ ଚିଟ ଓ ଫାଇନାନ୍ସରେ ମଧ୍ୟ ନିବେଶ କରିଥିଲେ। ସେମାନେ ଏ&ଏ ଚିଟ ଓ ଫାଇନାନ୍ସକୁ ଗୋଟିଏ ସୁରକ୍ଷିତ ଆର୍ଥିକ ସଂସ୍ଥା ବୋଲି ଭାବି ନେଇଥିଲେ। କିନ୍ତୁ ଏବେ ଦମ୍ପତିଙ୍କ ପତ୍ତା ମିଳୁନି। ସେମାନଙ୍କ ମୋବାଇଲ ଅଫ ହୋଇଯାଇଛି। ସେମାନେ ବେଙ୍ଗାଲୁରୁରେ ଖୋଲିଥିବା ଅଫିସରେ ତାଲ ପଡ଼ିଛି। ଏ&ଏ ଚିଟ ଓ ଫାଇନାନ୍ସ ସାଂଘାତିକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଟମୀ ଓ ଶିନୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପୁଲିସ୍ ଏବେ ଦମ୍ପତିଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ନିଜର କେରଳ ପ୍ରତିପକ୍ଷ ସହ ମଧ୍ୟ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
