ଡାକ୍ତର ଏକେ ବିଷୋୟୀ
ଦିଲ୍ଲୀ ଏମ୍ସ(AIIMS Delh)ରୁ ନିଲମ୍ବିତ ହୋଇଛନ୍ତି ଓଡ଼ିଆ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଷୋୟୀ। ସେ ଦିଲ୍ଲୀ ଏମ୍ସରେ କାର୍ଡିଓ ଥରୋସିସ ଓ ଭସ୍କୁଲାର ସର୍ଜରୀ ବା ସିଟିଭିଏସ୍ ବିଭାଗ ମୁଖ୍ୟ ରହିଥିଲେ। ଜଣେ ଅଭିଜ୍ଞ ଡାକ୍ତର ଭାବେ ପୂରା ଦେଶରେ ସେ ପରିଚିତ। କିନ୍ତୁ ଜଣେ ମହିଳା ନର୍ସିଂ ଅଫିସରଙ୍କୁ ନିର୍ଯାତନା ଓ ହଇରାଣ କରିବା ଅଭିଯୋଗରେ ତାଙ୍କ ଏମ୍ସ ପକ୍ଷରୁ ନିଲମ୍ବିତ କରାଯାଇଛି।
ଏମ୍ସର ନର୍ସ ୟୁନିୟନ ଏକାଧିକ ଥର ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓରେ ପହଞ୍ଚିଥିଲା। ଏହାମଧ୍ୟରେ ଯୌନ ନିର୍ଯାତନା, ଅଭଦ୍ରା ଭାଷା ଓ କାର୍ଯ୍ୟାଳୟରେ ଭୟଭୀତ କରାଇବା ଭଳି ଅଭିଯୋଗ ରହିଥିଲା। ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ପିଏମଓରେ ପହଞ୍ଚିବା ପରେ ଏମ୍ସ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଡାକ୍ତର ବିଷୋୟୀ ନିଲମ୍ବିତ ହୋଇଥିବାରୁ ସିଟିଭିଏସ୍ ବିଭାଗର ଦାୟିତ୍ୱ ବରିଷ୍ଠ ପ୍ରଫେସର ଡାକ୍ତର ଭି ଦେବଗୋଉରୋଉଙ୍କୁ ଦିଆଯାଇଛି। ସେ ତତ୍କାଳ ଭାବେ ବିଭାଗର ଦାୟିତ୍ୱ ନେଇଛନ୍ତି ଓ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ପଦରେ ରହିବେ। ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଏମ ଶ୍ରୀନିବାସ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି ନିର୍ଦ୍ଦେଶରେ ଜଣେ ମହିଳା ନର୍ସିଂ ଅଫିସର ସେପ୍ଟେମ୍ବର ୩୦ରେ କରିଥିବା ଅଭିଯୋଗକୁ ଉଲ୍ଲେଖ କରାଯାଇଛି। ଏହାସହ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଉପସ୍ଥାପନ କରାଯାଇଥିବା କିଛି ତଥ୍ୟକୁ ଯୋଡ଼ା ଯାଇଛି। ସେପ୍ଟେମ୍ବର ୩୦, ଅକ୍ଟୋବର ୪ ଓ ଅକ୍ଟୋବର ୭ରେ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଡାକ୍ତର ଅକ୍ଷୟ କୁମାର ବିଷୋୟୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।
ତଥାପି କୌଣସି ପଦକ୍ଷେପ ନିଆ ନ ଯିବାରୁ ଅକ୍ଟୋବର ୯ରେ ୟୁନିୟନ ନିଜର ଆଭିମୁଖ୍ୟ କଡ଼ା କରି ପିଏମଓର ହସ୍ତକ୍ଷେପ ଲୋଡ଼ିଥିଲା। କାର୍ଯ୍ୟାଳୟରେ ଧମକ ଓ ଯୌନ ନିର୍ଯାତନା ଦିଆଯାଉଥିବା ବେଳେ ଏମ୍ସ କର୍ତ୍ତୃପକ୍ଷ ଚୁପ ରହିଥିବା ୟୁନିୟନ କହିଥିଲା।
ପିଏମଓ ଓ ଏମ୍ସ ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ୟୁନିୟନ ଅଭିଯୋଗ କରିଥିଲା ଯେ ଡାକ୍ତର ବିଷୋୟୀ ନିୟମିତ ଭାବେ ଅଭଦ୍ର, ଅଣପ୍ରଫେସନାଲ ଓ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ମହିଳା ନର୍ସିଂ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ସକାଳ ରାଉଣ୍ଡ ବେଳେ ଡାକ୍ତର ବିଷୋୟୀ ସିଧାସଳଖ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କର୍ମଚାରୀଙ୍କୁ ଉପଯୁକ୍ତ ଶିକ୍ଷା ଦେବେ ବୋଲି ଧମକ ଦେଇଛନ୍ତି। ଏଥିଯୋଗୁ ଗୋଟିଏ ଭୟ ଓ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ନର୍ସିଂ ଷ୍ଟାଫମାନେ ସେମାନଙ୍କ କାର୍ଯ୍ୟ ଠିକ ଭାବେ କରିପାରୁ ନାହାନ୍ତି। ଏପରି କି ଅଭିଯୋଗକାରୀଙ୍କୁ ଡାକ୍ତର ବିଷୋୟୀ କ୍ଲିନିକାଲ ପୋଷ୍ଟିଂରୁ ହଟାଇ ଦେବାର ଧମକ ଦେଇଛନ୍ତି ବୋଲି ୟୁନିୟନ କହିଛି। ଡାକ୍ତର ବିଷୋୟୀଙ୍କ ବୟାନଙ୍କୁ ଯୌନ ଦୁର୍ବ୍ୟବହାର, ଅତ୍ୟନ୍ତ ଆପତ୍ତିଜନକ, ଚରିତ୍ର ସଂହାର ଓ ଲିଙ୍ଗଭିତ୍ତିକ ଅପମାନ ବୋଲି ୟୁନିୟନ ଅଭିଯୋଗ କରିଛି।
ସୂତ୍ର ଅନୁସାରେ, ତଦନ୍ତ ଏବେ ଚାଲିଛି ଓ ପୂରା ଘଟଣା ଏମ୍ସର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)କୁ ପଂଶଯିବ। ଡାକ୍ତର ବିଷୋୟୀଙ୍କୁ ତାଙ୍କ ପ୍ରଶାସନିକ କାର୍ଯ୍ୟରୁ ହଟାଇ ଦିଆଯାଇଛି। ଏଥିସହ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବରିଷ୍ଠ ଡାକ୍ତରଙ୍କ କହିବା କଥା ଯେ କୌଣସି ଗୋଟିଏ ବିଭାଗର ମୁଖିଆଙ୍କୁ ଏଭଳି ଅଭିଯୋଗ ପରେ ନିଲମ୍ବନ କରାଯିବା ବିରଳ ଘଟଣା।
ଡାକ୍ତର ବିଷୋୟୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲେ ହେଁ ଏଯାଏ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଡାକ୍ତର ବିଷୋୟୀଙ୍କ ଘର ଓଡ଼ିଶାର କଟକରେ। ସେ ୨୦୨୩ରେ ଭୁବନେଶ୍ୱର ଏମ୍ସର ସଭାପତି ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ସେ ପ୍ରାୟ ୨୦ ଦିନ ଧରି କାର୍ଯ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/13/ak-bisoi-2025-10-13-18-23-50.jpg)