Advertisment

Top Cop Hina Khan: ‘ଜୟ ଶ୍ରୀରାମ ’ ନାରା ଦେଇ ଭିଡ଼କୁ ଚୁପ କରିଦେଲେ ପୁଲିସ ମୁଖ୍ୟ ହିନା ଖାନ୍‌

ତାଙ୍କୁ ସମାଲୋଚନା କରି କିଛି ଲୋକ ସନାତନ ବିରୋଧୀ କହିବା ସହ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ହିନା ଖାନ ଜୟ ଶ୍ରୀରାମ ନାରା ଦେଇ ପୂରା ଭିଡ଼କୁ ଚୁପ କରାଇ ଦେଇଛନ୍ତି।

Hina-Khan

ହିନା ଖାନ

Advertisment

ଚର୍ଚ୍ଚାରେ ମଧ୍ୟପ୍ରଦେଶ(Madhya Pradesh)ର ଗ୍ୱାଲିୟର ସହରର ପୁଲିସ୍‌ ମୁଖ୍ୟ ହିନା ଖାନ। ତାଙ୍କୁ ସମାଲୋଚନା କରି କିଛି ଲୋକ ସନାତନ ବିରୋଧୀ କହିବା ସହ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ହିନା ଖାନ ଜୟ ଶ୍ରୀରାମ ନାରା ଦେଇ ପୂରା ଭିଡ଼କୁ ଚୁପ କରାଇ ଦେଇଛନ୍ତି।

Advertisment

ଏହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ହିନା ଖାନ(Hina Khan) କହିଛନ୍ତି ଯେ ସେ କେବଳ ନିଜର କର୍ତ୍ତବ୍ୟ କରିଛନ୍ତି। ଯଦି ଭଗବାନଙ୍କ ନାଁ ଧରିବା ଯୋଗୁ ଶାନ୍ତି ପ୍ରତିଷ୍ଠା ହୋଇପାରୁଛି, ତା’ହେଲେ ଏଥିରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। 

ଲୋକମାନେ ତାଙ୍କୁ ଘେରିବା ସହ ସେ ସନାତନ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ଆଣିବା ଘଟଣା ତାଙ୍କୁ କ୍ରୋଧିତ କରିଥିଲା କି ପ୍ରଶ୍ନରେ ହିନା ଖାନ କହିଛନ୍ତି, “ରାଗ ଆସି ନଥିଲା। କିନ୍ତୁ ଦୁଃଖ ଲାଗିଥିଲା। ଆମେ ସମସ୍ତେ ଏହି ଦେଶରେ ରହୁଛେ ଓ କାମ କରୁଛେ। ପ୍ରତିଟି ଲୋକଙ୍କ ପାଖରେ ନିଜର କଥା ଉପସ୍ଥାପନ କରିବାକୁ ଅଧିକାର ରହିଛି। ମୁଁ ମୋର ଡ୍ୟୁଟି କରୁଥିଲି। ଯଦି ଭଗବାନଙ୍କ ନାଁ ଧରିବା ଯୋଗୁ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ତା’ହେଲେ ମୁଁ ଭାବୁଛି ଏହା ଭଲ କଥା।”

Advertisment

ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚ ପରିସରରେ ପ୍ରତିଷ୍ଠା କରିବାକୁ ନେଇ ଦୁଇ ଓକିଲ ଗୋଷ୍ଠୀଙ୍କ ମଧ୍ୟରେ ବେଶ କିଛି ଦିନ ହେବ ଛକାପଞ୍ଝା ଚାଲିଛି। ଏହାକୁ ନେଇ ଗ୍ୱାଲିୟରରେ ଉତ୍ତେଜନା ଦେଖାଯାଇଛି।

ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ସହରରେ କଟକଣା ଲଗାଇଛି। ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏହି କଟକଣା ଭିତରେ ଓକିଲ ଅନୀଲ ମିଶ୍ରାଙ୍କ ନେତୃତ୍ୱରେ କିଛି ଯୁବକ ଓ ଓକିଲ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ସୁନ୍ଦରଖଣ୍ଡ ପାଠ କରିବାକୁ ଉଦ୍ୟମ କରିଥିଲେ। 

ଏହାକୁ ହିନା ଖାନ ବିରୋଧ କରିବା ସହ ଟେଣ୍ଟ ବାନ୍ଧିବାକୁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଅନୀଲ ମିଶ୍ରା ଓ ଅନ୍ୟ ଓକିଲମାନେ ହିନା ଖାନଙ୍କୁ ଘେରିବା ସହ ସେ ସନାତନ ଧର୍ମକୁ ଅପମାନିତ କରୁଥିବା ଅଭିଯୋଗ କରିଥିଲେ। ତାଙ୍କୁ ଘେରିବା ସହ ଚାପ ପକାଇବାକୁ ଜୟ ଶ୍ରୀରାମ ନାରା ଦେଇଥିଲେ।

ହେଲେ ସେମାନଙ୍କୁ ଚକିତ କରି ହିନା ଖାନ ମଧ୍ୟ ସେମାନଙ୍କ ସହ ମିଶି ୪ ଥର ଜୟ ଶ୍ରୀରାମ ନାରା ଚିତ୍କାର କରି ଲଗାଇଥିଲେ। ଏହାକୁ ଶୁଣି ଚାପ ପ୍ରୟୋଗ କରୁଥିବା ଲୋକମାନେ ପୂରା ଚକିତ ହୋଇ ଯାଇଥିଲେ। ଏହାପରେ ସେ ଲୋକମାନଙ୍କୁ ପଚାରିଥିଲେ ଯେ “ଆଉ କିଛି ଦରକାର? ଯଦି ଆପଣମାନେ ଶ୍ରୀରାମ ସ୍ଲୋଗାନ ଲଗାଇବେ, ତା’ହେଲେ ମୁଁ ମଧ୍ୟ ସେମିତି କରିବି।”  


ଏ ସମ୍ପର୍କରେ ହିନା ଖାନ କହିଛନ୍ତି, “ଆମେ ଜଣେ ବରିଷ୍ଠ ଓକିଲଙ୍କ ଘର ବାହାରେ ଡ୍ୟୁଟି କରୁଥିଲୁ। ସେଠାରେ ସୁନ୍ଦରଖଣ୍ଡ ପାଇଁ ଟେଣ୍ଟ ଲଗାଇବାକୁ କଥା ବାର୍ତ୍ତା ହୋଇଥିଲା। କିନ୍ତୁ ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି।

ଅନୁମତି ମିଳିବା ପରେ ସେମାନେ ନିଜର କାର୍ଯ୍ୟକ୍ରମ କରିପାରିବେ। ମୁଁ କେବଳ ଶାନ୍ତିପୂର୍ଣ୍ଣ ଓ ଆଇନ ଅନୁସାରେ ସବୁ କିଛି କରିବାକୁ ଚାହୁଁଥିଲି। କିନ୍ତୁ ସେମାନେ କିଛି ଶୁଣିବା ଅବସ୍ଥାରେ ନଥିଲେ।” 

ଗୁନାରେ ଜନ୍ମିତ ହିନା ଖାନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ ସ୍କୁଲ ଶିକ୍ଷକ। ମା’ ସାଧାରଣ ଗୃହିଣୀ। ସ୍କୁଲ ଶିକ୍ଷା ପରେ ସେ ଫିଜିଓଥେରାପିରେ ଗ୍ରାଜ୍ୟୁଏଟ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଜିଏସ୍‌ଟି ବିଭାଗରେ ଅତରିକ୍ତ ବ୍ୟବସାୟିକ ଟିକସ ଅଫିସର ଭାବେ କାମ କରିଥିଲେ। କିନ୍ତୁ ସେ ଲୋକଙ୍କ ସହ ଅଧିକ ଯୋଡ଼ିବାକୁ ଚାହୁଁଥିଲେ। ତେଣୁ ସେ ପ୍ରଶାସନିକ ସେବା ପାଇଁ ନିଯୁକ୍ତ ପ୍ରସ୍ତୁତ କରିଥିଲେ।

୨୦୧୬ରେ ସେ ମଧ୍ୟପ୍ରଦେଶ ପ୍ରଶାସନିକ ସେବା କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ୨୦୧୮ରେ ସେ ପୁଲିସ୍‌(Police) ସେବାରେ ଯୋଗ ଦେଇଥିଲେ। ଯବଲପୁରରେ କାମ କରିବା ପରେ ତାଙ୍କୁ ଗ୍ୱାଲିୟର ସିଟି ଏସ୍‌ପି ଭାବେ ନିକଟରେ ବଦଳି କରାଯାଇଛି। 

Police Madhya Pradesh Hina Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe