ପୂରନ କୁମାର ଓ ପତ୍ନୀ ଅମନୀତ
ଚଣ୍ଡିଗଡ଼ ସ୍ଥିତ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ହରିୟାଣାର ବରିଷ୍ଠ ଆଇପିଏସ(Ips) ଅଫିସର ୱାଇ ପୂରନ କୁମାରଙ୍କୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଅକ୍ଟୋବର ୭ରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ସମ୍ପତ୍ତିର ଗୋଟିଏ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ କରିଥିଲେ। ଏହି ଦସ୍ତାବିଜ ସହ ସେ ୯ ପୃଷ୍ଠାର ସୁଇସାଇଡ ନୋଟ ନିଜ ପତ୍ନୀ ଅମନୀତ ପି କୁମାରଙ୍କ ନିକଟକୁ ପଠାଇଥିଲେ।
ଅମନୀତ ହେଉଛନ୍ତି ଜଣେ ଆଇଏଏସ୍(Ias) ଅଫିସର। ଘଟଣା ବେଳେ ସେ ସରକାରୀ କାମରେ ଜାପାନରେ ରହିଥିଲେ। ସ୍ୱାମୀଙ୍କ ଏପରି ସମ୍ପତ୍ତି କାଗଜପତ୍ର ଓ ସୁଇସାଇଡ ନୋଟ ଦେଖି ଅମନୀତ ପୂରା ଆତଙ୍କିତ ହୋଇ ପଡ଼ିଥିଲେ। ସେ ମେସେଜ ଦେଖିବା ମାତ୍ରେ ଚଣ୍ଡିଗଡ଼ରେ ଥିବା ସ୍ୱାମୀଙ୍କୁ ପ୍ରାୟ ୧୫ ଥର କଲ କରିଥିଲେ। ହେଲେ ପୂରନ କୁମାର ତାଙ୍କ କଲ୍ ଉଠାଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ସେ ତାଙ୍କ ସାନ ଝିଅଙ୍କୁ ଫୋନ କରିଥିଲେ।
ମାର୍କେଟରେ କିଣାକିଣି କରୁଥିବା ଝିଅ ତୁରନ୍ତ ଘରକୁ ଫେରିଥିଲେ। ସେତେବେଳକୁ ପୂରନ କୁମାରଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଘରର ବେସମେଣ୍ଟରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
ପୂରନ କୁମାର ଦିନ ପ୍ରାୟ ୧.୩୦ରେ ନିଜର ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଘରର ବେସ୍ମେଣ୍ଟରେ ଜୀବନ ହାରିଥିଲେ। ଆତ୍ମହତ୍ୟା(Suicide) କରିବା ପୂର୍ବରୁ ସେ ଲେଖିଥିବା ସୁଇସାଇଡ ନୋଟରେ ତାଙ୍କୁ ୧୨ ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ ଅଫିସର କେମିତି ମାନସିକ ନିର୍ଯାତନା ଦେଉଥିଲେ, ସେକଥା ଉଲ୍ଲେଖ କରିଛନ୍ତି।
ପୂରନ କୁମାର ନିର୍ଦ୍ଦିଷ୍ଟ ଭାବେ ଡିଜିପି ଶତ୍ରୁଜିତ ସିଂହ କପୁରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ପୂରନ କୁମାରଙ୍କୁ ମିଳୁଥିବା ଏରିୟରକୁ ଡିଜିପି ବିରୋଧ କରୁଥିଲେ। ଏଥିଯୋଗୁ ତାଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ପୂରନ କୁମାର ଆହୁରି ଅଭିଯୋଗ କରିଛନ୍ତି ଯେ ସରକାରୀ ବାସଭବନ ଅନୁମୋଦନ ପାଇଁ ଡିଜିପି ଅତିରିକ୍ତ ନିୟମ ନିଜ ଇଚ୍ଛା ଅନୁସାରେ ଲାଗୁ କରିଥିଲେ।
ଏଥିସହ ତାଙ୍କୁ ଯେମିତି ଘର ନ ମିଳିବ, ସେଥିପାଇଁ ମିଥ୍ୟା ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ। ହଇରାଣ କରିବା ପାଇଁ ଡିଜିପି ୨୦୨୩ ନଭେମ୍ବର ମାସରେ ପୂରନ କୁମାରଙ୍କୁ ମିଳିଥିବା ସରକାରୀ ଗାଡ଼ିକୁ ମଧ୍ୟ ପ୍ରତ୍ୟାହର କରି ନେଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି।
ପୂରନ କୁମାର ପ୍ରସ୍ତୁତ କରିଥିବା ସମ୍ପତ୍ତିର କାଗଜପତ୍ର ଓ ସୁଇସାଇଡ ନୋଟକୁ ତାଙ୍କ ପକେଟରୁ ଜବତ କରାଯାଇଛି। ଅକ୍ଟୋବର ୬ରେ ୱିଲ ପ୍ରସ୍ତୁତ କରିଥିଲେ ପୂରନ କୁମାର। ଏଥିରେ ତାଙ୍କ ନାଁରେ ଥିବା ସବୁ ସମ୍ପତ୍ତିକୁ ସେ ପତ୍ନୀଙ୍କୁ ଦେଇଛନ୍ତି। ପତ୍ନୀଙ୍କ ନାଁରେ ସବୁ ସମ୍ପତ୍ତି ସେ କରିବାକୁ ଚାହୁଁଥିବା ପୂରନ କୁମାର ମେସେଜ ଦ୍ୱାରା ଅମନୀତଙ୍କୁ ଜଣାଇଥିଲେ। ଏହାକୁ ଦେଖିବା ପରେ ଅମନୀତ ନିଜର ଝିଅକୁ ଘରକୁ ପଠାଇଥିଲେ।
ସୂତ୍ର ଅନୁସାରେ, ଘଟଣା ଦିନ ସକାଳେ ପୂରନ କୁମାର ଘରର ରୋଷେୟା ପ୍ରେମ ସିଂହଙ୍କ ସହ ରହିଥିଲେ। ପ୍ରେମ ସିଂହ ୬ ବର୍ଷ ହେଲା ପୂରନଙ୍କ ଘରେ କାମ କରୁଛନ୍ତି। ଘଟଣା ସମ୍ପର୍କରେ ପ୍ରେମ ସିଂହ କହିଛନ୍ତି ଦିନ ପ୍ରାୟ ୧୦ଟା ବେଳେ ପୂରନ କୁମାର ବେସମେଣ୍ଟକୁ ଯାଇଥିଲେ। ସେଠାରେ ୨ଟି ରୁମ ରହିଛି।
ସେଠାକୁ ଯିବା ପରେ ସେ ପ୍ରେମ ସିଂହଙ୍କୁ ତାଙ୍କୁ କୌଣସି ପ୍ରକାରରେ ନ ଡାକିବାକୁ କହିଥିଲେ। ପୂରନ କୁମାର ନିଜ କୁକୁରକୁ ବାହାରକୁ ବୁଲାଇବାକୁ ନେଇ ନଥିଲେ ଓ କେହି ଯେମିତି ବେସମେଣ୍ଟକୁ ନ ଯିବେ, ସେକଥା ନିଶ୍ଚିତ କରିବାକୁ ପ୍ରେମ ସିଂହଙ୍କୁ କହିଥିଲେ।
ଦିନ ପ୍ରାୟ ୧୧ଟା ବେଳେ ପୂରନ କୁମାର ଉପରକୁ ଆସିବା ସହ ପ୍ରେମ ସିଂହଙ୍କୁ ଲଞ୍ଚ ପ୍ରସ୍ତୁତ କରିବାକୁ କହିଥିଲେ। ଏହାପରେ ସେ ପୁଣି ବେସମେଣ୍ଟକୁ ଚାଲି ଯାଇଥିଲେ। ଏସବୁ ଭିତରେ ଅମନୀତ ତାଙ୍କୁ ୧୫ ଥର ଫୋନ କରିଥିଲେ ହେଁ ସେ ଏହାକୁ ଉଠାଇ ନଥିଲେ।
ପୂରନ କୁମାର ଆତ୍ମହତ୍ୟା କରିବାର ଦିନକ ପରେ ଅର୍ଥାତ ଅକ୍ଟୋବର ୮ରେ ଅମନୀତ ଜାପାନରୁ ଆସି ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ସେ ବିଧିବଦ୍ଧ ଭାବେ ନିଜ ସ୍ୱାମୀଙ୍କ ଆତ୍ମହତ୍ୟା ପାଇଁ ଡିଜିପି ଶତ୍ରୁଜିତ ଓ ରୋହତକ ନରେନ୍ଦ୍ର ବିଜରନିୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଦୁଇ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/09/puran-kumar-2025-10-09-13-32-27.jpg)