Advertisment

Supreme Court: ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ ବିରୋଧୀ ଆବେଦନ ଖାରଜ, ବଡ଼ କଥା କହିଲେ ସୁପ୍ରିମକୋର୍ଟ

ପୂରା ମାମଲା ଆସାମରେ କ୍ଷମତାସୀନ ବିଜେପି ପକ୍ଷରୁ ଜାରି କରାଯାଇଥିବା ଗୋଟିଏ ଭିଡିଓ ସହ ଜଡ଼ିତ। ଏହି ଭିଡିଓରେ ହିମନ୍ତ ବିଶ୍ୱଶର୍ମା ମୁସଲିମମାନଙ୍କୁ ପ୍ରତିକାତ୍ମକ ଭାବେ ଗୁଳି ମାରୁ ଥିବା ଦେଖା ଯାଉଛି।

author-image
Hemant Lenka
Himant

ହିମନ୍ତ ବିଶ୍ୱଶର୍ମା (ଫାଇଲ ଫଟୋ)

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସେ ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ଓ ଏସ୍‌ଆଇଟି ତଦନ୍ତ ଦାବିରେ ହୋଇଥିବା ଆବେଦନକୁ ଗ୍ରହଣ କରି ନାହାନ୍ତି ସର୍ବୋଚ୍ଚ ଅଦାଲତ। ଆବେଦନକୁ ଖାରଜ କରିବା ବେଳେ ବଡ଼ କଥା ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ। 

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମଳୟ ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ଖଣ୍ତପୀଠ ପ୍ରଥମେ ଗୁହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। ବିବାଦର ସାମଧାନ କରିବାକୁ ଆବେଦନକାରୀ ସିଧା ସୁପ୍ରିମକୋର୍ଟ(Supreme Court)ରେ ପହଞ୍ଚିବାକୁ ଘଟଣାକୁ ଖଣ୍ଡପୀଠ ନାପସନ୍ଦ କରିଛନ୍ତି।

ପୂରା ମାମଲା ଆସାମରେ କ୍ଷମତାସୀନ ବିଜେପି ପକ୍ଷରୁ ଜାରି କରାଯାଇଥିବା ଗୋଟିଏ ଭିଡିଓ ସହ ଜଡ଼ିତ। ଏହି ଭିଡିଓରେ ହିମନ୍ତ ବିଶ୍ୱଶର୍ମା ମୁସଲିମମାନଙ୍କୁ ପ୍ରତିକାତ୍ମକ ଭାବେ ଗୁଳି ମାରୁ ଥିବା ଦେଖା ଯାଉଛି। ଏହାପୂର୍ବରୁ ମିଆଁ ବା ବଙ୍ଗାଳି ଭାଷା କହୁଥିବା ମୁସଲିମମାନଙ୍କ ସମ୍ପର୍କରେ ସେ ବିବାଦୀୟ ଟିପ୍ପଣୀ କରିଥିଲେ। ବିଜେପି ସେମାନଙ୍କୁ ସାଧାରଣତଃ ଅନୁପ୍ରବେଶକାରୀ କହି ଚାଲିଛି।

Advertisment

ଭିଡିଓ ଓ ବୟାନ ସମ୍ପର୍କରେ କୋର୍ଟ ରାଜନୀତିକ ଦଳଗୁଡ଼ିକୁ ସମ୍ବେଦନଶୀଳତା ଅବଲମ୍ବନ କରିବାକୁ କହିଛନ୍ତି ଓ ସାମ୍ବିଧାନିକ ମୂଲ୍ୟବୋଧର ସୀମାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସିଧାସଳଖ ସୁପ୍ରିମକୋର୍ଟରେ ଆବେଦନ କରିବା ଏବେ ଗୋଟିଏ ଧାରାରେ ପରିଣତ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖିଥିଲେ। କିନ୍ତୁ କୋର୍ଟ ନିଜ ଆଡ଼ୁ ଏହାକୁ ଆଗକୁ ବଢ଼ାଇ ନଥିଲେ। ଚିଠି ଲେଖିବା ଓ ବିଧିବଦ୍ଧ ଭାବେ ଆବେଦନ ଦାଖଲ କରିବା ମଧ୍ୟରେ ଫରକ ରହିଥିବା କଥା ସୁପ୍ରିମକୋର୍ଟ ମତ ରଖି ପୁଣିଥରେ ଆବେଦନକାରୀଙ୍କୁ ଗୁହାଟୀ ହାଇକୋର୍ଟ ଯିବାକୁ କହିଛନ୍ତି। 

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ କାନ୍ତ କହିଛନ୍ତି ଯେ “ଆମ ହାଇକୋର୍ଟ ଗୁଡ଼ିକର ବୈଧତାକୁ ହ୍ରାସ କରନ୍ତୁ ନାହିଁ। ଆପଣ ଗୁହାଟୀ ହାଇକୋର୍ଟଙ୍କ ମନୋବଳ ଭାଙ୍ଗି ଦେଉଛନ୍ତି।” ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଏହାର ଜବାବରେ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଜର ଅସାଧାରଣ କ୍ଷମତାକୁ ବ୍ୟବହାର କରି ମାମଲାର ବିଚାର କରନ୍ତୁ। ଏଥିସହ ପୂରା ଘଟଣାର ଏସ୍‌ଆଇଠି ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ।

ପ୍ରଧାନ ବିଚାରପତିଙ୍କ ହାଇକୋର୍ଟ ମନୋବଳ ଭାଙ୍ଗିବା ବୟାନର ଜବାବରେ ସିଙ୍ଘଭୀ କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ସମ୍ବିଧାନ ଓ ପୂରା ସଂପ୍ରଦାୟର ମନୋବଳ ଭାଙ୍ଗି ଚାଲିଛନ୍ତି। ତଥାପି କୋର୍ଟ ନିଜର ମତ ପରିବର୍ତ୍ତନ ନ କରି ହାଇକୋର୍ଟ ଯିବାକୁ କହିଥିଲେ। ବିଶ୍ୱଶର୍ମାଙ୍କ ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଥିଲେ।  

Supreme Court