Advertisment

ଭୋଟର ସଂଖ୍ୟାବୃଦ୍ଧି ପ୍ରସଙ୍ଗ: ପୋଷ୍ଟ କରି ଡିଲିଟ କରିଥିବା ବିଶ୍ଳେଷକଙ୍କୁ ସୁପ୍ରିମ ଆଶ୍ୱସ୍ତି

ମହାରାଷ୍ଟ୍ର ଭୋଟର ଲିଷ୍ଟରେ ବଡ଼ଧରଣର ଜାଲିଆତି ହୋଇଥିବା ନେଇ ସଞ୍ଜୟ କୁମାର ପ୍ରଥମେ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ହେବାକୁ ସେ ପୋଷ୍ଟକୁ ଡିଲିଟ କରି କ୍ଷମା ମଧ୍ୟ ମାଗିଥିଲେ।

author-image
Hemant Lenka
Sanjay

Sanjay

ଦେଶର ପ୍ରସିଦ୍ଧ ନିର୍ବାଚନ ବିଶ୍ଳେଷକ ତଥା ଲୋକନୀତି-ସିଏସ୍‌ଡିଏସ୍‌ର ସହ ନିର୍ଦ୍ଦେଶକ ସଞ୍ଜୟ କୁମାରଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ୍‌ ରୁଜୁ କରିଥିବା ଏଫଆଇଆର ଉପରେ ସୁପ୍ରିମକୋର୍ଟ ଆଜି ରୋକ ଲଗାଇ ଦେଇଛନ୍ତି। ମହାରାଷ୍ଟ୍ର ଭୋଟର ଲିଷ୍ଟରେ ବଡ଼ଧରଣର ଜାଲିଆତି ହୋଇଥିବା ନେଇ ସଞ୍ଜୟ କୁମାର ପ୍ରଥମେ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ହେବାକୁ ସେ ପୋଷ୍ଟକୁ ଡିଲିଟ କରି କ୍ଷମା ମଧ୍ୟ ମାଗିଥିଲେ। ସେ କ୍ଷମା ମାଗିଥିଲେ ହେଁ ଏହାକୁ ନେଇ ବିବାଦ ହୋଇଥିଲା। ଏଥିଯୋଗୁ ମହାରାଷ୍ଟ୍ର ପୁଲିସ୍‌ ତାଙ୍କ ବିରୋଧରେ ଏଫଆଇଆର କରିଥିଲା।

Advertisment

ଶ୍ରୀ କୁମାରଙ୍କ ଓକିଲ ଏହି ପ୍ରସଙ୍ଗ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଥିଲେ। ଓକିଲ ଜଣଙ୍କ କହିଥିଲେ ଯେ “ସେ ଜଣେ ସ୍ୱଚ୍ଛ ଓ ନିରପେକ୍ଷ ବ୍ୟକ୍ତି। ସେ ଦେଶ ଓ ଦୁନିଆକୁ ୩୦ ବର୍ଷ ହେଲା ସେବା ପ୍ରଦାନ କରି ଆସୁଛନ୍ତି। ତାଙ୍କର ବହୁତ ସମ୍ମାନ କରାଯାଏ। ଏହା(ପୋଷ୍ଟ) ଗୋଟିଏ ତ୍ରୁଟି ଥିଲା। ସେ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ। ସେ ପୋଷ୍ଟକୁ ହଟାଇଥିଲେ ଓ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଥିଲେ।” ଏହା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଗବାଇ ରୁଜୁ ହୋଇଥିବା ଏଫଆଇଆର ଉପରେ ରୋକ ଲଗାଇ ଦେଇଥିଲେ।

ନିକଟରେ ସଞ୍ଜୟ କୁମାର ନିଜର ଏକ୍ସ ଆକାଉଣ୍ଟରେ ମହାରାଷ୍ଟ୍ରର ୨ଟି ବିଧାନସଭା ଆସନ ନାଶିକ ୱେଷ୍ଟ ଓ ହିଙ୍ଗାନାରେ ଭୋଟରଙ୍କ ସଂଖ୍ୟା ୨୦୨୪ ଲୋକସଭା ନିର୍ବାଚନ ତୁଳନାରେ ବିଧାନସଭା ନିର୍ବାଚନ ବେଳକୁ କେମିତି ଅହେତୁକ ବୃଦ୍ଧି ପାଇଥିଲା, ସେକଥା କହିଥିଲେ। ଏନେଇ ସେ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିଥିଲେ। ପୂର୍ବରୁ ଭୋଟ ଚୋରିର ଅଭିଯୋଗ କରୁଥିବା କଂଗ୍ରେସକୁ ଏହା ଆହୁରି ସୁହାଇଥିଲା। ଦଳ ପକ୍ଷରୁ କ୍ଷମତାସୀନ ବିଜେପି ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଇଥିଲା। ଅଗଷ୍ଟ ୧୭ରେ କୁମାର ନିଜର ବିଶ୍ଳେଷଣକୁ ଏକ୍ସରେ ପୋଷ୍ଟ କରିଥିଲେ।

Advertisment

ନାଶିକ ୱେଷ୍ଟରେ ୪୭.୩୮% ଓ ହିଙ୍ଗନାରେ ୪୩.୦୮% ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସେ ଦାବି କରିଥିଲେ। କିନ୍ତୁ ଏହାକୁ ନେଇ ବିବାଦ ତେଜିବାରୁ ହଠାତ ନିଜ ପୋଷ୍ଟକୁ ଡିଲିଟ କରି ଦେଇଥିଲେ କୁମାର। ଏଥିସହ ସେ କ୍ଷମା ମଧ୍ୟ ମାଗିଥିଲେ।

ତେବେ ଏପରି ହଠାତ୍‌ ୟୁ-ଟର୍ଣ୍ଣର କାରଣକୁ ନେଇ ଚର୍ଚ୍ଚା ଲାଗି ରହିଛି। କୌଣସି ଅଦୃଶ୍ୟ ଶକ୍ତିର ଚାପରେ କୁମାର ଏପରି କରିଛନ୍ତି ନା ସତରେ ତଥ୍ୟଗତ ତ୍ରୁଟି ଥିଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିବାଦ ବଢ଼ୁଥିବାରୁ ମହାରାଷ୍ଟ୍ର ପୁଲିସ୍‌ ଶ୍ରୀ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

Maharashtra Govt Maharashtra Police Supreme Court Maharashtra Maharashtra Politics FIR