/odisha-reporter/media/media_files/2025/12/29/aravalli-hills-2025-12-29-15-26-03.jpg)
ଆରାବଳୀ ପର୍ବତ
ଭାରତର ପାରିବେଶିକ କବଚ ଆରାବଳୀ ପର୍ବତକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରୋକ ଲଗାଇଛନ୍ତି। ନିକଟରେ ଦେଇଥିବା ରାୟ ଉପରେ ରୋକ ଲଗାଇବା ସହ ଆରାବଳୀ ପର୍ବତର ପ୍ରକୃତ ସଂଜ୍ଞାର ଆବଶ୍ୟକତା ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି।
ନଭେମ୍ବର ୨୦ରେ ସର୍ବୋଚ୍ଚ ଅଦାଲତ ଆରାବଳୀ ପର୍ବତ ଓ ଆରାବଳୀ ରେଞ୍ଜକୁ ନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ ଦେଇଥିବା ସଂଜ୍ଞାକୁ ସ୍ୱୀକାର କରି ନେଇଥିଲେ। ସୁପ୍ରିମକୋର୍ଟଙ୍କ ନଭେମ୍ବର ରାୟ ପରେ ଆରାବଳୀର ପ୍ରାୟ ୯୦% ଅଂଶରେ ଖଣି ଖନନ କରାଯିବାର ବାଟ ଫିଟି ଯାଇଥିଲା। ଏହାକୁ ନେଇ ପୂରା ଦେଶରେ ବିବାଦ ଦେଖା ଯିବାରୁ ଆଜି ସର୍ବୋଚ୍ଚ ଅଦାଲତ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।
ଆରାବଳୀ ପର୍ବତମାଳା ପାଇଁ ପୂର୍ବରୁ ଗଠିତ ପ୍ୟାନେଲ ପାରିବେଶିକ ପ୍ରଭାବ ସମ୍ପର୍କରେ ଯେଉଁ ସବୁ ପ୍ରସ୍ତାବ ଦେଇଥିଲା, ତା’ର ତର୍ଜମା ଗୋଟିଏ ବିଶେଷଜ୍ଞ କମିଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ଗଠିତ ପ୍ୟାନେଲରେ ଅଧିକ ମାତ୍ରାରେ ପ୍ରଶାସନିକ ଅଧିକାରୀ ରହିଥିଲେ। ଆରାବଳୀ ପର୍ବତମାଳାର ସଂଜ୍ଞାକୁ କମିଟି ଭିନ୍ନ ଭାବେ ଉପସ୍ଥାପନ କରିଥିଲା। ଆରାବଳୀ ପର୍ବତମାଳାର ଛୋଟ ଛୋଟ ପର୍ବତକୁ ବାଦ ଦେବାକୁ କମିଟି ପରାମର୍ଶ ଦେବା ସହ ଖଣି ଖନନର ସୁପାରିସ କରିଥିଲା।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏଜି ମଶିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆରାବଳୀର ସୁରକ୍ଷାକୁ ନେଇ ନିଜ ଆଡ଼ୁ ଶୁଣାଣି କରିଛନ୍ତି। ଶୁଶାଣି ସହ ଖଣ୍ଡପୀଠ କେନ୍ଦ୍ର ଓ ଆରାବଳୀ ପର୍ବତ ରହିଥିବା ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ହରିୟାଣା ସରକାରଙ୍କୁ ନୋଟିସ କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆରାବଳୀ ପର୍ବତମାଳାକୁ ନେଇ ପୂର୍ବ କମିଟି ଦେଇଥିବା ରିପୋର୍ଟ କିମ୍ବା କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଗୋଟିଏ ନିରପେକ୍ଷ ଓ ସ୍ୱାଧୀନ ବିଶେଷଜ୍ଞ ମୂଲ୍ୟାଙ୍କନର ଆବଶ୍ୟକତା ରହିଛି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ଆରାବଳୀ ପର୍ବତମାଳାକୁ ୫୦୦ ମିଟର ବେଲ୍ଟ ମଧ୍ୟରେ ସୀମିତ ରଖିବା ପାଇଁ ହୋଇଥିବା ସୁପାରିସ ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ବିଶେଷଜ୍ଞ ଟିମର ପରାମର୍ଶ ଅଦାଲତଙ୍କୁ ଆବଶ୍ୟକ।
ବିଜ୍ଞାନ ଭିତ୍ତିକ ଓ ପରିବେଶ ବିଶେଷଜ୍ଞମାନେ ଭବିଷ୍ୟତ ନିଷ୍ପତ୍ତିକୁ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୨୧ରେ ହେବ ବୋଲି ଧାର୍ଯ୍ୟ ହୋଇଛି।
ନଭେମ୍ବର ୨୦ରେ ସୁପ୍ରିମକୋର୍ଟ(Supreme Court) କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସୁପାରିସକୁ ଗ୍ରହଣ କରି ନେଇଥିଲେ। ଏଥିରେ ଆରାବଳୀର କେବଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତା ଥିବା ପାହାଡ଼ଗୁଡ଼ିକୁ ଆରାବଳୀ ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ ବୋଲି କୁହାଯାଇଥିଲା। ଆରାବଳୀକୁ ନେଇ ଏହି ନୂଆ ନିର୍ଦ୍ଦେଶ ପରେ ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ-ଏନସିଆରରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ପରିବେଶବିତ ଓ ବିରୋଧୀ ଦଳଗୁଡ଼ିକର କହିବା କଥା ଯେ ଆରାବଳୀ ପର୍ବତମାଳାରୁ ଛୋଟ ପାହାଡ଼ଗୁଡ଼ିକୁ ବାଦ ଦେଇ ସରକାର ଖଣି ଖନନକୁ ପ୍ରୋତ୍ସାହିତ କରୁଛନ୍ତି ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି।
ବିବାଦ ବଢ଼ିବାରୁ କେନ୍ଦ୍ର ସରକାର ଡିସେମ୍ବର ୨୪ରେ ଆରାବଳୀ ଅଞ୍ଚଳରେ ନୂତନ ଖଣି ଲିଜ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ଆରାବଳୀ ପର୍ବତମାଳାରେ କୌଣସି ନୂତନ ଖଣି ଖନନ ଲିଜକୁ ଅନୁମୋଦନ ଦିଆଯିବ ନାହିଁ ବୋଲି କହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
