/odisha-reporter/media/post_attachments/uploadimage/library/16_9/16_9_0/IMAGE_1754297212.jpg)
Rahul Gandhi
କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୀବ୍ର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଗଲୱାନ ଘାଟି ବିବାଦ ସମୟରେ ଚାଇନା ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି ରାହୁଲଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ସୁପ୍ରିମକୋର୍ଟ।
ଭାରତର ୨ ହଜାର କିମି ଅଞ୍ଚଳକୁ ଚାଇନା ବଳପୂର୍ବକ ଦଖଲ କରି ନେଇଥିବା ରାହୁଲ ଗାନ୍ଧି କହିଥିବାରୁ ଏହାକୁ ସୁପ୍ରିମକୋର୍ଟ ନା ପସନ୍ଦ କରିଛନ୍ତି। ଜଣେ ସଚ୍ଚା ବା ପ୍ରକୃତ ଭାରତୀୟ କେବେ ହେଲେ ଏମିତି ବୟାନ ଦେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଉକ୍ତ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ କେସ୍ ଚାଲୁ ରଖିବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଅର୍ଥାତ ମାନହାନୀ କେସ୍ରୁ ରାହୁଲ ଗାନ୍ଧି ମୁକ୍ତି ପାଇଛନ୍ତି।
୨୦୨୨ ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିଥିଲେ ଯେ ଭାରତର ୨ ହଜାର ବର୍ଗ କିମି ଅଞ୍ଚଳକୁ ଚାଇନା ଦଖଲ କରି ନେଇଛି ଓ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାକୁ ଚାଇନିଜ ଯବାନମାନେ ମାଡ଼ ମାରି ଚାଲିଛନ୍ତି। ଏହି ବୟାନକୁ ନେଇ ବିବାଦ ଦେଖା ଯାଇଥିଲା। ରାହୁଲ ଗାନ୍ଧିଙ୍କ ନାଁରେ ମାନହାନୀ କେସ ହୋଇଥିଲା।
ଏହାକୁ ରାହୁଲ ଗାନ୍ଧିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ କହିଛନ୍ତି, “ଚାଇନିଜମାନେ ୨ ହଜାର କିମି ଅଞ୍ଚଳକୁ ଦଖଲ କରିନେଇଛନ୍ତି ବୋଲି ଆପଣ କେମିତି ଜାଣିଲେ? ଯଦି ଆପଣ ଜଣେ ସଚ୍ଚା ଭାରତୀୟ, ତା’ହେଲେ କେବେ ହେଲେ ଏମିତି କହି ନଥାଆନ୍ତେ। କ’ଣ ଆପଣ ସେଠାରେ ରହିଥିଲେ? କ’ଣ ଆପଣଙ୍କ ପାଖରେ ନିଜ ଦାବିକୁ ପ୍ରମାଣ କରିବା ପାଇଁ ଉପଯୁକ୍ତ ଦସ୍ତାବିଜ ରହିଛି?”
ରାହୁଲ ଗାନ୍ଧିଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ “ଯଦି ସେ ଏପରି ବୟାନ ଦେଇ ପାରିବେ ନାହିଁ କିମ୍ବା ପ୍ରଶ୍ନ କରିପାରିବେ ନାହିଁ, ତା’ହେଲେ ସେ କେମିତି ଜଣେ ବିରୋଧୀ ଦଳ ନେତା ହେଲେ?”
ଏହା ଶୁଣି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିଙ୍କ ଖଣ୍ଡପୀଠ ଆହୁରି ବରିକ୍ତ ପ୍ରକାଶ କରିଥିଲେ। ଜଷ୍ଟିସ ଦତ୍ତା ଏହାର ଜବାବରେ କହିଥିଲେ, “ଆପଣ ଜଣେ ବିରୋଧୀ ଦଳ ନେତା ହୋଇଥିବା ବେଳେ ବାହାରେ ଏପରି କଥା କାହିଁକି କହୁଛନ୍ତି? କାହିଁକି ଆପଣ ସଂସଦରେ ଏସବୁ ପ୍ରଶ୍ନ ପଚାରୁ ନାହାନ୍ତି?” ଏହାପରେ ରାହୁଲ ଗାନ୍ଧିଙ୍କ ଆବେଦନକୁ ଗ୍ରହଣ କରି ମାମଲାକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।
ବିବାଦୀୟ ବୟାନ ପାଇଁ ରାହୁଲଙ୍କୁ ସମନ କରାଯାଇଥିବା ବେଳେ ଏହାକୁ ସେ ଚ୍ୟାଲେଞ୍ଜ କରି ମେ’ ୨୯ରେ ଆହ୍ଲାବାଦ ହାଇକୋର୍ଟରେ ନିରାଶ ହୋଇଥିଲେ। ତାଙ୍କ ବିରୋଧରେ ଜାରି କରାଯାଇଥିବା ସମନ ଓ ଅପରାଧିକ ଅଭିଯୋଗକୁ ହାଇକୋର୍ଟ କାଏମ ରଖିଥିଲେ। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ରାହୁଲ ଗାନ୍ଧି ଏପରି ମାମଲାକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ ବାକ ସ୍ୱାଧୀନତାର ଅର୍ଥ ନୁହେଁ ଆର୍ମିକୁ ଅସମ୍ମାନ କରିବା।
ପୂରା ମାମଲାର ମୂଳ ଅଭିଯୋଗକାରୀ ହେଉଛନ୍ତି ଉଦୟ ଶଙ୍କର ଶ୍ରୀବାସ୍ତବ। ସେ ଅଭିଯୋଗ କରିଥିଲେ ଯେ ୨୦୨୨ ଡିସେମ୍ବର ମାସରେ ରାହୁଲ ଗାନ୍ଧି ଚାଇନାର ସହ ଭାରତର ସଂଘର୍ଷକୁ ନେଇ ସେନା ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି।
ଚାଇନିଜ ଜମି ଦଖଲକୁ ନେଇ କ’ଣ କହିଥିଲେ ରାହୁଲ ଗାନ୍ଧି?
ରାଜସ୍ଥାନରେ ୨୦୨୨ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଥିଲେ। ଚାଇନା ୨ ହଜାର କିମି ଭାରତୀୟ ଅଞ୍ଚଳକୁ ଦଖଲ କରିଥିବା ବେଳେ ଭାରତୀୟ ସେନାକୁ ନାଲି ଆଖି ଦେଖାଉଥିଲେ ହେଁ ବିଜେପି ଓ ପ୍ରଧାନମନ୍ତ୍ରୀ ନୀରବ ରହୁଥିବାରୁ ଏହା ଉପରେ ରାହୁଲ ପ୍ରଶ୍ନ କରିଥିଲେ।
ସେ କହିଥିଲେ, “ଲୋକମାନେ ଭାରତ ଯୋଡ଼ ଯାତ୍ରା ଠାରୁ ଆରମ୍ଭ କରି ଅଶୋକ ଗେହଲ ଓ ସଚିନ ପାଇଲଟଙ୍କ ସମ୍ପର୍କରେ ପଚାରିବେ। କିନ୍ତୁ ସେମାନେ କେବେ ହେଲେ ଚାଇନା ଦଖଲ କରିଥିବା ୨ ହଜାର କିମି ଅଞ୍ଚଳ, ୨୦ ଭାରତୀୟ ସୈନ୍ୟଙ୍କୁ ହତ୍ୟା ଓ ଅରୁଣାଚଳ ପ୍ରଦେଶରେ ଆମ ଯବାନଙ୍କୁ ମାଡ଼ ମରାଯିବା ସମ୍ପର୍କରେ ପଦୁଟିଏ କହିବେ ନାହିଁ। ସେମାନଙ୍କୁ ଭାରତୀୟ ମିଡିଆ ମଧ୍ୟ ପ୍ରଶ୍ନ କରିବ ନାହିଁ। ଏହା କ’ଣ ସତ ନୁହେଁ? ପୂରା ଦେଶ ସବୁ କିଛି ଦେଖୁଛି। ଲୋକମାନେ କିଛି ଜାଣି ପାରୁ ନାହାନ୍ତି ବୋଲି ଭାବିବା ଭୁଲ।”
୨୦୨୩ ଜାନୁଆରୀରେ ରାହୁଲ ଜମ୍ମୁ-କଶ୍ମୀରରେ ଏହି ବୟାନକୁ ଦୋହରାଇଥିଲେ। ଜମି ଦଖଲ ସମ୍ପର୍କରେ ପୂର୍ବତନ ଆର୍ମି ଅଧିକାରୀମାନେ ନିଶ୍ଚିତ କରିଥିବା ସେ ଦାବି କରିଥିଲେ। ସେ କହିଥିଲେ, “ଭାରତର ପ୍ରଧାନମନ୍ତ୍ରୀ ଏକମାତ୍ର ବ୍ୟକ୍ତି ଯିଏ ଜଣାଇ ହେବାକୁ ଚେଷ୍ଟା କରୁଛନ୍ତି ଯେ ଚାଇନିଜମାନେ ଭାରତର କୌଣସି ଜମି ଦଖଲ କରି ନାହାନ୍ତି।
ନିକଟରେ ମୁଁ କିଛି ପୂର୍ବତନ ଆର୍ମି ଅଧିକାରୀ ଏପରି କି ଲଦାଖର ଗୋଟିଏ ପ୍ରତିନିଧୀ ମଣ୍ଡଳୀଙ୍କୁ ଭେଟିଥିଲି। ସେମାନେ ସ୍ପଷ୍ଟ ଭାବେ କହିଥିଲେ ଯେ ୨ ହଜାର ବର୍ଗ କିମି ଭାରତୀୟ ଅଞ୍ଚଳକୁ ଚାଇନା ନିଜ ଦଖଲକୁ ନେଇ ଯାଇଛି। ପୂର୍ବରୁ ଆମ ଅଧୀନରେ ଥିବା ଅନେକ ପ୍ୟାଟ୍ରୋଲିଂ ପଏଣ୍ଟ ଏବେ ସଂପୂର୍ଣ୍ଣ ଭାବେ ଚାଇନା ନିୟନ୍ତ୍ରଣରେ ରହିଛି।”
ଏହି ବୟାନ ପାଇଁ ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ହୋଇଥିଲା। ଗୋଟିଏ ଟ୍ରାଏଲ କୋର୍ଟ ଏନେଇ ରାହୁଲଙ୍କୁ ସମନ କରିଥିଲେ। ଏହାପରେ ରାହୁଲ ଏହା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ। ସେଠାରୁ ନିରାଶ ହୋଇ ସୁପ୍ରିମକୋର୍ଟ ପହଞ୍ଚିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
