Advertisment

Stray Dogs: ବୁଲା କୁକୁର ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିକୋର୍ଟ, ମୁଖ୍ୟ ସଚିବମାନଙ୍କୁ ହାଜର ନିର୍ଦ୍ଦେଶ

ତେଲଙ୍ଗାନା ଓ ବେଙ୍ଗଲକୁ ଛାଡ଼ି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ବ୍ୟକ୍ତିଗତ ଭାବେ ନଭେମ୍ବର ୩ ତାରିଖ ଦିନ ୧୦.୩୦ରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

SC

ବୁଲା କୁକୁର

Advertisment

ବୁଲା କୁକୁର ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦିନକୁ ଦିନ ବୁଲା କୁକୁରଙ୍କ ଆକ୍ରମଣ ବଢ଼ୁଥିବାରୁ ସେମାନଙ୍କୁ ଧରିବା, ବନ୍ଧ୍ୟାକରଣ କରିବା ଓ ଉପଯୁକ୍ତ ସ୍ଥାନରେ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ଅଗଷ୍ଟ ମାସରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ୨ ରାଜ୍ୟ ଓ ଦିଲ୍ଲୀ ଏମସିଡିକୁ ଛାଡ଼ି ଆଉ କେହି ବି କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ତଥ୍ୟ ସୁପ୍ରିମକୋର୍ଟ(Supreme Court)ରେ ଦାଖଲ କରି ନାହାନ୍ତି। ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶକୁ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଗାଲେଇ ଦେଇଛନ୍ତି। ତେଣୁ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। 

Advertisment

ଏଥିସହ ତେଲଙ୍ଗାନା ଓ ବେଙ୍ଗଲକୁ ଛାଡ଼ି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ବ୍ୟକ୍ତିଗତ ଭାବେ ନଭେମ୍ବର ୩ ତାରିଖ ଦିନ ୧୦.୩୦ରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ମାସର ନିର୍ଦ୍ଦେଶ ପରେ ମଧ୍ୟ ବୁଲା କୁକୁର(Stray Dogs)ଙ୍କ ଆତଙ୍କ କମି ନଥିବାରୁ ସର୍ବୋଚ୍ଚ ଅଦାଲତ ବିରକ୍ତ ପ୍ରକାଶ କରିଛନ୍ତି। 

ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ “ଏଯାଏ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ଜବାବ ଆସିଲା ନାହିଁ। ଆପଣଙ୍କ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଖରାପ କରି ଦେଖାଯାଉଛି। ଦେଶର ଛବି ମଳିନ ହେଉଛି। ୨ ମାସ ଗଲାଣି। ତଥାପି କୌଣସି ଜବାବ ନାହିଁ।”

Advertisment

ଖଣ୍ଡପୀଠ କହିଛନ୍ତି, “ଆପଣମାନେ କ’ଣ ଖବରକାଗଜ ପଢ଼ୁ ନାହାନ୍ତି? ଅଗଷ୍ଟ ୨୨ରେ ନିର୍ଦ୍ଦେଶ ଦିଆଯାଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିଲା। ଏବେ ଜବାବ ଦାଖଲ କରି ନଥିବା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ ଓ ବିଳମ୍ବର କାରଣ କହିବେ।”

ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ବେଙ୍ଗଲ, ତେଲଙ୍ଗାନା ଓ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ଜବାବ ଦାଖଲ କରିଥିଲେ। ତଥାପି ସେମାନେ ଜବାବ ଦାଖଲ କରିବା ବେଳେ ଦୀପାବଳି ବ୍ରେକ ଥିବାରୁ ସେଗୁଡ଼ିକ ରେକର୍ଡ ହୋଇନାହିଁ। ଦିଲ୍ଲୀ ସରକାର ଜବାବ ଦାଖଲ କରି ନଥିବାରୁ ଖଣ୍ଡପୀଠ ଆହୁରି ବିରକ୍ତ ହୋଇଛନ୍ତି। ଖଣ୍ଡପୀଠ କହିଛନ୍ତି, “ଏମସିଡି ଜବାବ ଦାଖଲ କରିଛି। କିନ୍ତୁ ଦିଲ୍ଲୀ ସରାକାର କାହିଁକି କରି ନାହାନ୍ତି?” 

ଆଡିସନାଲ ସଲିସିଟର ଜେନେରାଲ ଅର୍ଚ୍ଚନା ପାଠକ ଡାଭେଙ୍କୁ ଖଣ୍ଡପୀଠ କହିଛନ୍ତି, “କାହିଁକି ଏନସିଟି(ନ୍ୟାଶନାଲ କ୍ୟାପିଟାଲ ରିଜନ ଟେରିଟୋରୀ) ତା’ର ସତ୍ୟପାଠ ଦାଖଲ କରିନାହିଁ? ମୁଖ୍ୟ ଶାସନ ସଚିବ ଏହାର ଜବାବ ଧରି ଆସନ୍ତୁ। ନଚେତ ଜୋରିମାନା ଲାଗୁ କରାଯିବ କିମ୍ବା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।

 ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଆପଣଙ୍କ ଅଫିସରଙ୍କୁ ନୋଟିସ କରନ୍ତୁ। ଆପଣଙ୍କ ଅଫିସରମାନେ ଖବରକାଗଜ କିମ୍ବା ସୋଶାଲ ମିଡିଆ ଦେଖୁନାହାନ୍ତି? ସମସ୍ତେ ଏହାକୁ(ଅଗଷ୍ଟ ୨୨ ନିର୍ଦ୍ଦେଶ) ରିପୋର୍ଟ କରିଛନ୍ତି। ନଭେମ୍ବର ୩ରେ ସମସ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ। ନଚେତ ଆମେ ଅଡିଟୋରିୟମରେ କୋର୍ଟ କାର୍ଯ୍ୟ କରିବୁ।” 

ଅଗଷ୍ଟ ୨୨ରେ କ’ଣ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ? 

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅଗଷ୍ଟ ୮ରେ ଦେଇଥିବା ରାୟରେ ସାମାନ୍ୟ ସଂଶୋଧନ କରିଥିଲେ। ଦିଲ୍ଲୀ-ଏନସିଆରରେ ବୁଲୁ ଥିବା କୁକୁରମାନଙ୍କୁ ଧରି ତୁରନ୍ତ ଆଶ୍ରୟସ୍ଥଳକୁ ନେବାକୁ ଦେଇଥିବା ରାୟରେ ପରିବର୍ତ୍ତନ ହୋଇଥିଲା। ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ସଂଶୋଧିତ ରାୟରେ କହିଥିଲେ ଯେ ବୁଲା କୁକୁରମାନଙ୍କୁ ପୌର ପାଳିକାର ଅଧିକାରୀମାନେ ଧରିବା ସହ ବନ୍ଧ୍ୟାକରଣ ଓ ଟିକା ଦେବେ। ଏହାପରେ ସେମାନଙ୍କୁ ଯେଉଁ ସ୍ଥାନରୁ ଧରିଥିବେ, ସେଠାରେ ଛାଡ଼ିବେ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଲା କୁକୁରଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇ ପାରିବ ନାହିଁ। କିନ୍ତୁ ରୋଗ ଗ୍ରସ୍ତ ଓ କାମୁଡ଼ିବାକୁ ଗୋଡ଼ାଉଥିବା କୁକୁରମାନଙ୍କୁ ପୌର ପାଳିକା ସର୍ବସାଧାରଣରେ ଛାଡ଼ିବ ନାହିଁ। ସେମାନଙ୍କୁ ଅଲଗା ଆଶ୍ରୟସ୍ଥଳରେ ରଖାଯିବ। ଏହାବାଦ ବୁଲା କୁକୁରମାନଙ୍କୁ ତଥାକଥିତ ପଶୁପ୍ରେମୀମାନେ ସର୍ବସାଧାରଣରେ ଖାଇବାକୁ ଦେଇ ପାରିବେ ନାହିଁ। ସେମାନଙ୍କୁ କେବଳ ପୌରପାଳିକା ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ ଖାଇବାକୁ ଦିଆଯିବ। 

ଏହି ରାୟ କେବଳ ଦିଲ୍ଲୀ-ଏନସିଆର ନୁହେଁ, ବରଂ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ। ଏଥିପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ କରିଥିଲେ। 

Supreme Court Stray Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe