/odisha-reporter/media/post_attachments/uploadimage/library/16_9/16_9_0/SC_1747653364.jpg)
SC
ସ୍ଥଳ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେଶିଙ୍କ ସମ୍ପର୍କରେ ଅତ୍ୟନ୍ତ ଅପମାନଜନକ ଓ ଅଭଦ୍ର ଟିପ୍ପଣୀ କରିଥିବା ମଧ୍ୟପ୍ରଦେଶର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତାଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସେ ଦେଇଥିବା ବୟାନ ପାଇଁ ବିବାଦ ସୃଷ୍ଟି ହୋଇଥିବାରୁ ମନ୍ତ୍ରୀ ବିଜୟ ଶାହ କୋର୍ଟରେ କ୍ଷମା ମାଗିଥିଲେ। ହେଲେ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି। ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ି ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କ୍ଷମା ଆବେଦନ କୁମ୍ଭୀର କାନ୍ଦଣା। ବୟାନ ସଂପୂର୍ଣ୍ଣ ଭାବେ ଦାୟିତ୍ୱହୀନତାର ପରିଚୟ। ଏହାର ପରିଣାମ ଭୋଗିବାକୁ ପଡ଼ିବ।
ବିଜୟ ଶାହଙ୍କ ବୟାନ ପାଇଁ ରୁଜୁ ହୋଇଥିବା ଏଫଆଇଆରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗୋଟିଏ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସଆଇଟି ଗଠନ କରିଛନ୍ତି। ୩ ଜଣ ଆଇପିଏସ ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ ହେବ ଓ ଏଥିରେ ଅତି କମରେ ଜଣେ ମହିଳା ଅଧିକାରୀ ରହିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ମନ୍ତ୍ରୀଙ୍କ କ୍ଷମା ଆବେଦନର ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଆପଣ ଯେଉଁ ଧରଣର ଅଭଦ୍ର ଟିପ୍ପଣୀ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ଦାୟିତ୍ୱହୀନତାର ପରିଚୟ। କ’ଣ ପାଇଁ ଆପଣ ଦାୟିତ୍ୱବାନଙ୍କ ଭଳି ଆଚରଣ ପ୍ରଦର୍ଶନ କଲେ ନାହିଁ? ଆମର ଆପଣଙ୍କ କ୍ଷମା ଦରକାର ନାହିଁ। ଆଇନ ଅନୁସାରେ କେମିତି ଏହାକୁ ଡିଲ କରିବାକୁ ପଡ଼ିବ, ସେକଥା ଆମକୁ ବେଶ ଭଲ ଭାବେ ଜଣା।”
ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମନ୍ତ୍ରୀ ବିଜୟ ଶାହଙ୍କୁ ସମାଲୋଚନା କରି ଆହୁରି କହିଛନ୍ତି, “ଆମକୁ ଆପଣଙ୍କର କ୍ଷମା ଦରକାର ନାହିଁ। ଆପଣ ଜଣେ ସାର୍ବଜନୀନ ବ୍ୟକ୍ତି, ଜଣେ ଅନୁଭବୀ ରାଜନେତା। ଆପଣଙ୍କୁ ନିଜର ଶବ୍ଦ ଉପରେ ବିଚାର କରିବା ଉଚିତ। ଆପଣ ଅତ୍ୟନ୍ତ ଅପମାନଜନକ ଭାଷାର ବ୍ୟବହାର କରିବା ସ୍ଥିତିରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବ୍ୟବହାର କରି ନଥିଲେ। ଆପଣ ଖରାପ ଶବ୍ଦର ପ୍ରୟୋଗ କରିବାକୁ ଯାଉଥିଲେ। କିନ୍ତୁ ଆପଣଙ୍କୁ ଶବ୍ଦ ନ ମଳିବାରୁ ଆପଣ ଅଟକି ଯାଇଥିଲେ।
ଆପଣ ଏବେ କ୍ଷମା ମାଗିଛନ୍ତି। ଆପଣ କେଉଁ ଧରଣର କ୍ଷମା ଆବେଦନ କରିଛନ୍ତି? କ୍ଷମାର କିଛି ଅର୍ଥ ରହିଛି। ବେଳେବେଳେ ଲୋକମାନେ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ବିନମ୍ର ଭାଷାର ବ୍ୟବହାର କରି ଦିଅନ୍ତି। ବେଳେବେଳେ କୁମ୍ଭୀର କାନ୍ଦଣା ପ୍ରଦର୍ଶନ କରନ୍ତି। ଆପଣଙ୍କ କ୍ଷମା କେଉଁ ପ୍ରକାରର? ଆପଣ ଏହା ଦେଖାଇବାକୁ ଚାହୁଁଛନ୍ତି ଯେ କୋର୍ଟ କ୍ଷମା ମାଗିବାକୁ କହିଥିଲେ ତ ମୁଁ କ୍ଷମା ମାଗି ଦେଉଛି। ନିଜର ଅଭଦ୍ର ଟିପ୍ପଣୀ ପାଇଁ ଏଯାଏ ସଚ୍ଚୋଟତାର ସହ କ୍ଷମା ମାଗିବାକୁ ଆପଣଙ୍କୁ କିଏ ଅଟକାଇଥିଲା?”
ଖଣ୍ଡପୀଠ କହିଛନ୍ତି ଯେ ମନ୍ତ୍ରୀଙ୍କୁ ବେଶ ଯତ୍ନବାନର ଏହି ପ୍ରସଙ୍ଗକୁ ହ୍ୟାଣ୍ଡେଲ କରିବାର ଥିଲା। କାରଣ ଏହା ସଶସ୍ତ୍ର ବଳ ପାଇଁ ଗୋଟିଏ ଭାବାତ୍ମକ ପ୍ରସଙ୍ଗ ରହିଥିଲା। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମଙ୍ଗଳବାର ସକାଳ ସୁଦ୍ଧା ୩ ଜଣ ଆଇପିଏସ ଅଧିକାରୀଙ୍କୁ ନେଇ ଗୋଟିଏ ଏସଆଇଟି ଗଠନ ହୋଇଯିବା ଦରକାର। ଏସଆଇଟିରେ ଜଣେ ମହିଳା ଅଧିକାରୀ ରହିବେ ଓ ୨୮ ତାରିଖ ସୁଦ୍ଧ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବେ।
ସୁପ୍ରିମକୋର୍ଟ ଶ୍ରୀ ଶାହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି ସତ, କିନ୍ତୁ ନିଜର ବିବାଦୀୟ ବୟାନର ପରିମାଣ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ପ୍ରତିଶ୍ରୁତି ଦେଇ ସର୍ବୋଚ୍ଚ ଅଦାଲତ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି।
କର୍ଣ୍ଣେଲ କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସମସ୍ତ ସୂଚନା ଦେଇ ଚର୍ଚ୍ଚାକୁ ଆସିଥିଲେ। ଅପରେସନ ସିନ୍ଦୂର ସମ୍ପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଉଭୟ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଉପସ୍ଥିତ ରହୁଥିଲେ।
ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶାହ ମହୋରେ ଆୟୋଜିତ ଗୋଟିଏ ସାଂସ୍କୃତି କାର୍ଯକ୍ରମରେ ଅପରେସନ ସିନ୍ଦୂର ସମ୍ପର୍କରେ ମତ ରଖିଥିଲେ। ସେ ଅଧିକ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ପହଲଗାମ ନରସଂହାରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି, ସେକଥା ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ସେ କହିଥିଲେ ଯେ “ଆତଙ୍କବାଦୀମାନେ ଆମ ଭଉଣୀ ଓ ଝିଅମାନଙ୍କର ସିନ୍ଦୂର ପୋଛି ଦେଇଥିଲେ। ଏହାର ବଦଲା ନେବାକୁ ଆମେ ସେମାନଙ୍କ ଜଣେ ଭଉଣୀଙ୍କୁ ପଠାଇଥିଲୁ। ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ଉଲଗ୍ନ କରି ହତ୍ୟା କରିଥିଲେ। ଏହାପରେ ମୋଦିଜୀ ସେମାନଙ୍କ ଭଉଣୀକୁ ଏହାର ଜବାବ ଦେବାକୁ ପଠାଇଥିଲେ। ମୋଦିଜୀ ତ ସେମାନଙ୍କ ପୋଷକ ଖୋଲି ପାରିବେ ନାହିଁ, ତେଣୁ ତାଙ୍କରି ସଂପ୍ରଦାୟର ଜଣେ ଝିଅକୁ ଏହି କାମ ପାଇଁ ପଠାଇଥିଲେ।
ତୁମେମାନେ ଆମ ସଂପ୍ରଦାୟର ଭଉଣୀମାନଙ୍କୁ ବିଧବା ସଜାଇଥିଲ। ତେଣୁ ତୁମମାନଙ୍କ ସଂପ୍ରଦାୟର ଜଣେ ଝିଅ ତୁମାନଙ୍କୁ ଉଲଗ୍ନ କରିବ। ମୋଦିଜୀ ପ୍ରମାଣିତ କରି ଦେଲେ ଯେ ତୁମମାନଙ୍କ ଜାତିର ଝିଅମାନଙ୍କୁ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ପଠାଯାଇପାରେ।”
ମନ୍ତ୍ରୀ ଶାହ ଏପରି ବିବାଦୀୟ ଭାଷଣ ଦେବା ବେଳେ ସେଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାରୁକ, ବିଧାୟକ ଉଷା ଠାକୁର ଓ ଅନେକ ସ୍ଥାନୀୟ ବିଜେପି ନେତା ଉପସ୍ଥିତ ରହିଥିଲେ। ଶାହଙ୍କ ଏପରି ବୟାନକୁ ଆର୍ମି ଭେଟରାନ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ଶ୍ରୀ ଶାହଙ୍କ ବହିଷ୍କାର ଦାବି କରିଛନ୍ତି।
ପ୍ରଥମେ ନିଜ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ସଫେଇ ଦେଉଥିବା ଶାହ ପରବର୍ତ୍ତୀ ଅବସ୍ଥାରେ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗି କହିଛନ୍ତି, “କର୍ଣ୍ଣେଲ ସୋଫିୟା କ୍ୟୁରେଶି ମୋ ଉଭଣୀ ଠାରୁ ମଧ୍ୟ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଜାତି ଓ ସଂପ୍ରଦାୟରୁ ଉପରି ରହି ପ୍ରତିଶୋଧ ନେଇଛନ୍ତି। ଅପମାନିତ କରିବାକୁ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ ଥରେ ନୁହେଁ ବରଂ ୧୦ ଥର କ୍ଷମା ମାଗୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
