PM Modi
ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ପ୍ରସଙ୍ଗରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକମାନେ ଆଧାର କାର୍ଡକୁ ସ୍ଥାନୀୟ ବାସିନ୍ଦାର ପ୍ରମାଣ ଭାବେ ଉପସ୍ଥାପନ କରିପାରିବେ। ଆଧାର କାର୍ଡ ଜରିଆରେ ସେମାନେ ଭୋଟର ତାଲିକାରେ ନିଜ ନାଁକୁ ଯୋଡ଼ିବାକୁ ଆବେଦନ କରିପାରିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ଏସଆଇଆର ବେଳେ ନିର୍ବାଚନ କମିଶନ ସ୍ଥାନୀୟ ଭୋଟରର ପ୍ରମାଣ ଦେବାକୁ ମାଗୁଥିବା ୧୧ଟି ଦସ୍ତାବିଜ ମଧ୍ୟରେ ଆଧାର କାର୍ଡ ନଥିଲା। ଏହା ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣପତ୍ର ବୋଲି ନିର୍ବାଚନ କମିଶନ ଯୁକ୍ତି ରଖିଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରି ନାହାନ୍ତି। ୧୧ ଟିକିଆ ସରକାରୀ କାଗଜପତ୍ର ତାଲିକାରେ ଆଧାର କାର୍ଡକୁ ସାମିଲ କରିବାକୁ ଆଜି ନିର୍ବାଚନ କମିଶନଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଏସଆଇଆର ପରେ ପ୍ରସ୍ତୁତ ଡ୍ରାଫ୍ଟ ତାଲିକାରୁ ୬୫ ଲକ୍ଷ ଲୋକ ବାଦ ପଡ଼ିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ମାମଲା କୋର୍ଟରେ ପହଞ୍ଚିଥିଲା। ଆଧାର କାର୍ଡକୁ ସ୍ଥାନୀୟ ବାସିନ୍ଦାର ପ୍ରମାଣପତ୍ର ଭାବେ ବିବେଚନା କରିବାକୁ ବିରୋଧୀ ଦାବି କରିଥିଲେ। ଏହାକୁ ବେଖାତିର କରୁଥିଲେ ନିର୍ବାଚନ କମିଶନ। ହେଲେ ଆଜି ସୁପ୍ରିମକୋର୍ଟ ଆଧାରକୁ ସ୍ଥାନୀୟ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ କହିଛନ୍ତି।
୬୫ ଲକ୍ଷ ଲୋକଙ୍କ ନାଁ ବାଦ ପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକ ପ୍ରାଣ ହରାଇଥିବା ଓ ଡୁପ୍ଲିକେଟ ଭୋଟର ରହିଥିଲେ। ଏହାକୁ ବାଦ ଦେଇ ସୁପ୍ରିମକୋର୍ଟ ବାଦ ପଡ଼ିଥିବା ଭୋଟରଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ ହେବ ବୋଲି ଆକଳନ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବାଦ ପଡ଼ିଥିବା ଭୋଟରଙ୍କୁ ତୁରନ୍ତ ନିଜର ଆଧାର କାର୍ଡ ଦେଖାଇ ନାଁ ଯୋଡ଼ିବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି।
ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସେପ୍ଟେମ୍ବର ୧ ସୁଦ୍ଧା ସବୁ ଦସ୍ତାବିଜ କାମ ସାରିବାକୁ କହିଥିବା ବେଳେ ଏହା ଅନଲାଇନରେ ମଧ୍ୟ ସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବ୍ୟତୀତ ଜଷ୍ଟିସ ଜୟମଳୟ ବାଗଚି ମଧ୍ୟ ରହିଥିଲେ।
ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ବିହାରରେ ସକ୍ରିୟ ଥିବା ରାଜନୀତିକ ଦଳଗୁଡ଼ିକ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି। ରାଜନୀତିକ ଦଳଗୁଡ଼ିକ ଭୋଟର ରିଭିଜନକୁ ବିରୋଧ କରୁଥିବା ବେଳେ ସେମାନଙ୍କ ପାଇଁ ପାରମ୍ପରିକ ଭାବେ ଭୋଟ ଦେଉଥିବା ସଂପ୍ରଦାୟର ଲୋକଙ୍କୁ ତାଲିକାରୁ ବାଦ ଦେବା ପାଇଁ ଏପରି କରାଯାଉଥିବା ପ୍ରଚାର କରିଥିଲେ। ହେଲେ ସେମାନେ ନାଁ କଟିଥିବା ୬୫ ଲକ୍ଷ ଭୋଟରଙ୍କୁ କାହିଁକି ସହାୟତା କରି ନଥିଲେ ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହଁଛନ୍ତି।
କୋର୍ଟ କହିଛନ୍ତି, “ରାଜନୀତିକ ଦଳଗୁଡ଼ିକ ସେମାନଙ୍କ କାମ କରୁ ନାହାନ୍ତି। ବିହାରରେ ରାଜନୀତିକ ଦଳଗୁଡ଼ିକ କ’ଣ ସବୁ କରୁଛନ୍ତି, ତା’କୁ ଦେଖି ଆମେ ଚିକିତ। ଆପଣମାନଙ୍କ ବିଏଲଏ (ବୁଥ ସ୍ତରୀୟ ଏଜେଣ୍ଟ)ମାନେ କ’ଣ କରୁଛନ୍ତି? ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କୁ ସହାୟତା କରିବା କଥା।”
ଏତିକି ବେଳେ ଆଇନଜୀବୀ ବ୍ରିନ୍ଦା ଗ୍ରୋଭର କହିଥିଲେ ଯେ “ଏହି ସମସ୍ୟା ୬୫ ଲକ୍ଷ ଲୋକଙ୍କ ବାହାରେ।” କୋର୍ଟ ଜବାବରେ କହିଥିଲେ ଯେ “ଆମେ କିନ୍ତୁ ରାଜନୀତିକ ଦଳଗୁଡ଼ିକ ନିଷ୍କ୍ରିୟତାକୁ ଦେଖି ଆଶ୍ଚର୍ଯ୍ୟ। ସେମାନେ ବିଏଏଲମାନଙ୍କୁ ନିଯୁକ୍ତି କରିବା ପରେ କ’ଣ କରୁଛନ୍ତି? ରାଜନୀତିକ ଦଳ ଓ ଲୋକଙ୍କ ଭିତରେ ଏତେ ଦୂରତା କାହିଁକି? କ’ଣ ପାଇଁ ଭୋଟର ତାଲିକାରୁ ନାଁ ବାଦ ପଡ଼ିବା ଅଭିଯୋଗ ବ୍ୟକ୍ତିଗତ ଭାବେ ବିଧାୟକ ଓ ସାଂସଦମାନେ ଦାଖଲ କରିଥିଲେ? କାହିଁକି କୌଣସି ରାଜନୀତିକ ଦଳ ଅଭିଯୋଗ ଦାଖଲ କରି ନାହାନ୍ତି?”
ସୁପ୍ରିମକୋର୍ଟ ଏପରି ପ୍ରଶ୍ନ କରି ବିହାରରେ କାର୍ଯ୍ୟକ୍ଷମ ଥିବା ୧୨ଟି ଦଳକୁ ନୋଟିସ କରିଛନ୍ତି। ରାଜନୀତିକ ଦଳଗୁଡ଼ିକ ସେମାନଙ୍କ କର୍ମୀମାନଙ୍କୁ ସାଧାରଣ ଭୋଟରଙ୍କ ସହାୟତା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
କୋର୍ଟ କହିଛନ୍ତି, “ରାଜନୀତିକ ଦଳଗୁଡ଼ିକ ତୁଳନାରେ ଭୋଟରମାନେ ବେଶ ସଚେତନ।” ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୮ରେ ହେବ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1755859100.jpg)