/odisha-reporter/media/media_files/2026/02/19/freebies-2026-02-19-16-23-19.jpg)
representational image
ନିର୍ବାଚନ ଜିତିବା ପାଇଁ ବିଭିନ୍ନ ରାଜନୀତିକ ଦଳ ମଗଣା ଜିନିଷ ଓ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କ୍ଷମତାକୁ ଆସିବା ପରେ ବିଭିନ୍ନ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ମାଗଣାରେ ଜିନିଷ ଓ ସେବା ଯୋଗାଇ ଦେଉଛନ୍ତି। ତେବେ ଏହି ମାଗଣା ପରମ୍ପରାକୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ।
ଦାୟିତ୍ୱହୀନ ଫ୍ରିବିଜ ବା ମାଗଣା ଜିନିଷ ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ପକାଉଥିବା କହିବା ସହ ଏହାର ସମୟ ଓ ଆର୍ଥିକ ତର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜୁଳି ଜନିତ ସବସିଡି ପ୍ରସଙ୍ଗରେ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି।
କାହିଁକି ହଠାତ୍ ମାଗଣା ବିଜୁଳି ସେବା ଯୋଜନା ଲଞ୍ଚ କରାଗଲା ବୋଲି ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ବିଶେଷ ଭାବେ ପ୍ରଶ୍ନ କରିଛନ୍ତି। ତାମିଲନାଡୁ ସରକାରଙ୍କ ମାଗଣା ବଜୁଳି ଯୋଜନା ଯୋଗୁ ବିଜୁଳି ବଣ୍ଟନ କମ୍ପାନୀଗୁଡ଼ିକର ଟାରିଫ ଓ ବଜେଟ ବ୍ୟବସ୍ଥା ଦୋହଲି ଯାଇଥିବା ଅଭିଯୋଗ ହୋଇଛି।
ଶୁଣାଣି ବେଳେ କୋର୍ଟ(Supreme Court) କହିଛନ୍ତି ଯେ ଅନେକ ରାଜ୍ୟ ନିଅଣ୍ଟିଆ ରାଜସ୍ୱ ସ୍ଥିତି ଦେଇ ଗତି କରୁଛନ୍ତି। ଏପରି ସ୍ଥିତିରେ ସରକାର ବୀତ୍ତିୟ ଯୋଜନା ବିନା କେମିତି ବଡ଼ଧରଣର ସବସିଡି ପ୍ରତିଶ୍ରୁତିକୁ ପୂରଣ କରିବେ? ବିନା ଆକଳନ ଓ ଯାଞ୍ଚରେ ଏପରି ଘୋଷଣା ଦେଶର ଅର୍ଥନୀତିକ ବିକାଶରେ ବାଧା ସୃଷ୍ଟି କରିବ ବୋଲି ମଧ୍ୟ ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ହଠାତ ଜନକଲ୍ୟାଣ ଯୋଜନା ସବୁ ଘୋଷଣା ହେଉଛି। ଯଦି ସିଧାସଳଖ ନଗଦ ଟଙ୍କା ପଠାଇବା ଯୋଜନା ଲାଗୁ ହେବ, ତା’ହେଲେ ଲୋକମାନେ ଆଉ କାମ କରିବେ? ଯଦି ସରକାରମାନେ ମାଗଣା ଟଙ୍କା, ବିଜୁଳି ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେବେ, ତା’ହେଲେ ଏଥିପାଇଁ କିଏ ଖର୍ଚ୍ଚ କରିବ? ମାଗଣା ଜିନିଷ ଯୋଗାଣର ଚାପ ସ୍ୱତଃସ୍ଫୁତ୍ତ ଭାବେ ଟିକସଦାତାଙ୍କ ଉପରେ ହିଁ ପଡ଼ିବ।”
ଇଲେକ୍ଟ୍ରିସିଟୀ ସଂଶୋଧନ ଆଇନ ୨୦୨୪ର ରୁଲ ୨୩ରୁ ଚ୍ୟାଲେଞ୍ଜ କରି ତାମିଲନାଡୁ ବିଜୁଳି ବିତରଣ କମ୍ପାନୀ ଲିଃ କରିଥିବା ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମଳୟ ବାଗଚି ଓ ଷ୍ଟିସ ବିପୂଳ ପଞ୍ଚୋଲିଙ୍କ ଖଣ୍ଡପୀଠ ଏପରି କହିଛନ୍ତି।
ଖଣ୍ଡପୀଠଙ୍କ କହିବା କଥା ଯେ ଯଦି ସବସିଡି ବ୍ୟବସ୍ଥା ପୂର୍ବରୁ ଯୋଜନାବଦ୍ଧ ଭାବେ ଘୋଷଣା ହୋଇଥାଆନ୍ତା, ତା’ହେଲେ ବିତରଣ କମ୍ପାନୀ ସେହି ଅନୁସାରେ ଟାରିଫ ଯୋଜନା ଓ ନିଜର ଆର୍ଥିକ ପରିଚାଳନାର ବ୍ୟବସ୍ଥା କରିପାରିଥାଆନ୍ତା। କିନ୍ତୁ ନୀତି ସଂକ୍ରାନ୍ତ ହଠାତ ନିଷ୍ପତ୍ତି ପ୍ରାଧିକୃତ ପ୍ରକ୍ରିୟାରେ କେବଳ ବିଭ୍ରାଟ କରିଥାଏ।
Appellate Tribunal for Electricity ଓ ବିଜୁଳି ବିତରଣ କମ୍ପାନୀଗୁଡ଼ିକ ଦାୟିତ୍ୱ ହେଉଛି ଟାରିଫ ନିର୍ଦ୍ଧାରଣ କରିବା। ଶେଷ ସମୟରେ ଘୋଷଣା ହେଉଥିବା ସବସିଡି ଯୋଗୁ ସେମାନେ ମଧ୍ୟ ଉପଯୁକ୍ତ ବିଜୁଳି ଦର ନିର୍ଦ୍ଧାରଣ କରିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆର୍ଥିକ ସ୍ଥିରତା ରଖିବାକୁ ସେମାନେ ସକ୍ଷମ ହୁଅନ୍ତି ନାହିଁ।
ଦେଶରେ ଚାଲିଥିବା ବିଭିନ୍ନ ମାଗଣା ବ୍ୟବସ୍ଥା ଉପରେ ମତ ରଖି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ “ଏପରି ଢଙ୍ଗରେ ମାଗଣା ଜିନିଷ ବାଣ୍ଟିବା ନିଶ୍ଚିତ ଭାବେ ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି କରିପାରେ। ଯେଉଁମାନେ ଶିକ୍ଷା କିମ୍ବା ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ସରକାରଙ୍କ କାମ।
କିନ୍ତୁ ଯେଉଁମାନେ ମଉଜ ମସ୍ତି କରୁଛନ୍ତି ସେମାନେ ପ୍ରଥମେ ମାଗଣା ସେବାଗୁଡ଼ିକର ଲାଭ ଉଠାଉଛନ୍ତି। କ’ଣ ସରକାରମାନଙ୍କୁ ଏହା ଉପରେ ଧ୍ୟାନ ଦେବା କଥା ନୁହେଁ? ମାଗଣାରେ ବିଜୁଳି ମିଳୁଥିବା ଗୋଟିଏ ରାଜ୍ୟ ବିଷୟରେ ଆମେ ଜାଣିଛୁ। କିନ୍ତୁ ଆପଣ ଯେତେ ବଡ଼ ଜମିଦାର ହେଲେ ମଧ୍ୟ ଆପଣଙ୍କୁ ବିଜୁଳି ଚାଲୁ କରିବାକୁ ପଡ଼ିଥାଏ। ଯଦି ଆପଣଙ୍କୁ କୌଣସି ସୁବିଧାର ଆବଶ୍ୟକ ରହିଛି, ତା’ହେଲେ ସେଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏହା ଟିକସ ଦାତାଙ୍କ ଟଙ୍କା। ଆମେ ଏଠାରେ କେବଳ ତାମିଲନାଡୁ କଥା କହୁ ନାହୁଁ।”
ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ “ଆମେ ଏଠାରେ ପ୍ରଶ୍ନ କରିବାକୁ ଚାହୁଁଛି ଯେ ନିର୍ବାଚନର ଠିକ ପୂର୍ବରୁ କାହିଁକି ଯୋଜନା ସବୁ ଘୋଷଣା ହେଉଛି? ସମସ୍ତ ରାଜନୀତିକ ଦଳ, ସୋସିଓଲୋଜିଷ୍ଟ ଓ ବିଚାରଧାରା ସହ ଜଡ଼ିତ ଲୋକଙ୍କୁ ଏହା ଉପରେ ପୁର୍ନବିଚାର କରିବାର ଆବଶ୍ୟକ ରହିଛି। କେତେ ଦିନ ଏମିତି ଚାଲିବ?
ରାଜ୍ୟ ଗୁଡ଼ିକ କ୍ଷତିରେ ଚାଲୁଛନ୍ତି। ତଥାପି ମାଗଣାରେ ସେବା ଯୋଗା ଯାଉଛି। ଯଦି ଆପଣ ପ୍ରତିବର୍ଷ ଅଧିକ ୨୫% ରାଜସ୍ୱ ସଂଗ୍ରହ କରୁଛି, ତା’ହେଲେ ତା’କୁ ରାଜ୍ୟର ବିକାଶରେ ବ୍ୟବହାର କରୁ ନାହାନ୍ତି?”
ତାମିଲନାଡୁ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣିୟମଙ୍କୁ ସମ୍ବୋଧନ କରି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ପ୍ରଶ୍ନ କରିଛନ୍ତି ଯେ କ’ଣ ସରକାର ଦ୍ୱାରା ଏହି ପ୍ରକାରର ସବସିଡି ସଂପୂର୍ଣ୍ଣ ଭାବେ ଦିଆଯିବା ଲୋକଙ୍କ ସ୍ୱାର୍ଥ ସାଧାନ କରିବ? ଏହି ପ୍ରସଙ୍ଗ କେବଳ ତାମିଲନାଡୁରେ ସୀମିତ ନୁହେଁ, ବରଂ ମାଗଣା ଯୋଜନାର ରାଜନୀତିରୁ ଆସିଥିବା ସର୍ବଭାରତୀୟ ସ୍ଥିତି।
କେଉଁମାନେ ବିଜୁଳି ବିଲ ଦେଇ ପାରିବେ ଓ କେଉଁମାନେ ବଞ୍ଚିତ, ସେକଥା ଆଲୋଚନା ନ କରି ଯୋଜନାକୁ ଲାଗୁ କରି କେଉଁ ପ୍ରକାରର ନୀତିଗତ ସଂସ୍କୃତି ସୃଷ୍ଟି କରାଯାଉଛି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି।
ଦୁର୍ବଳ ଓ ବଞ୍ଚିତ ବର୍ଗର ଲୋକଙ୍କୁ ସହାୟତା କରିବା ରାଜ୍ୟର କର୍ତ୍ତବ୍ୟ ବୋଲି ସ୍ୱୀକାର କରି ସିଜେଆଇ ସତର୍କ କରାଇଛନ୍ତି ଯେ ସ୍ପଷ୍ଟ ମାନଦଣ୍ଡ ବିନା ଆଖିବୁଜା ଲାଭ ଦେବା ଭଳି ଯୋଜନା ପ୍ରଣୟନ କରିବା ଫାଇଦା ବଦଳରେ ତୁଷ୍ଟୀକରଣ ଦ୍ୱାରା ପ୍ରେରିତ ପଦକ୍ଷେପ ବୋଲି ବିବେଚନା ହେବ।
ଖଣ୍ଡପୀଠ କହିଛନ୍ତି ଯେ “ସର୍ବଭାରତୀୟ ସ୍ତରରେ ଆପଣ କେଉଁ ପ୍ରକାରର ସଂସ୍କୃତି ସୃଷ୍ଟି କରୁଛନ୍ତି। ଆପଣ ଯଦି ସକେଳେ ମାଗଣାରେ ଖାଇବାକୁ ଦେବେ, ଏହାପରେ ମାଗଣା ସାଇକେଲ, ମାଗଣା ବିଜୁଳି ଦେବ ଓ ଏହାପରେ ଏପରି ଏକ ସ୍ଥିତି ସୃଷ୍ଟି ହେବ, ଯେଉଁଥିରେ ଆପଣ ସିଧା ଲୋକଙ୍କୁ ଟଙ୍କା ପଠାଇବେ। ଥରେ ଏକଥା ଭାବନ୍ତୁ। ଲୋକମାନେ ଆଉ କାହିଁକି କାମ କରିବେ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
