Advertisment

ପୁଣି କର୍ଣ୍ଣାଟକା କଂଗ୍ରେସରେ କେଁ, ଏଥର ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମିଳିଲା ଚେତାବନୀ

କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଉପ ମୁଖ୍ୟମନ୍ତ୍ରୀ ପଦ ଜଣେ ଦଳିତଙ୍କୁ ନ ମିଳିବ, ତା’ହେଲେ ଏହାର ବିପରୀତ ପ୍ରତିକ୍ରିୟା ଦେଖାଯାଇପାରେ।

author-image
Hemant Lenka
 parameshwar

parameshwar

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିବା ବେଳେ ଏବେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳକୁ ମିଳିଛି ଚେତାବନୀ।

Advertisment

କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଉପ ମୁଖ୍ୟମନ୍ତ୍ରୀ ପଦ ଜଣେ ଦଳିତଙ୍କୁ ନ ମିଳିବ, ତା’ହେଲେ ଏହାର ବିପରୀତ ପ୍ରତିକ୍ରିୟା ଦେଖାଯାଇପାରେ। ଦଳର ସମସ୍ୟାକୁ ଆହୁରି ବଢ଼ିବ ବୋଲି ସେ ଖୋଲାଖୋଲି କହିଛନ୍ତି।

୭୧ ବର୍ଷୀୟ ପରମେଶ୍ୱର ହେଉଛନ୍ତି ଜଣେ ଦଳିତ। ଏଚଡି କୁମାରସ୍ୱାମୀଙ୍କ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବେଳେ ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ଥିଲେ। ସେ ୮ ବର୍ଷ ଯାଏ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ କାମ କରି ରେକର୍ଡ କରିଛନ୍ତି। ଏବେ ସେ ପୁଣି ଉପ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Advertisment

ଆଜି କଂଗ୍ରେସ ଦୀର୍ଘ ଦିନର ଆଲୋଚନା ଓ ବୈଠକ ପରେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରିଛି। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହାପରେ ହିଁ ଜି ପରମେଶ୍ୱରଙ୍କ ବୟାନ ସାମ୍ନାକୁ ଆସିଛି।

ହାଇକମାଣ୍ଡଙ୍କ କଥାରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଜିଦରୁ ଓହରିଥିଲେ। ଏହି ସମୟରେ ସେ ରାଜ୍ୟର ଏକମାତ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ ବୋଲି ସର୍ତ୍ତ ରଖିଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ପରମେଶ୍ୱର କହିଛନ୍ତି, “ଶିବକୁମାର ଯାହା ବି କହିଛନ୍ତି, ତାଙ୍କ ଦୃଷ୍ଟିରୁ ସେ ଠିକ କହିଛନ୍ତି।

କିନ୍ତୁ ହାଇକମାଣ୍ଡଙ୍କ ଆଭିମୁଖ୍ୟ ଏହା ଠାରୁ ଭିନ୍ନ ହେବା ଉଚିତ। ହାଇକମାଣ୍ଡ ସବୁ କିଛି ଚିନ୍ତା କରିବେ। ଉପ ମୁଖ୍ୟମନ୍ତ୍ରୀ ପଦ ନ ଦେଇ ହାଇକମାଣ୍ଡ ଦଳିତଙ୍କ ପ୍ରତି ଅନ୍ୟାୟ କରିଛନ୍ତି କି? ଦଳିତ ସଂପ୍ରଦାୟ କଂଗ୍ରେସ ହାଇକମାଣ୍ଡ ଠାରୁ ବହୁତ କିଛି ଆଶା ରଖିଛି। ଏହାକୁ ବୁଝି ବିଚାରି ଆମ ନେତୃବୃନ୍ଦଙ୍କୁ ନିଷ୍ପତ୍ତି ନେବାକୁ ହେବ।

ଯଦି ଏପରି ନ ହେବ, ସ୍ୱାଭାବିକ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇବ। ଏଥିପାଇଁ ମୋର କିଛି କହିବାର ଆବଶ୍ୟକ ନାହିଁ। ପଛରେ ଏହାକୁ ବୁଝିବା ଅପେକ୍ଷା, ଏବେଠାରୁ ସବୁ କିଛି କରି ଦେବା ଭଲ ହେବ। ନଚେତ ଦଳ ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ମୁଁ ସେମାନଙ୍କୁ ବୁଝିବା ପାଇଁ କହି ପାରିବି।”

ଉଭୟ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହେବାକୁ ସେ ଆଶା ରଖିଥିଲେ ମଧ୍ୟ ଜି ପରମେଶ୍ୱର କହିଛନ୍ତି।

ସେ କହିଛନ୍ତି, “ମୁଁ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲି। କିନ୍ତୁ ଆମକୁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଏବେ ମାନିବାକୁ ପଡ଼ିବ। ଦେଖାଯାଉ ଆଗାମୀ ଦିନରେ ସେମାନେ କ’ଣ ସବୁ କରୁଛନ୍ତି। ବର୍ତ୍ତମାନ ସମୟରେ ସେ ଦୁଇ ଜଣ ସମ୍ପର୍କରେ ସେମାନେ ଘୋଷଣା କରିଛନ୍ତି।

କ୍ୟାବିନେଟ ସଂପ୍ରସାର ବେଳେ ସେମାନେ କେମିତି ନ୍ୟାୟ କରୁଛନ୍ତି, ତା’କୁ ଅପେକ୍ଷା କରାଯାଇଛି। ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି। ସିଦ୍ଦରମୈୟା ଦ୍ୱିତୀୟ ଥର ପାଇଁ ଆମ ଦଳରୁ ମୁଖ୍ୟମନ୍ତ୍ରୀ ହେଉଛନ୍ତି।

ଆମେ ତାଙ୍କ ଠାରୁ ଭଲ ପ୍ରଶାସନିକ ଶାସନ ଚାହୁଁଛୁ। ଆମ ନିର୍ବାଚନୀ ଇସ୍ତାହାରରେ ଥିବା ପ୍ରତିଶ୍ରୁତିଗୁଡ଼ିକ ପାଇଁ ଲୋକଙ୍କ ଆଶା ଯଥେଷ୍ଟ ଅଧିକ ରହିଛି। ମୁଁ ଉକ୍ତ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଭଲ ଶାସନ ପାଇଁ ସେମାନେ ମଧ୍ୟ ଆମକୁ ବିଶ୍ୱାସକୁ ନେବେ ବୋଲି ଆଶା ରଖିଛି।”

ପରମେଶ୍ୱର ଟୁମକୁରୁ ଜିଲ୍ଲାର କୋରାଟାଗେରେ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ କର୍ଣ୍ଣାଟକା ପିସିସି ସଭାପତି ଥିବା ବେଳେ ୨୦୧୩ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ।

ସେତେବେଳେ ସେ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ବିଧାନ ପରିଷଦକୁ ଯାଇଥିଲେ ଓ ସିଦ୍ଦରମୈୟାଙ୍କ ୨୦୧୩ରୁ ୨୦୧୮ ସରକାରରେ ମନ୍ତ୍ରୀ ହୋଇଥିଲେ।

Congress Karnataka Karnataka Polls 2023