Advertisment

Madvi Hidma killed: କୁଖ୍ୟାତ ମାଓବାଦୀ ମାଡଭୀ ହିଡମାର ଖେଳ ଖତମ, ପତ୍ନୀ ସହ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା

ଏନକାଉଣ୍ଟର୍‌ରେ ହିଡମା ନିହତ ହେବା ମାଓବାଦୀ ସଂଗଠନ ପ୍ରତି ଶକ୍ତ ଝଟକା। ଏବେ ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଥିବା ବେଳେ ହିଡମାର ମୃତ୍ୟୁ ନକ୍ସଲବାଦର ଅଣ୍ଟା ଭାଙ୍ଗି ଦେଇଛି।

Hidma

ହିଡମା

Advertisment

କୁଖ୍ୟାତ ମାଓବାଦୀ(Maoist Killed) ମାଡଭୀ ହିଡମାର ସବୁ ଖେଳ ଶେଷ। ଏକାଧିକ ରାଜ୍ୟରେ ପୁଲିସ୍‌ର ନିଦ ହଜାଇ ଦେଇଥିବା ହିଡମାର ହୋଇଛି ଦି ଏଣ୍ଡ। ଦୀର୍ଘ ବର୍ଷ ହେଲାଣି ନକ୍ସଲ ସାମ୍ରାଜ୍ୟରେ ନିଜର ଦବଦବା ଜାରି ରଖିଥିବା ହିଡମା ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି।

Advertisment

ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ଉପରେ ୨୬ ଥର ଆକ୍ରମଣ କରିଥିବା ହିଡମା ଓ ତା’ର କିଛି ସାଥୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମରାଜ ଜିଲ୍ଲାରେ ଆଜି ହୋଇଥିବା ଏନକାଉଣ୍ଟରେ ଏଭଳି ସଫଳତା ମିଳିଛି।

ଆନ୍ଧ୍ର (Andhra Pradesh)-ଛତିଶଗଡ଼-ଓଡ଼ିଶା ସୀମାରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ସୂଚନା ପରେ ଆରମ୍ଭ ହୋଇଥିଲା ଅପରେସନ। ଏହି ସମୟରେ ମାରେଡୁମିଲ୍ଲି ଜଙ୍ଗଲ ନିକଟରେ ଆନ୍ଧ୍ର ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଭୟଙ୍କର ଗୁଳି ବିନିମୟ। ଏଥିରେ ହିଡମା ଓ ତା’ର ପତ୍ନୀ ସମେତ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏବେ ବି ଅପରେସନ ଜାରି ରହିଥିବାରୁ ଆଗକୁ ଆହୁରି ଅନେକ ମାଓବାଦୀଙ୍କ ମୃତଦେହ ମିଳିବାର ଆଶା ରହିଛି। 

Advertisment

ଆନ୍ଧ୍ର ପ୍ରଦେଶ ଡିଜିପି ହରିଶ କୁମାର ଗୁପ୍ତା କହିଛନ୍ତି ଯେ ଆଜି ସକାଳ ୬ଟାରୁ ୭ଟା ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଗୁଳି ବିନିମୟରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ ମାଓବାଦୀ ଲିଡର ରହିଛି। ଏବେ ଗୋଟିଏ ବଡ଼ଧରଣର କମ୍ବିଂ ଅପରେସନ ଜାରି ରହିଥିବା ସେ କହିଛନ୍ତି।

ଜିଲ୍ଲା ଏସ୍‌ପି ଅମିତ ବରଦର କହିଛନ୍ତି, ଏନକାଉଣ୍ଟର( Encounter)ରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ହିଡମା, ତା’ର ପତ୍ନୀ ରାଜେ ଓ ସେମାନଙ୍କ ବଡିଗାର୍ଡସ ରହିଛନ୍ତି। 

୧୯୮୧ରେ ମଧ୍ୟପ୍ରଦେଶରେ ଥିବା ସୁକମାରେ ଜନ୍ମ ଗ୍ରହଣ କରିଥିବା ହିଡ୍‌ମା ସମୟକ୍ରମେ ପିପୁଲ୍ସ ଲିବେରେସନ ଗରିଲା ଆର୍ମିର ନେତୃତ୍ୱ ନେଇଥିଲା। ସେ ସିପିଆଇ ମାଓବଦୀର କେନ୍ଦ୍ର କମିଟିରେ କନିଷ୍ଠ ସଦସ୍ୟ ଭାବେ ନିଜକୁ ସାମିଲ କରିବାକୁ ସକ୍ଷମ ହୋଇଥିଲା। ମାଓବାଦୀ କାର୍ଯ୍ୟକଳାପର ନିଷ୍ପତ୍ତି ଏହି କେନ୍ଦ୍ରୀୟ କମିଟି ନେଇଥାଏ। ସେ ବସ୍ତର ରିଜନର ଏକମାତ୍ର ଆଦିବାସୀ ସଦସ୍ୟ ଭାବେ କେନ୍ଦ୍ରୀୟ କମିଟିରେ ରହିଥିଲା। 

୪୩ ବର୍ଷୀୟ ହିଡମାର ମୁଣ୍ଡ ଉପରେ ୫୦ ଲକ୍ଷରୁ ୧ କୋଟି ଟଙ୍କା ଯାଏ ପୁରସ୍କାର ରହିଥିଲା। ତା’ ପତ୍ନୀ ରାଜେ ଓରଫ ରାଜାକ୍କା ମଧ୍ୟ ସବୁବେଳେ ତା’ ସହ ରହିଥାଏ। ଆଜି ଏନକାଉଣ୍ଟରରେ ରାଜେ ମଧ୍ୟ ନିହତ ହୋଇଛି। 

୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆଟାକ ଠାରୁ ଆରମ୍ଭ କରି ୨୦୧୩ ଝିରାମ ଘାଟିରେ ହୋଇଥିବା ଆମ୍ବୁସ ଭଳି ବଡ଼ବଡ଼ ନକ୍ସଲ ହମଲାରେ ହିଡମା ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଦାନ୍ତେୱାଡା ହମଲାରେ ୭୬ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୨୦୧୩ ଝିରାମ ଘାଟି ଆକ୍ରମଣରେ ୨୭ ଜଣଙ୍କ ଜୀବନ ଯାଇଥିଲା।

ମୃତକଙ୍କ ମଧ୍ୟରେ ଅନେକ କଂଗ୍ରେସ ନେତା ରହିଥିଲେ। ୨୦୨୧ ସୁକମା-ବିଜାପୁର ଆମ୍ବୁସରେ ମଧ୍ୟ ହିଡମା ସାମିଲ ଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। 

ଏବେ ଏନକାଉଣ୍ଟର୍‌ରେ ହିଡମା ନିହତ ହେବା ମାଓବାଦୀ ସଂଗଠନ ପ୍ରତି ଶକ୍ତ ଝଟକା। ଏବେ ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଥିବା ବେଳେ ହିଡମାର ମୃତ୍ୟୁ ନକ୍ସଲବାଦର ଅଣ୍ଟା ଭାଙ୍ଗି ଦେଇଛି। 

Andhra Pradesh Encounter Maoist Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe