/odisha-reporter/media/post_attachments/uploadimage/library/16_9/16_9_0/Sudhakara_1749121924.jpg)
Sudhakara
ଛତିଶଗଡ଼ର ବିଜାପୁର ଜିଲ୍ଲା ସ୍ଥିତ ନ୍ୟାଶନାଲ ପାର୍କରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ବଡ଼ ନକ୍ସଲ ନେତା ନିହତ ହୋଇଛନ୍ତି। ତାଙ୍କ ନାଁ ସୁଧାକର ଓରଫ ନର ସିଂହାଚଳମ। ସେ ନକ୍ସଲଙ୍କ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ସେ ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରରେ ସକ୍ରିୟ ଥିଲେ। ପୁଲିସ୍ର ମୋଷ୍ଟ ୱାଣ୍ଟେଡ ନକ୍ସଲ ତାଲିକାରେ ତାଙ୍କ ନାଁ ଥିଲା। ତାଙ୍କ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ବିଜାପୁର ଜାତୀୟ ଉଦ୍ୟାନରେ କିଛି ବରିଷ୍ଠ ନକ୍ସଲ କ୍ୟାଡର ଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ସମୟରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଉ ଏଥିରେ ନକ୍ସଲ ନେତା ସୁଧାକର ନିହତ ହୋଇଥିଲେ। ଘଟଣାସ୍ଥଳରୁ ସ୍ୱୟଂ ଚାଳିତ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରାୟ ୫୦ ଘଣ୍ଟାର ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ବିଜାପୁର ଜାତୀୟ ଉଦ୍ୟାନରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି।
ଏହା ପୂର୍ବରୁ ଗତ ମେ’ ମାସ ୨୧ ତାରିଖରେ ନକ୍ସଲଙ୍କ ଆଉ ଜଣେ ବଡ଼ ନେତା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ତାଙ୍କ ନାଁ ଥିଲା ବାସବାରାଜୁ ଓରଫ ନମ୍ବାଲା କେଶବ ରାଓ। ସେଦିନ ନାରାୟଣପୁର, ବିଜାପୁର ଓ ଦନ୍ତେୱାଡା ଆଦି ଜିଲ୍ଲାର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନଙ୍କ ମିଳିତ ଅପରେସନରେ ବାସବାରାଜୁଙ୍କ ସମେତ ୨୭ ଜଣ ନକ୍ସଲ ନିହତ ହୋଇଥିଲେ।
କେନ୍ଦ୍ରୀୟ ମାଓ ସଂଗଠନର ଅନ୍ୟତମ ତୁଙ୍ଗ ନେତା ଥିଲା ବାସବାରାଜୁ। ସିପିଆଇ ମାଓବାଦୀର ସେ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା। ନକ୍ସଲ ନେତା ଗଣପତିଙ୍କ ପରେ ୨୦୧୮ରୁ ସାଧାରଣ ସଂପାଦକ ଦାୟିତ୍ୱରେ ଥିଲା ବାସବାରାଜୁ।ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ବାସବାରାଜୁ ମୁଣ୍ଡରେ ଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି। ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସରକାରଙ୍କ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେଡ୍। ମାଓବାଦୀ କେନ୍ଦ୍ରୀୟ ସାମରିକ କମିଶନ (ସିଏମସି)ର ମୁଖ୍ୟ ଥିଲା ବାସବାରାଜୁ। ଗରିଲା ଯୁଦ୍ଧ, ସାମରିକ କୌଶଳ ଓ ଆଇଇଡି ପ୍ରସ୍ତୁତିରେ ବେଶ୍ ଦକ୍ଷ ଥିଲା ସେ। ଏକାଧିକ ବଡ଼ ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବାସବାରାଜୁ। ୨୦୧୦ ଦାନ୍ତେୱାଡ଼ା ହମଲା (୭୬ ସିଆରପିଏଫ୍ ଯବାନ ନିହତ), ୨୦୧୩ ଜୀରାମ ଘାଟି ହମଲା (ବହୁ ରାଜନେତାଙ୍କ ସହ ୨୭ ନିହତ), ୨୦୧୮ରେ ଆରାକୁର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟାରେ ତା’ର ସଂପୃକ୍ତି ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
