/odisha-reporter/media/post_attachments/uploadimage/library/16_9/16_9_0/wrestlers_1682341547.jpg)
wrestlers
ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରମାନେ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ଅଭିଯୋଗ ସତ୍ତ୍ୱେ ପୁଲିସ୍ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରୁ ନଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିବା ଭିନେଶ ଫୋଗଟ ମଧ୍ୟ ରହିଛନ୍ତି।
ସମ୍ବିଧାନର ଧାରା ୩୨ ଅନୁଯାୟୀ ଜଣେ ନାବାଳିକାଙ୍କ ସମେତ କିଛି ରେସଲର ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।
ଆବେଦନକାରୀ କହିଛନ୍ତି ଯେ ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲେ ହେଁ ଏଫଆଇଆର ରୁଜୁ କରିବାରେ ବିଳମ୍ବ କରାଯାଉଛି। ତେଣୁ ଏହାକୁ ତ୍ୱରାନ୍ୱିତ କରାଯାଉ ବୋଲି ସେମାନେ କହିଛନ୍ତି।
ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ୭ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ହେଲେ ପୁଲିସ୍ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।
ପୁଲିସ୍ ଏଫଆଇଆର ରୁଜୁ ନ କରିବାରୁ ଏପ୍ରିଲ ୨୩ରୁ ରେସଲରମାନେ ପୁଣି ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଭିନେଶ ଫୋଗଟଙ୍କ ଭଳି ଷ୍ଟାର ରେସଲର ଆନ୍ଦୋଳନରେ ବସିଛନ୍ତି।
ଏହାପୂର୍ବରୁ ଏହି ରେସଲରମାନେ ଜାନୁଆରୀ ମାସରେ ମଧ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ କ୍ରୀଡ଼ା ମନ୍ତ୍ରଣାଳୟ ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଥିଲା। ଆନ୍ଦୋଳନକାରୀଙ୍କ ସହ ବରିଷ୍ଠ ଅଧିକାରୀମାନେ କଥାବାର୍ତ୍ତା ମଧ୍ୟ ହୋଇଥିଲେ।
ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଆନ୍ଦୋଳନ ପ୍ରତ୍ୟାହାର ହେବାର ୩ ମାସ ବିତି ଯାଇଥିଲେ ମଧ୍ୟ ରେସଲରଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ତେଣୁ ସେମାନେ ପୁଣି ରବିବାର ଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
