/odisha-reporter/media/post_attachments/uploadimage/library/16_9/16_9_0/Lone_1731154101.jpg)
Lone
ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନଫରେନ୍ସରୁ ବିଧାୟକ ହୋଇଥିବା କୈସର ଜାମଶାଇଦ ଲୋନ ଏକଦା ଆତଙ୍କବାଦୀ ହେବାକୁ ଚାହୁଁଥିଲେ। ତେବେ ବ୍ୟବସ୍ଥା ଉପରେ ତାଙ୍କର ଭରସା ସୃଷ୍ଟି ହେବାରୁ ସେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇ ନଥିଲେ। ଜଣେ ଆର୍ମି ଅଧିକାରୀଙ୍କ ନିର୍ଯାତନା ଯୋଗୁ ସେ ଦିନେ ଆତଙ୍କବାଦୀ ହେବାକୁ ଚାହୁଁଥିଲେ। କିନ୍ତୁ ଏବେ ଲୋନ ବିଧାୟକ ହୋଇଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭାରେ ଉପ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରି ବିଧାୟକ ଲୋନ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି। ଯୁବାବସ୍ଥାରେ ସେ ଜଣେ ସେନା ଅଧିକାରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଯାଇଥିଲେ।
ଆତଙ୍କବାଦୀ ନିରୋଧ ଅପରେସନ ଜରିଆରେ ତାଙ୍କ ସହ ଅନେକ ପିଲାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏଥିଯୋଗୁ ସେ ଦିନେ ଆତଙ୍କବାଦୀ ହେବାକୁ ଚାହୁଁଥିବା ଲୋନ କହିଛନ୍ତି।
ଲୋଲାବରୁ ବୁଧାୟକ ହୋଇଥିବା ଲୋନ କହିଛନ୍ତି, “ମୁଁ ପ୍ରାୟ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଆମ ଅଞ୍ଚଳରେ ଆତଙ୍କବାଦ ନିରୋଧ ଅପରେସନ ହୋଇଥିଲା। ଏହି ସମୟରେ ମୋ ସହ ମୋଟ ୩୨ ଜଣ ପିଲାଙ୍କୁ ସେନା ଅଧିକାରୀମାନେ ଜେରା ପାଇଁ ନେଇ ଯାଇଥିଲେ। ଜେରା ବେଳେ ଜଣେ ସେନା ଅଧିକାରୀ ଆତଙ୍କବାଦୀ ହୋଇ ସାରିଥିବା ଜଣେ ଯୁବକ ବିଷୟରେ ପଚାରିଥିଲେ।
ଯୁବକ ଜଣକ ମୋ ଅଞ୍ଚଳରେ ରହୁଥିବାରୁ ମୁଁ ତା’କୁ ଜାଣିଥିବା କହିଥିଲି। ଏଥିପାଇଁ ମୋତେ ମାଡ଼ ମରାଯାଇଥିଲା। ଅପରେସନ ବେଳେ ଉକ୍ତ ଆତଙ୍କବାଦୀ ଉପସ୍ଥିତ ଥିଲା କି ମୋତେ ପୁଣି ପ୍ରଶ୍ନ କରାଯାଇଥିଲା। ମୁଁ ନାଁ କହିଥିଲି। ତଥାପି ମୋତେ ପ୍ରବଳ ମାଡ଼ ମିଳିଥିଲା।
ପରବର୍ତ୍ତୀ ଅବସ୍ଥାରେ ଆଉ ଜଣେ ବରିଷ୍ଠ ସେନା ଅଧିକାରୀ ଆମ ଘରେ ପହଞ୍ଚିଥିଲେ। ସେ ମୋତେ ବଡ଼ ହୋଇ କ’ଣ ହେବାକୁ ଚାହୁଁଥିବା ପ୍ରଶ୍ନ କରିଥିଲେ। ଏହାର ଜବାବରେ ମୁଁ ଆତଙ୍କବାଦୀ ହେବାକୁ ଚାହୁଁଥିବା କହିଥିଲେ। ସେ ମୋତେ କାରଣ ପଚାରିଥିଲେ।
ମୁଁ ତାଙ୍କୁ ମୋ ସହ ହୋଇଥିବା ନିର୍ଯାତନା ସମ୍ପର୍କରେ କହିଥିଲି। ଉକ୍ତ ସେନା ଅଧିକାରୀ ମୋତେ ସବୁ କଥା ଭଳ ଭାବେ ବୁଝାଇଥିଲେ। ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମଧ୍ୟ ତାଗିଦ କରିଥିଲେ। ଏହାକୁ ଦେଖିବା ପରେ ଓ ଉକ୍ତ ସେନା ଅଧିକାରୀଙ୍କ ସହ କଥା ହେବା ପରେ ବ୍ୟବସ୍ଥା ଉପରୁ ଉଠି ଯାଇଥିବା ଆସ୍ଥା ପୁଣି ସ୍ଥାପିତ ହୋଇଥିଲା।”
ଲୋନଙ୍କ କହିବା କଥା ଯେ ସେଦିନ ତାଙ୍କ ସହ ଯେଉଁ ୩୨ ଜଣଙ୍କୁ ଜେରା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨୭ ଜଣ ପରବର୍ତ୍ତୀ ଅବସ୍ଥାରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
