ଖସି ଯାଉଥିବା ପର୍ଯ୍ୟଟକ
କାର ଧରି ଆସିଲେ। ରେଷ୍ଟୁରାଣ୍ଟ ଭିତରେ ବେଶ ଷ୍ଟାଇଲରେ ପ୍ରବେଶ କଲେ। ଏହାପରେ ଗୋଟିଏ ପରେ ଗୋଟିଏ ଦାମୀ ଓ ସୁସ୍ୱାଦୁ ଖାଦ୍ୟ ଖାଇଲେ। ବିଶ୍ରାମ ନେବାକୁ ମଧ୍ୟ ପଛାଇଲେ ନାହିଁ। ଖାଇବା ପରେ ବିଲ୍ ୧୦,୯୦୦ ଟଙ୍କାର ଆସିଲା। ହେଲେ ଏହାକୁ ନ ଦେଇ ସେମାନେ ଖସି ଯିବାକୁ ଚେଷ୍ଟା କଲେ।
ନିଜର ଦାମୀ କାରରେ ବସି କିଛି ବାଟ ମଧ୍ୟ ଚାଲି ଯାଇଥିଲେ। ହେଲେ ଟ୍ରାଫିଜ ଜାମ ସେମାନଙ୍କ ସବୁ ଖେଳରେ ପାଣି ପକାଇ ଦେଇଛି। ଟ୍ରାଫିକ ଜାମ ଯୋଗୁ ରେଷ୍ଟୁରାଣ୍ଟର ମାଲିକ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି।
ଗୁଜରାଟ(Gujarat)ରୁ ରାଜସ୍ଥାନ(Rajasthan) ବୁଲିବାକୁ ଆସିଥିବା ୫ ଜଣ ପର୍ଯ୍ୟଟକ ଏପରି କାଣ୍ଡ ଘଟାଇ ଲୋକହସା ହୋଇଛନ୍ତି। ଜଣେ ମହିଳାଙ୍କ ସମେତ ୫ ଜଣ ଯୁବକ ଗୁଜରାଟରୁ କାର ଧରି ରାଜସ୍ଥାନକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ରାଜସ୍ଥାନର ମାଉଣ୍ଟ ଅବୁ ନିକଟସ୍ଥ ସିୟାବା ସ୍ଥିତ ହାପି ଡେ’ ହୋଟେଲକୁ ଯାଇଥିଲେ। ସେମାନେ ଏହାର ରେଷ୍ଟୁରାଣ୍ଟରେ ଗୋଟିଏ ପରେ ଗୋଟିଏ ସୁସ୍ୱାଦୁ ଖାଦ୍ୟର ଅର୍ଡର ଦେଇଥିଲେ। ସେସବୁ ମଗାଇ ୫ ଜଣ ଯାକ ମନଇଚ୍ଛା ଖାଇଥିଲେ। ହେଲେ ଖାଇବା ବିଲ ୧୦,୯୦୦ ଟଙ୍କା ହେବାରୁ ସେମାନେ ଏହାକୁ ପୈଠ ନ କରିବାକୁ ଖସି ଯିବାକୁ ଯୋଜନା କରିଥିଲେ।
ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଚକମା ଦେବାକୁ ସେମାନେ ସ୍କୁଲ ବେଳର ଫର୍ମୁଲାକୁ ଆପଣାଇ ଥିଲେ। ଜଣଙ୍କ ପରେ ଜଣେ ରେଷ୍ଟରୁମ ବ୍ରେକ ନାଁରେ ଖସିବା ଆରମ୍ଭ କରିଥିଲେ। ୫ ଜଣ ଯାକ ରେଷ୍ଟୁରାଣ୍ଟ ବାହାରକୁ କୌଶଳକ୍ରମେ ଆସିବା ସହ ଖସିଯିବାକୁ ଯୋଜନା କରିଥିଲେ। ସେମାନେ ରେଷ୍ଟରୁମ ବ୍ରେକ ନାଁରେ ବାହାରକୁ ଆସି ନିଜ କାରରେ ବସିଥିଲେ। ଏହାପରେ ସେଠାରୁ ସିଧା ଚମ୍ପଟ ମାରିଥିଲେ।
ହୋଟେଲ ମାଲିକ ଓ ୱେଟର ଏକଥା ଜାଣିବା ପରେ ପୁଲିସ୍କୁ ଖବର ଦେବା ସହ ସେମାନଙ୍କ ପିଛା କରିଥିଲେ। ସିସିଟିଭି ଫୁଟେଜରୁ ୫ ଗୁଜରାଟୀ ପର୍ଯ୍ୟଟକଙ୍କ ଅମ୍ବାଜୀ ଆଡ଼େ ଯାଉଥିବା ଜଣାପଡ଼ିଥିଲେ। ପୁଲିସ୍ ଓ ହୋଟେଲ କର୍ମଚାରୀ ସେହି ଦିଗରେ ଯାଇଥିଲେ।
ବେଶ କିଛି ବାଟ ଯିବା ପରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ଏଥିଯୋଗୁ ପଟିମାରି ଖସି ଯାଉଥିବା ଗୁଜରାଟୀ ପର୍ଯ୍ୟଟକ ଆଗକୁ ଯାଇ ପାରି ନଥିଲେ। ସେମାନେ ଟ୍ରାଫିକରେ ଅଟକି ଥିବା ବେଳେ ହୋଟେଲ କର୍ମଚାରୀ ଓ ପୁଲିସ୍ ସେଠାରେ ପହଞ୍ଚି ସେମାନଙ୍କୁ ଧରିଥିଲେ।
ପ୍ରଥମେ ମହିଳା ଜଣଙ୍କ ବିଭିନ୍ନ ଆଳ ଦେଖାଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ। ହେଲେ ମାଲିକ କୌଣସି କଥା ନ ଶୁଣିବାରୁ ସେ ନିଜର ଜଣେ ବନ୍ଧୁଙ୍କୁ ଫୋନ କରି ଅନଲାଇନରେ ଟଙ୍କା ମଗାଇଥିଲେ। ଏହି ଟଙ୍କା ହୋଟେଲ ମାଲିକଙ୍କ ପାଖରେ ପହଞ୍ଚିବା ପରେ ସେ ସମସ୍ତଙ୍କୁ ଛାଡ଼ିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/dine-2025-10-28-15-41-27.jpg)