Advertisment

ବରଦାନ ସାଜିଲା ଟ୍ରାଫିକ ଜାମ୍; ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲେ ଭୂମି

ଗତକାଲି ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhoomi and the crashed plane

Bhoomi and the crashed plane

ଟ୍ରାଫିକ୍ ଜାମ୍ ଯୋଗୁ ବିଳମ୍ବରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଭୂମି ଚୌହାନ। ଯେତେ ନେହୁରା ହେଲେ ମଧ୍ୟ ତାଙ୍କୁ ବୋର୍ଡିଂ ପାଇଁ ଅନୁମତି ଦେଇ ନଥିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ। ସେଥିପାଇଁ ସେ ଖୁବ୍ ବିରକ୍ତ ହୋଇଥିଲେ। କିନ୍ତୁ ଯେତେବେଳେ ସେ ବିମାନ ବନ୍ଦରରୁ ବାହାରୁ ଥିଲେ ସେତେବେଳେ ବିମାନ କ୍ରାଶ ହୋଇଯାଇଥିବା ଖବର ପାଇଥିଲେ। ଏହା ଶୁଣି ତାଙ୍କ ଶରୀର ଶୀତେଇ ଯାଇଥିଲା। ତାଙ୍କ ଗୋଡ଼ ଥରିଥିଲା। କିଛି ସମୟ ପାଇଁ ସେ ଜଡ଼ ପାଲଟି ଯାଇଥିଲେ। କାରଣ ସେହି ବିମାନରେ ସେ ଇଂଲଣ୍ଡ ଯିବାର ଥିଲା।

Advertisment

ଗତକାଲି ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିମାନ ବନ୍ଦରରେ ବିଳମ୍ବରେ ପହଞ୍ଚିବାରୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ ଭୂମି ଚୌହାନ। ଗତକାଲି ଅହମଦାବାଦ ସଡ଼କରେ ସାଂଘାତିକ ଟ୍ରାଫିକ ଜାମ୍‌ ତାଙ୍କ ପାଇଁ ବରଦାନ ସଦୃଶ ହୋଇଥିଲା। ଇଂଲଣ୍ଡ ଅଭିମୁଖେ ଯିବା ପାଇଁ ବିମାନ ସିନା ଧରିପାରିଲେ ନାହିଁ, କିନ୍ତୁ ଜୀବନ ବଞ୍ଚିଗଲା।

ଭୂମି ଚୌହାନ ସ୍ୱାମୀ ଓ ଏକମାତ୍ର ସନ୍ତାନ ସହିତ ଲଣ୍ଡନରେ ରହନ୍ତି। ଦୁଇ ବର୍ଷ ବ୍ୟବଧାନରେ ସେ ଭାରତ ଆସିଥିଲେ ଛୁଟି କାଟିବାକୁ। ନିଜ ସନ୍ତାନକୁ ଭରୁଚରେ ମା’ଙ୍କ ପାଖରେ ଛାଡ଼ି ସେ ଗତକାଲି ଫେରି ଯାଉଥିଲେ ଲଣ୍ଡନ। ଅପରାହ୍ନ ଗୋଟାଏ ୧୦ରେ ତାଙ୍କ ବିମାନ (ଏୟାର ଇଣ୍ଡିଆ ବିମାନ ୧୭୧) ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ଥିଲା। ସେଥିପାଇଁ ଦିନ ୧୨ଟା ୧୦ ସୁଦ୍ଧା ବୋର୍ଡିଂ ଶେଷ ହୋଇଥିଲା। କିନ୍ତୁ ଭରୁଚ ସ୍ଥିତ ନିଜ ମା’ଙ୍କ ଘରୁ ବିମାନ ବନ୍ଦର ଅଭିମୁଖେ ଯିବା ବେଳେ ଅହମଦାବାଦରେ ଟ୍ରାଫିକ ଜାମ୍‌ରେ ଫସି ଯାଇଥିଲେ ଭୂମି ଚୌହାନ। ତେଣୁ ସେ ବିମାନ ବନ୍ଦରରେ ପହଞ୍ଚିଲା ବେଳକୁ ୧୨ଟା ୨୦ ହୋଇସାରିଥିଲା। ତେଣୁ ତାଙ୍କୁ ଆଉ ବୋର୍ଡିଂ ପାଇଁ ଅନୁମତି ଦିଆଯାଇ ନଥିଲା। ବିମାନ ଉଡ଼ାଣ ଭରିବାକୁ ଆହୁରି ବେଶ୍ କିଛି ସମୟ ବାକି ଥିବାରୁ ତାଙ୍କୁ ବୋର୍ଡିଂ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ସେ ଶୀଘ୍ର ଶୀଘ୍ର ସମସ୍ତ ପ୍ରକ୍ରିୟା ଶେଷ କରି ଦେବେ ବୋଲି ମଧ୍ୟ କହିଥିଲେ। କିନ୍ତୁ ତାଙ୍କୁ ଆଉ ବୋର୍ଡିଂ ଅନୁମତି ମିଳି ନଥିଲା।

Advertisment

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମନାଇବାକୁ ସମସ୍ତ ପ୍ରକାର ଉଦ୍ୟମ ବ୍ୟର୍ଥ ହେବା ପରେ ଉଦାସ ଭୂମି ଚୌହାନ ସେଠାରେ କିଛି ସମୟ ବସିଥିଲେ। ସେ ବିମାନ ବନ୍ଦରରେ ଥିବା ବେଳେ ଏୟାର ଇଣ୍ଡିଆ ବିମାନ ୧୭୧ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା। ନିରାଶ ଭୂମି ଜିନିଷପତ୍ର ଧରି ପୁଣି ଘରକୁ ଫେରିଯିବାକୁ ବାହାରିଥିଲେ। ସେ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାର ନିକଟରେ ପହଞ୍ଚିଥିବା ବେଳେ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ କ୍ରାଶ ହୋଇଯାଇଥିବା ଖବର ପାଇଥିଲେ।

ଭୂମିଙ୍କ ମା’ କହିଛନ୍ତି, ସେ (ଭୂମି) ତା’ ଛୁଆକୁ ମୋ ପାଖରେ ଛାଡ଼ି ଏକୁଟିଆ ଲଣ୍ଡନ ଯାଉଥିଲା। ମୋ ଝିଅକୁ ବଞ୍ଚାଇ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ। ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇପାରିଛି। ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେ ସୁରକ୍ଷିତ ଭାବେ ଘରକୁ ଫେରି ଆସିଛି ଓ ଆମ ଗହଣରେ ଅଛି।

ଅହମଦାବାଦରେ ଗତକାଲି ହୋଇଥିବା ବିମାନ ଦୁର୍ଘଟଣାରେ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨୪୧ ଜଣ ବିମାନରେ ଥିଲେ। ସେହି ୨୪୧ ଜଣଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ୧୦ କ୍ରୁ ସଦସ୍ୟ ଥିଲେ। ବାକି ୨୪ ଜଣ ବାହାର ଲୋକ। ବିମାନଟି ଏକ ମେଡିକାଲ କଲେଜ ପରିସରରେ କ୍ରାଶ ହେବାରୁ ଏହି ୨୪ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତରୀ ଛାତ୍ର ଥିଲେ। ବିମାନ ଯାତ୍ରୀଙ୍କ ମଧ୍ୟରୁ କେବଳ ଜଣେ ବଞ୍ଚିଛନ୍ତି। ତାଙ୍କ ନାଁ ବିଶ୍ୱାସ କୁମାର ରମେଶ (୪୦)। ସେ ଜଣେ ବ୍ରିଟିଶ-ଭାରତୀୟ।