Advertisment

ଦେଶରେ ପ୍ରଥମ: ଝିଅରୁ ହୋଇଥିଲେ ପୁଅ, ଏବେ ହେଲେ ଗର୍ଭବତୀ

ଜହଦ ଝିଅ ରୂପେ ଜନ୍ମ ହୋଇଥିବା ବେଳେ ଲିଙ୍ଗ ପରିବର୍ତ୍ତନ ପରେ ପୁରୁଷ ପାଲଟି ଯାଇଥିଲେ। ଏବେ ତାଙ୍କ ଗର୍ଭରେ ବଢ଼ୁଛି ଶିଶୁ।

author-image
Niharika Rout
ଅଦ୍ୟତନ ହୋଇଛି
Ziya & Zahad

Ziya & Zahad

କୋଳକୁ ଛୁଆଟିଏ ଆସିଲେ ମା’ ଜୀବନର ପୂର୍ଣ୍ଣତା ଆସିଥାଏ। ହେଲେ ମା’ ବଦଳରେ ଯଦି ବାପା ଗର୍ଭରେ ପିଲାଟି ବଢ଼େ ତେବେ ତାକୁ କ’ଣ କହିବେ? ଏପରି ଏକ ଅଭୂତପୂର୍ବ ଘଟଣା କେରଳରେ ଘଟିଛି। କେରଳର  କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିଆ ଓ ଜହଦ ଏବେ ନିଜ ଘରକୁ ଆସିବାକୁ ଥିବା ନୂଆ ଅତିଥିକୁ ସ୍ୱାଗତ କରିବାକୁ ଅନାଇ ବସିଛନ୍ତି। ହେଲେ ଏଥିରେ ବ୍ୟତିକ୍ରମ ହେଉଛି ଜହଦ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ଗର୍ଭରେ ବଢ଼ୁଛି ଶିଶୁ। ଏପରି ଘଟଣା ଦେଶରେ ପ୍ରଥମ ବୋଲି ଜଣାଯାଇଛି। ତେଣୁ ନିଜେ ହିଁ ଶିଶୁଟିର ଉଭୟ ବାପା ଓ ମା’ ବୋଲି କହିଛନ୍ତି ଜହଦ। ଏହି ଘଟଣା ଏବେ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଜହଦ ଝିଅ ରୂପେ ଜନ୍ମ ହୋଇଥିବା ବେଳେ ଲିଙ୍ଗ ପରିବର୍ତ୍ତନ ପରେ ସେ ପୁରୁଷ ପାଲଟି ଯାଇଥିଲେ। ସେହିପରି ଜିଆ ପୁଅ ରୂପେ ଜନ୍ମ ହୋଇଥିଲେ ବି ପରବର୍ତ୍ତୀ ସମୟରେ ମହିଳା ହୋଇ ଯାଇଥିଲେ। ପରସ୍ପରକୁ ଭଲ ପାଉଥିବାରୁ ସମାଜର ଟାହିଟାପରା ସତ୍ତ୍ୱେ ଉଭୟ ଲିଙ୍ଗ ପରିବର୍ତ୍ତନ କରି ପରସ୍ପରଙ୍କୁ ବିବାହ କରିଥିଲେ। ଜିଆ ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି।

ବିବାହର କିଛି ବର୍ଷ ପରେ ଘରକୁ ଏକ କୁନି ଅତିଥି ଆଣିବାକୁ ଉଭୟଙ୍କ ମନ ବ୍ୟାକୁଳ ହେଲା। ତେଣୁ ଏକ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସ୍ଥିର କରି ଉଭୟ ଉଦ୍ୟମ ଆରମ୍ଭ କରିଦେଲେ। କିନ୍ତୁ ଉଭୟ ଟ୍ରାନ୍ସଜେଣ୍ଡର କପଲ୍‌ ହୋଇଥିବାରୁ ପୋଷ୍ୟ ଶିଶୁ ଗ୍ରହଣ କରିବା ସେମାନଙ୍କ ପାଇଁ କାଠିକର ପାଠ ହେଲା। ଏଥିନିମନ୍ତେ ସେମାନଙ୍କୁ ବହୁ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଲା।

Advertisment

ଶିଶୁଟିଏ ପାଇଁ ଦୀର୍ଘ ଦିନ ସଂଘର୍ଷ ପରେ ଉଭୟଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ଜହଦ ଜଟିଳ ଅସ୍ତ୍ରୋପଚାର କରି ଝିଅରୁ ପୁଅ ପାଲଟିଥିଲେ। ଅସ୍ତ୍ରୋପଚାର ସମୟରେ ଜହଦଙ୍କ ସ୍ତନକୁ ବାହାର କରି ଦିଆଯାଇଥିବା ବେଳେ ତାଙ୍କ ଗର୍ଭାଶୟ ତଥା ତତ୍‌ ସହିତ କିଛି ଆଭ୍ୟନ୍ତରୀଣ ଅଙ୍ଗକୁ ଶରୀରରୁ ବାହାର କରାଯାଇ ନ ଥିଲା। ତେଣୁ ସେ ଗର୍ଭବତୀ ହୋଇପାରିବେ ବୋଲି କହିବା ସହ ଗର୍ଭଧାରଣ ନିମନ୍ତେ ତାଙ୍କୁ ପ୍ରବର୍ତ୍ତାଇଲେ ଜିଆ।

ମାତ୍ର ସମାଜର କଟୁ କଥାକୁ ଡରି ପ୍ରଥମେ ଜହଦ ଏଥିନିମନ୍ତେ ରାଜି ହୋଇ ନ ଥିଲେ। କାରଣ ସେ ଜଣେ ପୁରୁଷ ହୋଇଥିବାରୁ ନିଜ ଗର୍ଭରେ ଶିଶୁ ଧରି କିପରି ଚଳପ୍ରଚଳ କରିବେ ସେଥିନିମନ୍ତେ ସେ ମାନସିକ ଭାବେ ପ୍ରସ୍ତୁତ ନ ଥିଲେ। କିନ୍ତୁ ଜିଆଙ୍କ ଖୁସି ତଥା ଭଲ ପାଇବା ପାଇଁ ନିଜ ଗର୍ଭରେ ଶିଶୁ ରଖି ତା’ର ପ୍ରସବ ନିମନ୍ତେ ହଁ ଭରିଥିଲେ ଜହଦ। ମା’ ହେବା ନିମନ୍ତେ ଜିଆଙ୍କ ଅହେତୁକ ଇଚ୍ଛା ଆଗରେ ସେ ନିଜର ସମସ୍ତ ଖୁସିକୁ ଜଳାଞ୍ଜଳି ଦେଇଥିବା କହିଛନ୍ତି ଜହଦ। ଏଥିନିମନ୍ତେ ସେ ନିଜକୁ ମାନସିକ ଭାବେ ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି।

ପାରସ୍ପରିକ ବୁଝାମଣା ପରେ ଉଭୟ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏହା ଏକ ବିରଳ ଘଟଣା ହୋଇଥିବା ବେଳେ ଜହଦଙ୍କ ଟ୍ରିଟମେଣ୍ଟ ପାଇଁ କୋଝିକୋଡ ମେଡିକାଲ କଲେଜ ପକ୍ଷରୁ ଡାକ୍ତରଙ୍କର ଏକ ଟିମ୍‌ ଗଠିତ ହେଲା। ଜହଦଙ୍କ ଚିକିତ୍ସା ଆରମ୍ଭ ହେବା ପରେ ସେ ଜିଆଙ୍କ ଔରସରୁ ଗର୍ଭବତୀ ହେଲେ। ଜିଆ ପୂର୍ବରୁ ପୁରୁଷ ଥିବା ବେଳେ ମେଡିକାଲ ସାଇନ୍ସର ଉପଯୋଗ କରି ତାଙ୍କ ଶୁକ୍ରାଣୁକୁ ଜହଦଙ୍କ ଗର୍ଭରେ ସ୍ଥାନିତ କରିଛନ୍ତି ଡାକ୍ତରୀ ଦଳ।

ଜହଦ ଏବେ ଗର୍ଭବତୀ ଥିବା ବେଳେ ଆସନ୍ତା ମାସ ୪ ତାରିଖରେ ନିଜ ପ୍ରଥମ ସନ୍ତାନର ସ୍ୱାଗତ କରିବାକୁ ଖୁବ୍‌ ବ୍ୟଗ୍ର ଅଛନ୍ତି। ଏପରିକି ସେ ହିଁ ଛୁଆର ମା’ ଓ ବାପା ବୋଲି ବି କହିଛନ୍ତି। ଛୁଆର ଲାଳନ ପାଳନ ନିମନ୍ତେ ଜହଦ ଓ ଜିଆ ପୂର୍ବରୁ ସବୁ ପ୍ଲାନିଂ କରି ସାରିଲେଣି। ଏପରିକି ଏଥିନିମନ୍ତେ ସେମାନେ ମିଲ୍କ ବ୍ୟାଙ୍କ ସହ ବି ଯୋଗାଯୋଗ କରିଛନ୍ତି। କାରଣ ଛୁଆ ଜନ୍ମ ହେବା ପରେ ତାକୁ ସେମାନେ ମିଲ୍କ ବ୍ୟାଙ୍କରୁ କ୍ଷୀର ଆଣି ଦେବାକୁ ସ୍ଥିର କରିଛନ୍ତି।

Human Interest