/odisha-reporter/media/post_attachments/uploadimage/library/16_9/16_9_0/MLA_1756112733.jpg)
MLA
ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆଜି କରିଥିବା ରେଡ ବେଳେ ସାଂଘାତିକ ଘଟଣା ଘଟିଛି। ଇଡି ରେଡରେ ଛାନିଆ ହୋଇ ଖସି ଯିବାକୁ ଉଦ୍ୟମ କରିଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ବିଧାୟକ ଜୀବନ କୃଷ୍ଣ ସାହା। ଇଡି ଅଧିକାରୀଙ୍କୁ ଦେଖି ସେ ନିଜ ଘରୁ କାନ୍ଥ ଡେଇଁ ଖସିଯିବାକୁ ଉଦ୍ୟମ କରିବା ସହ ମୋବାଇଲ ଫୋନକୁ ସ୍ଥାନୀୟ ଗୋଟିଏ ବୁଦାରେ ଫିଙ୍ଗି ଦେଇଥିଲେ। ହେଲେ ତାଙ୍କର ସବୁ ଯୋଜନା ଫେଲ ମାରିଛି। ତାଙ୍କୁ ଇଡିର ଅଧିକାରୀମାନେ ଗିରଫ କରିଛନ୍ତି।
ଇଡିର ଅଧିକାରୀମାନେ ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅନ୍ତର୍ଗତ ବୁରୱାନ ସ୍ଥିତ ବିଧାୟକ ଜୀବନ କୃଷ୍ଣଙ୍କ ବାସଭବନରେ ରେଡ କରିବା ସମୟରେ ଏପରି ଘଟଣା ଘଟିଛି। ବିଧାୟକ ଜୀବନ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଇଡି ଅଧିକାରୀମାନେ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏଥିସହ ସେ ବୁଦା ମୂଳରେ ଫିଙ୍ଗିଥିବା ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି।
୨୦୨୩ରେ ମଧ୍ୟ ଟିଏମସିର ଏହି ବିଧାୟକ ଜଣଙ୍କ ସିବିଆଇ ରେଡ ବେଳେ ନିଜର ଦୁଇଟି ଯାକ ଫୋନକୁ ଗୋଟିଏ ପୋଖରୀକୁ ଫିଙ୍ଗି ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏମିତି କରିଥିଲେ। ଏବେ ଇଡି ତାଙ୍କ ବାସଭବନରେ ରେଡ କରିବା ବେଳେ ବି ସେ ଫୋନକୁ ବୁଦା ମୂଳରେ ଫିଙ୍ଗି ସମସ୍ତଙ୍କୁ ଚକମା ଦେବାକୁ ଚେଷ୍ଟା କରିଥିଲେ।
ଏସଏସ୍ସି ନିଯୁକ୍ତି ମାମଲାରେ ସୋମବାର ଇଡି ପକ୍ଷରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରେଡ ଆରମ୍ଭ କରାଯାଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ରେଡ ଚାଲିଛି। ଏକାଧିକ ଇଡି ଟିମ ମୁର୍ଶିଦାବାଦ ଓ ବୀରଭୂମି ଜିଲ୍ଲାକୁ ଯାଇଛନ୍ତି। ବିଧାୟକଙ୍କ ଜୀବନଙ୍କ ବାସଭବନ ବ୍ୟତୀତ ତାଙ୍କ ଶ୍ୱଶୁର ଘର ଭିତରେ ମଧ୍ୟ ଇଡି ପକ୍ଷରୁ ଛାନଭିନ କରାଯାଇଛି।
ଅତିରିକ୍ତ ଭାବେ କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ଟିଏମସି କାଉନସିଲର ମାୟା ସାହାଙ୍କ ଘରେ ମଧ୍ୟ ରେଡ କରିଛନ୍ତି। ମାୟା ହେଉଛନ୍ତି ବୀରଭୂମି ଜିଲ୍ଲାର ସୈନଥିଆ ଅନ୍ତର୍ଗତ ୱାର୍ଡ ନମ୍ବର ୯ର କାଉନସିଲର। ଏଥିସହ ବିଧାୟକଙ୍କ ଜୀବନଙ୍କ ମାଉସୀ ହେଉଛନ୍ତି ମାୟା। ତେଣୁ ଜୀବନଙ୍କ ଲିଙ୍କରେ ମାୟାଙ୍କ ଠିକଣାରେ ବି ରେଡ ହୋଇଛି।
ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳକୁ ଧରି ଇଡି ଅଧିକାରୀମାନେ ଦୁଇଟି ଗାଡ଼ିରେ ବିଧାୟକଙ୍କ ଜୀବନଙ୍କ ବାସଭବନରେ ପହଞ୍ଚିଥିଲେ। ଗୋଟିଏ ଗାଡ଼ିରେ ଇଡିର ଅଧିକାରୀ ଓ ଅନ୍ୟ ଗାଡ଼ିରେ ସିଆରପିଏଫ ଯବାନ ରହିଥିଲେ। ଯବାନମାନେ ପୂରା ଘରକୁ ଘେରାବନ୍ଦୀ କରିବା ପରେ ୫ ଜଣିଆ ଇଡି ଟିମ ଭିତରକୁ ଯାଇଥିଲେ।
ଘରର ଗେଟ ପାଖରେ ଇଡି ଅଧିକାରୀଙ୍କୁ ଦେଖି ବିଧାୟକ ଜୀବନ ପଛ ପାଖ କାନ୍ଥ ଡେଇଁ ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସିଆରପିଏଫ ଯବାନମାନେ ତାଙ୍କୁ ଅଟକାଇ ଦେଇଥିଲେ। ଏତିକି ବେଳେ ସେ ନିଜର ମୋବାଇଲକୁ ଗୋଟିଏ ବୁଦାକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଏହି ଫୋନକୁ ଠାବ କରି ଜବତ କରାଯାଇଛି। ଏହାପରେ ବିଧାୟକ ଜୀବନଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟର ଜେରା ପରେ ଗିରଫ ହୋଇଛନ୍ତି ବିଧାୟକ ଜୀବନ।
ଏସଏସସି ନିଯୁକ୍ତି ମାମଲାରେ ବିଧାୟକ ଜୀବନଙ୍କୁ ସିବିଆଇ ୨୦୨୩ ମସିହା ଏପ୍ରିଲ ୧୭ରେ ଗିରଫ କରିଥିଲା। ଏହାପୂର୍ବରୁ ହୋଇଥିବା ରେଡ ବେଳେ ସେ ନିଜର ଦୁଇଟି ଯାକ ମୋବାଇଲକୁ ପୋଖରୀକୁ ଫିଙ୍ଗି ଦେଇଥିଲେ। ତେବେ ଦୀର୍ଘ ସମୟର ସର୍ଚ୍ଚ ଅପରେସନ ଓ ପୋଖରୀରୁ ପାଣି ଶୁଖାଇ ସିବିଆଇ ଦୁଇଟି ଯାକ ମୋବାଇଲକୁ ଜବତ କରିଥିଲା।
ବିଧାୟକଙ୍କୁ ଦୀର୍ଘ ୧୩ ମାସ କାଳ ଜେଲରେ ରହିବାକୁ ପଡ଼ିଥିଲା। ଏହାପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏବେ ଇଡି ସମାନ ମାମଲାରେ ପୁଣି ବିଧାୟକ ଜୀବନଙ୍କୁ ଘାଣ୍ଟିବା ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
