Advertisment

Humayun Kabir: ବାବ୍ରୀ ମସଜିଦ ବୟାନ ପାଇଁ ବିଧାୟକଙ୍କୁ ନିଲମ୍ବିତ କଲା ଟିଏମସି

କବିରଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବେଶ କ୍ଷୁବ୍ଧ ହୋଇଥିଲେ। ଭରତପୁର ବିଧାୟକ କବିରଙ୍କ ମସଜିଦ ନିର୍ମାଣ ବୟାନ ସହ ମମତା କିମ୍ବା ଦଳ ଏକମତ ନୁହନ୍ତି ବୋଲି ଟିଏମସି ପକ୍ଷରୁ ସ୍ପଷ୍ଟ ଭାବେ ତାଙ୍କୁ ଜଣାଇ ଦିଆଯାଇଥିଲା।

author-image
Hemant Lenka
TMC

ନିଲମ୍ବିତ ଟିଏମସି ବିଧାୟକ

ମହଙ୍ଗା ପଡ଼ିଛି ବାବ୍ରୀ ମସଜିଦ ପ୍ରତିକୃତି ବୟାନ। ବାବ୍ରୀ ମସଜିଦ ବୟାନ ପାଇଁ ବିଧାୟକ ହିମାୟୁନ କବିରଙ୍କୁ ଆଜି ଟିଏମସି(TMC) ପକ୍ଷରୁ ନିଲମ୍ବିତ କରାଯାଇଛି। ମୁର୍ଶିଦାବାଦର ବେଲଡଙ୍ଗାରେ ସେ ବାବ୍ରୀ ମସଜିଦ ପ୍ରତିକୃତି ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ବୋଲି କରିଥିଲେ। ତାଙ୍କର ଏପରି ବୟାନ ବିବାଦ ସୃଷ୍ଟି କରିଥିବାରୁ ଆଜି ଟିଏମସି ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

କୋଲକାତା ମେୟର ଫିରହାଦ ହାକିମଙ୍କ କହିବା କଥା ଯେ ଟିଏମସି ସବୁବେଳେ ଧର୍ମନିରପେକ୍ଷ ଥିଓରୀ ଉପରେ ବିଶ୍ୱାସ ରଖେ ଓ ଦଳ କବିରଙ୍କ ବୟାନ ସହ ଆଦୌ ଏକମତ ନୁହେଁ।

ସେ କହିଛନ୍ତି, “ମୁର୍ଶିଦାବାଦର ଆମର ଜଣେ ବିଧାୟକ ହଠାତ୍‌ ବାବ୍ରୀ ମସଜିଦ ତିଆରି କରିବେ ବୋଲି ବୟାନ ଦେବା ପରେ ଆମେ ନୋଟିସ କରିଥିଲୁ। କାହିଁକି ହଠାତ୍‌ ବାବ୍ରୀ ମସଜିଦ? ଆମେ ତାଙ୍କୁ ସତର୍କ କରାଇଥିଲୁ। ଆମେ ଧର୍ମନିରପେକ୍ଷ ଥିଓରୀରେ ବିଶ୍ୱାସ କରୁ। ଦଳର ନିଷ୍ପତ୍ତି ଅନୁସାରେ ଆମେ ବିଧାୟକ ହିମାୟୁନ କବିରଙ୍କୁ ନିଲମ୍ବିତ କରିଛୁ।” 

Advertisment

କବିରଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବେଶ କ୍ଷୁବ୍ଧ ହୋଇଥିଲେ। ଭରତପୁର ବିଧାୟକ କବିରଙ୍କ ମସଜିଦ ନିର୍ମାଣ ବୟାନ ସହ ମମତା କିମ୍ବା ଦଳ ଏକମତ ନୁହନ୍ତି ବୋଲି ଟିଏମସି ପକ୍ଷରୁ ସ୍ପଷ୍ଟ ଭାବେ ତାଙ୍କୁ ଜଣାଇ ଦିଆଯାଇଥିଲା।

ନିଲମ୍ବିତ ହୋଇଥିବା କବିରଙ୍କୁ ଏସଆଇଆର ବିରୋଧରେ ମମତା ମୁର୍ଶିଦାବାଦରେ କରୁଥିବା ରାଲିରୁ ବାଦ ଦିଆଯାଇଛି। ତାଙ୍କୁ ମମତାଙ୍କ ରାଲିରେ ସାମିଲ ନ ହେବାକୁ ସକାଳୁ ହିଁ ଟିଏମସି ପକ୍ଷରୁ ଅବଗତ କରି ଦିଆଯାଇଥିଲା। 

କବିରଙ୍କ ବୟାନକୁ ନେଇ ପଶ୍ଚିମବଙ୍ଗ ଉପ ରାଜ୍ୟପାଳ ଆନନ୍ଦ ବୋଷ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଯଦି କବିରଙ୍କ ବୟାନ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରୁଛି, ତା’ହେଲେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। 

କବିର ଡିସେମ୍ବର ୬ରେ ବାବ୍ରୀ ମସଜିଦ ପ୍ରତିକୃତି ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ବୋଲି କହିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଅନୁମତି ମିଳିନାହିଁ। ତଥାପି ମୁର୍ଶିଦାବାଦର ପ୍ରଶାସନ ହାଇ ଆଲର୍ଟରେ ରହିଛି।

ଏସବୁ ଭିତରେ ଟିଏମସିର ଜଣେ ଜିଲ୍ଲା ସ୍ତରୀୟ ନେତା କହିଛନ୍ତି ଯେ କବିର କେବଳ ଡ୍ରାମା କରୁଛନ୍ତି। ସେ ମୁର୍ଶିଦାବାଦର ରେଜିନଗର ଆସନରୁ ଟିକେଟ ହାତେଇବା ପାଇଁ ଟିଏମସି ଉପରେ ଚାପ ସୃଷ୍ଟି କରୁଛନ୍ତି। ଖାସ ଏହି କାରଣ ପାଇଁ ସେ ଏପରି ବୟାନ ଦେଇଛନ୍ତି। 

TMC