Advertisment

ଚା’ ପିଇବାକୁ ଅଟକିଥିଲେ ତେଜସ୍ୱୀ, କନଭୟ ଉପରେ ମାଡ଼ି ଗଲା ଟ୍ରକ୍‌

ତେଜସ୍ୱୀ ଯାଦବ ଚା ପିଇବା ପାଇଁ ଅଟକିବା କ୍ଷଣି ତାଙ୍କ କନଭୟକୁ ଟ୍ରକ୍‌ ଧକ୍କା ଦେଇଥିଲା।

Bihar

Bihar

Advertisment

ଆରଜେଡି ନେତା ତେଜସ୍ୱୀ ଯାଦବ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ବିହାରର ବୈଶାଳୀ ଜିଲ୍ଲାରେ ତାଙ୍କ କନଭୟ ଉପରେ ମାଡ଼ି ଯାଇଛି ଗୋଟିଏ ଦ୍ରୁତଗାମୀ ଟ୍ରକ୍‌। ଏଥିରେ ତେଜସ୍ୱୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କିନ୍ତୁ ତେଜସ୍ୱୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ରାତି ପ୍ରାୟ ୧୨.୩୦ରେ ପାଟନା-ମୁଜାଫରପୁର ଜାତୀୟ ରାଜପଥ ନିକଟ ଗୋରାଉଲ ଠାରେ ଏପରି ଘଟଣା ଘଟିଛି। ତେଜସ୍ୱୀ ଯାଦବ ଚା ପିଇବା ପାଇଁ ଅଟକିବା କ୍ଷଣି ତାଙ୍କ କନଭୟକୁ ଟ୍ରକ୍‌ ଧକ୍କା ଦେଇଥିଲା।

Advertisment

ଘଟଣା ସମ୍ପର୍କରେ ତେଜସ୍ୱୀ ଯାଦବ କହିଛନ୍ତି, “ଆମେ ମାଧେପୁରାରୁ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଅଧା ରାସ୍ତାରେ ଚା’ ପିଇବା ପାଇଁ ଅଟକି ଥିଲୁ। ଏହି ସମୟରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ନିୟନ୍ତ୍ରଣ ହରାଇ ମୋ ସାମ୍ନାରେ ୨ରୁ ୩ଟି ଗାଡ଼ିକୁ ଧକ୍କା ଦେଇଥିଲା। ଆମ ସୁରକ୍ଷାକର୍ମୀ ସେଠାରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କୁ ବି ଟ୍ରକ ଦେଇଛି। ପ୍ରାୟ ୨ରୁ ୩ ଜଣ ଆହତ ହୋଇଛନ୍ତି। ମୋ ଠାରୁ ମାତ୍ର ୫ ଫୁଟ ଦୂରରେ ଦୁର୍ଘଟଣା ଘଟିଥିଲା। ଯଦି ମୁଁ ସାମାନ୍ୟ ଆଗରେ ରହିଥାଆନ୍ତି, ତା’ହେଲେ ଟ୍ରକଟି ମୋତେ ମଧ୍ୟ ଧକ୍କା ଦେଇଥାଆନ୍ତା।”

ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଥିଲା। କିନ୍ତୁ ତାକୁ ନିକଟସ୍ଥ ଟୋଲା ପ୍ଲାଜା ନିକଟରେ ପୁଲିସ୍‌ ଧରିଥିଲା। ତେଜସ୍ୱୀ ଯାଦବ ଘଟଣା ପଛରେ ଯେଉଁମାନେ ରହିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ବୈଶାଳୀ ଏସ୍‌ପି ଲଳିତ ମୋହନ ଶର୍ମା କହିଛନ୍ତି, ଦୁର୍ଘଟଣାରେ ତେଜସ୍ୱୀ ଯାଦବଙ୍କ କନଭୟରେ ଥିବା ୨ ଜଣ ଓ ଜିଲ୍ଲା ପୁଲିସ୍‌ର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତୃତୀୟ କର୍ମଚାରୀଙ୍କୁ ହାଜିପୁର ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଡାକ୍ତରଙ୍କ କହିବା କଥା ଯେ ଆହତ ପୁଲିସ୍‌ କର୍ମଚାରୀମାନେ ବିପଦ ମୁକ୍ତ ରହିଛନ୍ତି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Tejashwi Yadav Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe