Advertisment

ପହଲଗାମ ଆକ୍ରମଣ: ୨ ଗିରଫ, ମିଳିଲା ୩ ଆତଙ୍କବାଦୀଙ୍କ ପରିଚୟ

୩ ଆତଙ୍କବାଦୀଙ୍କୁ ଆଶ୍ରୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ।

author-image
Jitendra Garnayak
ଅଦ୍ୟତନ ହୋଇଛି
Baisaran Valley

Baisaran Valley

ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ଦୁଇ ମାସ ପୂରିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ଯେଉଁମାନେ ଆକ୍ରମଣକାରୀଙ୍କ ପାଇଁ ଆଶ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇଥିବା ନେଇ ଅଭିଯୋଗ ହୋଇଛି। ଏହା ସହିତ ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।

Advertisment

ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର। ପହଲଗାମରେ ଯେଉଁ ତିନି ଆତଙ୍କବାଦୀ ଆକ୍ରମଣ କରିଥିଲେ, ସେମାନଙ୍କ ପରିଚୟ ସଂପର୍କରେ ସୂଚନା ଦେଇଛନ୍ତି ଏହି ଦୁଇ ଅଭିଯୁକ୍ତ। ଆତଙ୍କବାଦୀମାନେ ପାକିସ୍ତାନ ନାଗରିକ ଓ ସେମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ବୋଲି ଗିରଫ ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର ସ୍ପଷ୍ଟ କରିଛନ୍ତି ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

ଏନ୍‌ଆଇଏର ତଦନ୍ତରୁ ଜଣାପଡ଼ିଛି ଯେ ସବୁ କଥା ଜାଣିଥିଲେ ସୁଦ୍ଧା ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିଲେ ଓ ସେମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା କରିଥିଲେ। ଆକ୍ରମଣ ପୂର୍ବରୁ ସେମାନେ ଆତଙ୍କବାଦୀମାନଙ୍କୁ ହିଲ୍‌ ପାର୍କରେ ଏକ କୁଡ଼ିଆରେ ଆଶ୍ରୟ ଦେଇଥିଲେ। ଏହା ସହିତ ସେମାନଙ୍କ ଖାଇବାପିଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ।

Advertisment

ଏହି ଆତଙ୍କବାଦୀମାନେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରନ ଧର୍ମ ପଚାରି କେବଳ ହିନ୍ଦୁ ବ୍ୟକ୍ତିମାନଙ୍କୁ ଗୁଳି କରିଥିଲେ। ସେମାନେ ୨୬ ଜଣଙ୍କୁ ମାରିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଜଣେ ମୁସଲିମ ଥିଲେ। ସେ ସ୍ଥାନୀୟ ବ୍ୟକ୍ତି ଥିଲେ ଓ ଜଣେ ଆତଙ୍କବାଦୀଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ପ୍ରୟାସ କରି ପ୍ରାଣ ହରାଇଥିଲେ। ବାକି ସମସ୍ତେ ପର୍ଯ୍ୟଟକ ଥିଲେ।

ଏହି ଘଟଣା ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ବାଛି ବାଛି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ। ଏଥିରେ ପାଖାପାଖି ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପରେ ପାକିସ୍ତାନ ଡ୍ରୋନ୍ ଓ ମିସାଇଲରେ ଭାରତ ଉପରକୁ ଆକ୍ରମଣ କରିଥିଲା। ଭାରତ ଏହା ଜବାବ ଦେଇଥିଲା। ତେବେ ମେ’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ହୋଇଥିଲା।

Pahalgam