/odisha-reporter/media/media_files/2026/02/22/died-sisters-2026-02-22-14-42-56.jpg)
ବାହାଘରର କେଇ ଘଣ୍ଟା ପୂର୍ବରୁ ବିଷ ପିଇ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ଯୋଧପୁରରେ ଘଟିଛି ଏହି ଘଟଣା। ମୃତକମାନେ ହେଉଛନ୍ତି ଦୀପ ସିଂହଙ୍କ ଦୁଇ ଝିଅ ଶୋଭା (୨୫) ଓ ବିମଳା (୨୩)। ଦୁଇ ଭଉଣୀ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ।
ଶନିବାର (ଗତକାଲି) ସେମାନଙ୍କର ବାହାଘର ଥିଲା। ଦୁଇ ଭଉଣୀଙ୍କ ବାହାଘର ଗୋଟିଏ ଦିନରେ ଧାର୍ଯ୍ୟ ହୋଇଥିଲା। ହେଲେ ବାହାଘରର କିଛି ଘଣ୍ଟା ପୂର୍ବରୁ ଘଟିଲା ଦୁଃଖଦ ଘଟଣା।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶୋଭା ଓ ବିମଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରୁଛନ୍ତି ଶୋଭା ଓ ବିମଳାଙ୍କ ସଂପର୍କୀୟମାନେ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋରରେ ଦୁଇ ଭଉଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକେ ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ପରିବାର ଲୋକେ ମୃତଦେହ ଦୁଇଟିକୁ ଘରକୁ ନେଇ ଶବ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା ଓ ମୃତଦେହ ଦୁଇଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଶୋଭା ଓ ବିମଳାଙ୍କ ମାମୁ ଯଶୱନ୍ତ ସିଂହ ଏହି ଘଟଣା ପାଇଁ ସେମାନଙ୍କ ଘର ଲୋକ (ଶୋଭା ଓ ବିମଳାଙ୍କ ବାପାଙ୍କ ପରିବାରର ସଦସ୍ୟ)ଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଶୋଭା ଓ ବିମଳାଙ୍କ ବାହାଘର ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ଯେମିତି ହେଲେ ବାହା କରିବା ପାଇଁ ଦୀପ ସିଂହଙ୍କ ଉପରେ ସେମାନଙ୍କ ସାନ ଭାଇମାନେ ଚାପ ପକାଇଥିଲେ। ସେଥିପାଇଁ ଦୁଇ ଭଉଣୀ ଏଭଳି ପଦକ୍ଷେପ ନେଇଛନ୍ତି। ପୁଲିସ୍ କହିଛି ଯେ ଏହି ଅଭିଯୋଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।
ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
