ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଗୋଟିଏ ନୁହେଁ, ବରଂ କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ଦୁଇଟି ଦଳାଚକଟା ଘଟଣା ଘଟିଛି। ପ୍ରଥମ ଦଳାଚକଟା ଘଟଣା ସଙ୍ଗମ ସ୍ଥଳ ନିକଟରେ ହୋଇଥିଲା। ଏହାର କିଛି ଘଣ୍ଟା ପରେ ପ୍ରଥମ ଘଟଣାସ୍ଥଳରୁ ୨ କିମି ଦୂରରେ ଆଉ ଏକ ଦଳାଚକଟା ଘଟଣା ବୁଧବାର ଘଟିଥିଲା।
ଦ୍ୱିତୀୟ ଦଳାଚକଟା ଘଟଣା ଝୁସି ଠାରେ ଘଟିଥିବା ବେଳେ କେହି ବି ଏ ସମ୍ପର୍କରେ ଏଯାଏ ବିଧିବଦ୍ଧ ଭାବେ ମୁହଁ ଖୋଲି ନାହାନ୍ତି। କିନ୍ତୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜଣେ ଅଧିକାରୀ ଦ୍ୱିତୀୟ ଦଳାଚକଟା ଘଟଣାକୁ ସ୍ୱୀକାର କରିଛନ୍ତି। ଏଥିସହ ଦୁଇଟି ଯାକ ଦଳାଚକଟା ଘଟଣାରେ ମୋଟ ୩୦ ଜଣ ପ୍ରାଣ ହରାଇଥିବା ସେ କହିଛନ୍ତି।
ବୁଧବାର ଭୋର ପ୍ରାୟ ୨ଟା ବେଳେ ପ୍ରଥମେ ସଙ୍ଗମ ନୋଜ ନିକଟରେ ଦଳାଚକଟା ହୋଇଥିଲା। ସଙ୍ଗମ ସ୍ଥଳରେ କିଛି ଲୋକ ଶୋଇଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁମାନେ ସେମାନଙ୍କ ଉପରେ ଚଢ଼ି ଯାଇଥିଲେ। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରାୟ ୧୮ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ୩୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୬୦ ଜଣ ଆହତ ହୋଇଥିବା କୁହାଯାଇଥିଲା। ହେଲେ ଏହି ସମୟରେ ଝୁସି ଠାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ କିଛି ବି କୁହାଯାଇ ନଥିଲା।
ତେବେ ଡିଜିଟାଲ ଚ୍ୟାନେଲ ଲଲନଟପ୍ ପକ୍ଷରୁ ଝୁସି ଠାରେ ହୋଇଥିବା ଭୟଙ୍କର ଦଳାଚକଟାର ଭିଡିଓ ଓ ଫଟୋ ଜାରି କରାଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଲଲନଟପ୍ ଦେଖାଇଥିବା ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ଲୋକଙ୍କ ଗଦା ଗଦା କପଡ଼ା, ଚପଲ ଓ ବୋତଲ ସବୁ ପଡ଼ି ରହିଛି। ସେଗୁଡ଼ିକୁ ଝୁସି ସ୍ଥଳରୁ ଟ୍ରାକ୍ଟର ଦ୍ୱାରା ଜେସିବି ଲଗାଇ ପ୍ରଶାସନ ହଟାଉଛି।
ଚ୍ୟାନେଲର ପ୍ରତିନିଧି ପ୍ରତ୍ୟେକ୍ଷଦର୍ଶୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେମାନେ ଝୁସି ଠାରେ ହୋଇଥିବା ଦଳା ଚକଟାରେ ଅନେକ ଲୋକ ମୃତାହତ ହୋଇଥିବା କହିଥିଲେ। ଏଥିସହ ମୃତଦେହ ଗୁଡ଼ିକ ଏଣେତେଣ ପଡ଼ିଥିବା ବେଳେ ସେଗୁଡ଼ିକ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଥିବା ସେମାନେ କହିବା ପରେ ହଇଚଇ ସୃଷ୍ଟି ହୋଇଥିଲା।
ଝୁସି ଅଞ୍ଚଳଟି ଗଙ୍ଗା ନଦୀ କୂଳରେ ରହିଛି। ଏହି ଅଞ୍ଚଳଟି ପ୍ରଥମ ଦଳଚକଟା ହୋଇଥିବା ସଙ୍ଗମ ନୋଜ ଠାରୁ ମାତ୍ର ୨କିମି ଦୂର। ପ୍ରଥମ ଦଳାଚକଟା ଘଟଣା ରାତି ୧.୩୦ରେ ଘଟିଥିବା ବେଳେ ଝୁସିରେ ଦଳାଚକଟା ଭୋର ୫.୫୫ରେ ହୋଇଥିଲା।
ଝୁସିର ହଲଦିରାମ କିଓସ୍କରେ ଥିବା ନେହା ଓଝା କହିଛନ୍ତି, “ଏଠାରେ ଅନେକ ମୃତଦେହ ପଡ଼ି ରହିଥିଲା। କେହି ବି ସେମାନଙ୍କ କଥା ପଚାରୁ ନଥିଲେ। ଅଣନିଃଶ୍ୱାସ ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କ ମୃତ୍ୟୁ ସକାଳୁ ହୋଇ ସାରିଥିଲା। କିନ୍ତୁ ସେମାନଙ୍କ ମୃତଦେହକୁ ମଧ୍ୟାହ୍ନ ୧.୩୦ରେ ଏଠାରୁ ହଟାଯାଇଥିଲା। ଦଳାଚକଟାର ୪ ଘଣ୍ଟା ପରେ ଜଣେ ମହିଳା ପୁଲିସ୍ କର୍ମଚାରୀ ଏଠାକୁ ଆସିଥିଲେ। ଲୋକମାନେ ଭିଡିଓ ଶୁଟିଂ କରିବାକୁ ଚେଷ୍ଟା କରିବା ବେଳେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା।”
ହଲଦିରାମ କିଓସ୍କ ମଧ୍ୟରେ ୪ଟି ମୃତଦେହ ପଡ଼ି ରହିଥିଲା। ସେଗୁଡ଼ିକୁ ପ୍ରଶାସନ ପକ୍ଷରୁ ନିଆଯାଇଛି। ଏଠାରେ କେବଳ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଭିଡ଼ରେ ଚାପି ହୋଇ ଛୋଟ ପିଲାଙ୍କ ଜୀବନ ଯାଇଛି। ଏଠାରେ କେହି ନଥିଲେ। କୌଣସି ପ୍ରକାରର ବ୍ୟବସ୍ଥା ହୋଇ ନଥିଲେ। ଅନେକ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ସତ ଜାଣିବାର ଅଧିକାର ଲୋକଙ୍କର ଅଛି ବୋଲି ହଲଦିରାମ କିଓସ୍କର ଆଉ ଜଣେ ବ୍ୟକ୍ତି କହିଛନ୍ତି।
ପ୍ରୟାଗରାଜର ଝୁସିରେ ହୋଇଥିବା ଦଳଚକଟା
ଗଙ୍ଗା ନଦୀର ଉତ୍ତର ପାର୍ଶ୍ୱ କୂଳରେ ଝୁସି ରହିଛି। ଏଠାରୁ ମଧ୍ୟ ସଙ୍ଗମ ସ୍ଥଳକୁ ଯାଇ ହେବ। ଏହି ସ୍ଥାନରେ ହିଁ ଦ୍ୱିତୀୟ ଦଳାଚକଟା ଘଟଣା ଘଟିଛି। ପ୍ରୟାଗରାଜର ହର୍ଷିତ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ଭିଡ଼ ଏତେ ଥିଲା ଯେ ସବୁ କିଛି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଲୋକମାନେ ବ୍ୟାରିକେଡ ଭାଙ୍ଗିବା ଆରମ୍ଭ କରିଥିଲେ ଓ ଆଗକୁ ଠେଲାପେଲା କରି ଯିବାକୁ ଚେଷ୍ଟା କରିଥିଲେ। ଉକ୍ତ ସ୍ଥାନରେ ପୂର୍ବରୁ ହିଁ ଅନେକ ଶ୍ରଦ୍ଧାଳୁ ଶୋଇ ରହିଥିଲେ। ରାସ୍ତା ବନ୍ଦ ହୋଇଥିଲା ଓ ଚାଲିବାକୁ ଆଦୌ ସ୍ଥାନ ନଥିଲା। ଏହି ଭିଡ଼ ଭିତରେ ଅନେକ ଲୋକଙ୍କ ଲ୍ୟାପଟପ ଓ ଆଇଫୋନ ମଧ୍ୟ ଚୋରି ହୋଇଯାଇଛି।”
ଆଉ ଜଣେ କହିଛନ୍ତି ଯେ ଝୁସିରେ ଯେତେବେଳେ ଦଳଚକଟା ହେଲା ସେତେବେଳେ କୌଣସି ରିପୋର୍ଟର ଏଠାରେ ନଥିଲେ। ଏହି ଘଟଣା କେଉଁଠି ବି ଉପସ୍ଥାପନ ହୋଇନି। ଲୋକମାନେ କେବଳ ସଙ୍ଗମରେ ହୋଇଥିବା ଦଳଚକଟା ସମ୍ପର୍କରେ ଜାଣି ପାରିଛନ୍ତି।
ହଲଦିରାମ କିଓସ୍କର ନେହା ଓଝା ପୁଣି କହିଛନ୍ତି ଯେ କ୍ୟାଶ କାଉଣ୍ଟରରୁ ୧,୮୦,୦୦ ଟଙ୍କା ଚୋରି ହୋଇଯାଇଛି। ଗଦା ଗଦା ହୋଇ ପଡ଼ିଥିବା କପଡ଼ା ଓ ଚପଲ ମଧ୍ୟରୁ ମୃତଦେହକୁ ଭିଡ଼ି ବାହାର କରାଯାଇଛି। ସାମ୍ନାରେ ଥିବା ଗୋଟିଏ ଟେଣ୍ଟ ନିକଟରେ ୨ ଜଣଙ୍କ ମୃତ୍ୟୁ ବି ହୋଇଥିଲା।
ଝୁସି ଅଞ୍ଚଳରେ ହୋଇଥିବା ଦଳଚକଟା ପରେ ସେଠାରେ ସଫେଇ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ସନ୍ଧ୍ୟା ୬ଟାରୁ କାମ କରୁଛନ୍ତି। ତଥାପି କାମ ଶେଷ ହେଉନି। ଏକାଧିକ ଟ୍ରାକ୍ଟର ଦ୍ୱାରା ଘଟଣା ସ୍ଥଳକୁ ସଫା କରିବା ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଲାଗିଛି। ଏଥିରୁ ସ୍ଥିତି କେତେ ଭୟଙ୍କର ଥିଲା ଜଣେ ବେଶ ଆରାମରେ ବୁଝି ପାରୁଥିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।