Advertisment

ମଣିପୁର ହିଂସାକୁ ଦୁଇ ବର୍ଷ: କେବେ ସୁଧୁରିବ ସ୍ଥିତି ଓ କେବେ ନିଜ ଘରକୁ ଫେରିବେ ହଜାର ହଜାର ଲୋକ?

ସରକାର ସବୁ କିଛି ସ୍ୱାଭାବିକ ଥିବା ଦାବି କରୁଥିଲେ ହେଁ ୨ ବର୍ଷ ପରେ ବି ହଜାର ହଜାର ଲୋକ ନିଜ ଘରକୁ ଫେରିବାକୁ ଅପେକ୍ଷା କରି ରହିଛନ୍ତି। ନିଜ ଘର ଛାଡ଼ି ସେମାନେ ଭିଡ଼ ଖଚିତ ରିଲିଫ କ୍ୟାମ୍ପରେ ଦୁଇ ବର୍ଷ ହେଲାଣି ଜୀବନ ବିତାଉଛନ୍ତି।

author-image
Hemant Lenka
Manipur

Manipur

ମଣିପୁରରେ ମୈତେଇ ଓ କୁକି ଜୋ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷକୁ ଦୁଇ ବର୍ଷ ପୂରିଛି। ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟର ସଂଘର୍ଷ ଯୋଗୁ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ୨୦୨୩ ମେ’ ୩ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଯୋଗୁ ୭୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇ ସରକାରୀ କ୍ୟାମ୍ପରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି।

Advertisment

ସରକାର ସବୁ କିଛି ସ୍ୱାଭାବିକ ଥିବା ଦାବି କରୁଥିଲେ ହେଁ ୨ ବର୍ଷ ପରେ ବି ହଜାର ହଜାର ଲୋକ ନିଜ ଘରକୁ ଫେରିବାକୁ ଅପେକ୍ଷା କରି ରହିଛନ୍ତି। ନିଜ ଘର ଛାଡ଼ି ସେମାନେ ଭିଡ଼ ଖଚିତ ରିଲିଫ କ୍ୟାମ୍ପରେ ଦୁଇ ବର୍ଷ ହେଲାଣି ଜୀବନ ବିତାଉଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ହିଂସା ଘଟଣାର ପ୍ରାୟ ବର୍ଷକ ପରେ ଅର୍ଥାତ ୨୦୨୪ ମସିହା ଫେବୃଆରୀ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ତଥାପି ଶାନ୍ତି ପ୍ରତିଷ୍ଠା ହୋଇପାରିନି। ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ସେମାନଙ୍କ ଘର, ବ୍ୟବସାୟ ଓ ଅନିଶ୍ଚିତତାର ଭବିଷ୍ୟତକୁ ନେଇ ଏବେ ବି ଚିନ୍ତାରେ ରହିଛନ୍ତି।

Advertisment

ସାଂପ୍ରଦାୟିକ ହିଂସାର ଭୟଙ୍କର ପ୍ରଭାବରେ ବାସହୀନ ହୋଇପଡ଼ିଥିବା ହଜାର ହଜାର ଲୋକ ନିଜ ଭିଟା ମାଟିକୁ ଫେରିବାକୁ ଅପେକ୍ଷା କରିଛନ୍ତି। ସେମାନେ ରିଲିଫ କ୍ୟାମ୍ପରୁ ନିଜ ଭିଟା ମାଟିକୁ ଫେରିବାକୁ ଚାହୁଁଥିଲେ ହେଁ ଦୁର୍ବଳ ଶାନ୍ତି ବ୍ୟବସ୍ଥା ସେମାନଙ୍କ ମନରେ ସାହାସ ଜୁଟାଇ ପାରୁନି।

ବିସ୍ଥାପିତ ହୋଇ ରିଲିଫ କ୍ୟାମ୍ପରେ ରହୁଥିବା ଜି କିପଜେନ କହିଛନ୍ତି, “ଇମ୍ଫାଲରେ ମୁଁ ବେଶ ସଫଳତାର ସହ କୋଚିଂ ସେଣ୍ଟର ଚଳାଉଥିଲି। ଏବେ ସବୁ କିଛି ଶେଷ ହୋଇଯାଇଛି। ମୋ ପାଖରେ ଆୟର କୌଣସି ସୂତ୍ର ନାହିଁ। ମୋର ୩ ପିଲା ରହିଛନ୍ତି। ମୁଁ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। ମୁଁ କୌଣସି କାମରେ ଫୋକସ କରିପାରୁ ନାହିଁ। ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ସ୍ଥିତିରେ ସୁଧାର ଆସିବାର କୌଣସି ସଙ୍କେତ ହିଁ ମିଳୁନାହିଁ।”

ହିଂସାକୁ ଦୁଇ ବର୍ଷ ପୂରିବା ସହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କିନ୍ତୁ ଦୁଇ ସଂପ୍ରଦାୟ ନିଜ ନିଜ ଦାବିରେ କାଏମ ରହିଛନ୍ତି। କୁକି ସଂପ୍ରଦାୟର ଲୋକମାନେ ନିଜ ପାଇଁ ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ଦାବିରେ ଅଟଳ ରହିଥିବା ବେଳେ ମୈତେଇମାନେ ଏନଆରସି ଲାଗୁ ପାଇଁ ଦାବି କରୁଛନ୍ତି। ସେହିପରି ସେମାନେ ତଥାକଥିତ ବେଆଇନ ପ୍ରବାସୀମାନଙ୍କୁ ମଣିପୁରରୁ ବିଦା କରିବା ଦାବି କରିବାରେ ଲାଗିଛନ୍ତି।

ଚୁରାଚାନ୍ଦପୁର ଜିଲ୍ଲାରୁ ବିସ୍ଥାପିତ ହୋଇଥିବା ମୈତେଇ ସଂପ୍ରଦାୟର ଅବୁଙ୍ଗ କହିଛନ୍ତି, “ମୋର ଦୁଇ ଛୋଟ ପିଲାଙ୍କ ଭବିଷ୍ୟତକୁ ନେଇ ମୁଁ ଚିନ୍ତିତ। ପୂର୍ବରୁ ମୁଁ ଗ୍ରୋସରୀ ବ୍ୟବସାୟ କରୁଥିଲି। ମୋର ଛୋଟ ଘରଟିଏ ଥିଲା। କିନ୍ତୁ ଏବେ ମୋତେ ରିଲିଫ କ୍ୟାମ୍ପରେ ରହିବାକୁ ପଡ଼ୁଛି। ଛୋଟ ଘରେ ମୋତେ ସବୁ ଖୁସି ମିଳୁଥିଲା। କିନ୍ତୁ ଏବେ ସେ ସବୁ ସ୍ୱାଧୀନତା ଚାଲି ଯାଇଛି।” ସରକାର ଓ ଏନଜିଓଗୁଡ଼ିକ ପକ୍ଷରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଦକ୍ଷତା ବିକାଶର ତାଲିମ ଦେବାକୁ ଉଦ୍ୟମ କରାଯାଉଛି। ହେଲେ ଏହା ସେମାନଙ୍କ ସ୍ଥିତିକୁ ବଦଳାଇ ପାରିନି।

ଇମ୍ଫାଲରେ ରହୁଥିବା ଆବେନାଓ ଦେବୀଙ୍କ କହିବା କଥା ଯେ ହିଂସା ପରର ପ୍ରଥମ କିଛି ମାସ ସେମାନଙ୍କୁ ସବୁ ସୁବିଧା ମିଳୁଥିଲା। ସମୟ ପୂର୍ବରୁ ସେମାନଙ୍କ ପାଖରେ ସହାୟତା ପହଞ୍ଚୁଥିଲା। କିନ୍ତୁ ସମୟକ୍ରମେ ସମସ୍ତେ ସେମାନଙ୍କୁ ଭୁଲି ଗଲେଣି। ଅତି ଆବଶ୍ୟକ ଜିନିଷ ପାଇଁ ମଧ୍ୟ ସେମାନଙ୍କୁ ଅନ୍ୟର ହାତ ଟେକା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହା ଅତ୍ୟନ୍ତ ନିରାଶାଜନ ବୋଲି ସେ କହିଛନ୍ତି।

ସଂପ୍ରଦାୟଗୁଡ଼ିକ ଉପରେ ସଶସ୍ତ୍ର ବିଦ୍ରୋହ ସଂଗଠନର ପ୍ରଭାବ ରହିଥିବାରୁ ସ୍ଥିତି ବେଶ ଦ୍ୱନ୍ଦ୍ୱାତ୍ମକ ରହିଥିବା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି। ଜଣେ ଅଧିକାରୀ କହିଛନ୍ତି, “ସବୁଠାରୁ ସମସ୍ୟା ଓ ଚିନ୍ତାର ବିଷୟ ହେଉଛି ଯେ ଦୁଇ ବର୍ଷର ଏହି ବିବାଦ ଯୋଗୁ ସଶସ୍ତ୍ର ବିଦ୍ରୋହୀ ସଂଗଠନ ଓ ସେମାନଙ୍କ ସହ ଜଡ଼ିତ ଲୋକମାନେ ନିଜ ନିଜର ସଂପ୍ରଦାୟକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଏହି ସଂଗଠନଗୁଡ଼ିକ ସାଧାରଣ ଲୋକ, ବିଶେଷ କରି ବିସ୍ଥାପିତଙ୍କ ସମସ୍ୟାକୁ ଅଣଦେଖା କରି ନିଜ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଦିନକୁ ଦିନ ବଟି ଆଦାୟ ଭଳି ଘଟଣା ବଢ଼ୁଛି।

ଇମ୍ଫାଲର ସଶସ୍ତ୍ର ବିଦ୍ରୋହୀ ସଂଗଠନମାନେ ବଳପୂର୍ବକ ବଟି ଆଦାୟ କରୁଛନ୍ତି। କୁକି ବହୁଳ ଅଞ୍ଚଳର ଜାତୀୟ ରାଜପଥରୁ ବେଆଇନ ଭାବେ ଟିକସ ଆଦାୟ କରଯାଉଛି। ପୂର୍ବରୁ ଥଣ୍ଡା ପଡ଼ି ଯାଇଥିବା କିଛି ଉଗ୍ରବାଦୀ ସଂଗଠନ ଏବେ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ କାମଧନ୍ଦା କରୁ ନଥିବା ଓ ନିରକ୍ଷର ଯୁବକମାନଙ୍କୁ ନିଜ ସଂଗଠନରେ ନିଯୁକ୍ତି ଦେଇ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।”

ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ସ୍ଥିତର ସମୀକ୍ଷା କରିବା ସହ ହିଂସାକୁ ନିୟନ୍ତ୍ରଣ କରିବା ଓ ସାଧାରଣ ଲୋକଙ୍କୁ ଗୋଟିଏ ସ୍ୱାଭାବିକ ପରିବେଶ ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଶାନ୍ତି ଠାରୁ ମଣିପୁର ଏବେ ବି ଅନେକ ଦୂରରେ ଥିବାରୁ ସାଧାରଣ ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ବସିଛି। ବିସ୍ଥାପିତ ହୋଇଥିବା ଉଭୟ ସଂପ୍ରଦାୟର ଲୋକମାନେ ନିଜ ପରିବାରର ଭବିଷ୍ୟତକୁ ନେଇ ପୂରା ଚିନ୍ତିତ। କିଛି ଲୋକ ପରିବାର ଚଳାଇବା ପାଇଁ ଛୋଟ ମୋଟ କାମ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନଙ୍କୁ ଠିକ ଭାବେ କାମଧନ୍ଧା ମଧ୍ୟ ମିଳୁପାରୁନି। ସୁରକ୍ଷାକର୍ମୀ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିଲେ ହେଁ ଏବେ ବି ସବୁ କିଛି ବହୁ ଦୂରରେ ରହିଛି।

ମଣିପୁର ହିଂସାର ଘଟଣାକ୍ରମ

୧- ଏପ୍ରିଲ୍ ୨୦ ତାରିଖ ୨୦୨୩: ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ST) ମାନ୍ୟତା ଦାବି ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ବିଚାର କରିବାକୁ ସରକାରଙ୍କୁ ୧୯ ମେ ଯାଏ ସମୟ ମିଳିଥିଲା।

୨- ଏପ୍ରିଲ୍ ୨୮ ତାରିଖ ୨୦୨୩: ଆଦିବାସୀ ଜନଜାତି ଲିଡର୍ସ ମଞ୍ଚ (ITLF) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଚୁରାଚାନ୍ଦପୁର ସଭାସ୍ଥଳରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବାରୁ ତାଙ୍କ ଗସ୍ତ ବାତିଲ କରାଯାଇଥିଲା।

୩- ମେ ୩ତାରିଖ ୨୦୨୩: ଅଲ ଟ୍ରାଇବାଲ ଛାତ୍ର ସଂଘ ମଣିପୁର (ATSUM) ପକ୍ଷରୁ ମୈତେଇଙ୍କୁ ମିଳିଥିବା ଜନଜାତି ମାନ୍ୟତା ବିରୋଧରେ 'ଜନଜାତି ଏକତା ମାର୍ଚ୍ଚ'ର ଆୟୋଜନ କରିଥିଲା। ଏହି ରାଲିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। କିନ୍ତୁ କିଛି ଦୁର୍ବୃତ୍ତ ଆଙ୍ଗଲୋ-କୁକି ଯୁଦ୍ଧ ସ୍ମାରକୀ ଫାଟକରେ ନିଆଁ ଲଗାଇ ଦେଇଥିଲେ। ଏଥିଯୋଗୁ ଚୁରାଚାନ୍ଦପୁରରେ ଭୟଙ୍କର ସଂଘର୍ଷ ଦେଖାଯାଇଥିଲା।

୪- ମେ ୪ ତାରିଖ ୨୦୨୩: ମୁଖ୍ୟମନ୍ତ୍ରୀ ବୀରେନ ସିଂହ ହିଂସାକୁ "ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୁଲ ବୁଝାମଣା" ବୋଲି କହିଥିଲେ। କିନ୍ତୁ ପୂର୍ବ ଦିନ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ୩୩ ଜଣଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ପରବର୍ତ୍ତୀ କିଛି ଦିନ ଧରି ପୋଡ଼ାଜଳା ଜାରି ରହିଥିଲା। ଏଥିଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଖିବା ମାତ୍ରେ ପୋଡ଼ାଜଳା କରୁଥିବା ଲୋକଙ୍କୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିଲା ଓ ସେନା ଏବଂ ଅର୍ଦ୍ଧସାମରିକ ରାଜ୍ୟରେ ମୁତୟନ କରାଯାଇଥିଲା।

୫- ମେ ୮ ତାରିଖ ୨୦୨୩ : ମୁଖ୍ୟମନ୍ତ୍ରୀ ସିଂହ କହିଥିଲେ ଯେ ହିଂସାରେ ଏଯାଏ ୬୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୩୧ ଜଣ ଆହତ ହୋଇଛନ୍ତି। ମଣିପୁର ହିଂସା ସ୍ଥିତି ପୂରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହିଂସା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରିଲିଫ୍ ଶିବିରରେ ଖାଦ୍ୟ ଓ ପାଣି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୬- ମେ’ ୨୯ ତାରିଖ ୨୦୨୩: ସ୍ୱରାଷ୍ଟ୍ର ଅମିତ ଶାହ ମଣିପୁର ଗସ୍ତ କରିଥିଲେ। ସେହିପରି ମେ’ ୪ରୁ ୨୯ ମଧ୍ୟରେ ପୁଲିସ ଅସ୍ତ୍ରାଗାରରୁ ୩,୦୦୦ ରୁ ଅଧିକ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା।

୭- ଜୁନ ୧୪ ତାରିଖ ୨୦୨୩: ପ୍ରାୟ ୩,୦୦୦ ମୈତେଇ ସଂପ୍ରଦାୟ ଲୋକ କାଙ୍ଗପୋକପି ଜିଲ୍ଲାର ଥିବା ଗୋଟିଏ କୁକି ବହୁଳ ଗାଁ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପୂରା ଗାଁକୁ ଛିନଛତ୍ର କରି ଦେଇଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ ୨୦୦ ରୁ ଅଧିକ ପ୍ରାଣହାନି ଘଟିଥିଲା।

୮- ଜୁଲାଇ ୧୯ ତାରିଖ ୨୦୨୩: ଦୁଇ ଜଣ କୁକି ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନିଆଯାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦେଶରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟ ଏହି ଘଟଣାର ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ବିରୋଧୀ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ।

୯- ଜୁଲାଇ ୨୦ ତାରିଖ ୨୦୨୩: ବିରୋଧୀଙ୍କ ସମାଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ହିଂସା ବିଷୟରେ କହିଥିଲେ। ଦୁଇ ମହିଳାଙ୍କ ଭିଡିଓକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହା "ଯେକୌଣସି ନାଗରିକ ସମାଜ ପାଇଁ ଲଜ୍ଜାଜନକ ଘଟଣା।” ସୁପ୍ରିମକୋର୍ଟ ମଧ୍ୟ ଭିଡିଓର ବିଚାର ନିଜ ଆଡ଼ୁ କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ "ଆମେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ସମୟ ଦେଉଛୁ। ନଚେତ୍ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହା ଗଭୀର ଭାବେ ବିଚଳିତ କରିବା ଭଳି ଘଟଣା।”

୧୦- ଅଗଷ୍ଟ ୭ ତାରିଖ ୨୦୨୩: ସୁପ୍ରିମକୋର୍ଟ ମଣିପୁରରେ ରିଲିଫ୍ ଓ ପୁନର୍ବାସ ପ୍ରୟାସ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଗୀତା ମିତ୍ତଲଙ୍କ ନେତୃତ୍ୱରେ  କମିଟି ଗଠନ କରିଥିଲେ।

୧୧- ଅଗଷ୍ଟ ୧୦ ତାରିଖ ୨୦୨୩: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

୧୨- ସେପ୍ଟେମ୍ବର ୨୬ ତାରିଖ ୨୦୨୩: ହିଂସା ବେଳେ ନିଖୋଜ ଥିବା ଦୁଇ ମୈତେଇ ଛାତ୍ରଙ୍କ ଫଟୋ ଅନଲାଇନରେ ଭାଇରାଲ ହେବାରୁ ସାମାନ୍ୟ ଥମି ଥିବା ହିଂସା ପୁଣି ବ୍ୟାପକ ହୋଇଥିଲା। ପ୍ରଶାସନ ବାଧ୍ୟ ହୋଇ ଇଣ୍ଟରନେଟ୍ ବନ୍ଦ କରିଥିଲା।

୧୩- ଜାନୁଆରୀ ୨୧ ତାରିଖ ୨୦୨୪: ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ସଶସ୍ତ୍ର ଉଗ୍ରବାଦୀଙ୍କ ସହ ଅପରେସନ ବନ୍ଦ କରିବାକୁ ସରକାର କରିଥିବା ଚୁକ୍ତିକୁ ରଦ୍ଦ କରିବା ପାଇଁ ମଣିପୁର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।

୧୪- ଏପ୍ରିଲ ୧୯ ତାରିଖ ୨୦୨୪: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଓ ବୁଥ୍ କ୍ୟାପଚରିଂ ଖବର ଆସିଥିଲା। ଏଥିଯୋଗୁ ନିର୍ବାଚନ କମିଶନ ଏପ୍ରିଲ ୨୨ରେ ୧୧ଟି ବୁଥରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୧୫- ଏପ୍ରିଲ ୨୬ ତାରିଖ ୨୦୨୪: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ହିଂସା ଘଟଣା ଘଟଥିଲା ଓ ନିର୍ବାଚନ କମିଶନ ଏପ୍ରିଲ ୩୦ରେ ୬ଟି ବୁଥରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୧୬- ସେପ୍ଟେମ୍ବର ୨୦୨୪: ମଣିପୁର ବେଶ କିଛି ଦିନ ଅପେକ୍ଷାକୃତ ଶାନ୍ତ ରହିବା ପରେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଥିବା ଗୋଟିଏ ତଥାକଥିତ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ମଣିପୁରରେ ପୁଣି ଉତ୍ତେଜନା ଦେଖାଯାଇଥିଲା। ହିଂସା ଯୋଗୁ ୧୧ ଜଣଙ୍କର ଜୀବନ ଯାଇଥିଲା।

୧୭- ଅକ୍ଟୋବର ୧୮ ତାରିଖ ୨୦୨୪: ମଣିପୁରର ୧୯ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରିଥିଲେ।

୧୮- ନଭେମ୍ବର ୨୦୨୪: କୁକି ବିଦ୍ରାହୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗୋଟିଏ ରିଲିଫ୍ ଶିବିରରୁ ୬ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ମଣିପୁର-ଆସାମ ସୀମା ନିକଟରୁ ମିଳିବା ପରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

୧୯- ନଭେମ୍ବର ୨୦୨୪: ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ବୀରେନ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ।

୨୦- ଫେବୃଆରୀ ୯ ତାରିଖ ୨୦୨୫: ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷକୁ ନିୟନ୍ତ୍ରଣ କରିବା ପରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଉପରେ ଚାପ ବଢ଼ିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ମଧ୍ୟ ତାଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଥିଲା।

୨୧- ଫେବୃଆରୀ ୧୩ ତାରିଖ ୨୦୨୫: ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ମାଧ୍ୟମରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

୨୨- ମାର୍ଚ୍ଚ ୮ ତାରିଖ ୨୦୨୫: ରାଜ୍ୟ ସାରା ଅବାଧ ଭ୍ରମଣ ପାଇଁ ସୁରକ୍ଷାକର୍ମୀଙ୍କ ଉପରେ ରହିଥିବା କଟକଣାକୁ ଅମିତ ଶାହ ଉଠାଇ ଦେବାରୁ ଏହାକୁ କୁକି ସଂପ୍ରଦାୟ ବିରୋଧ କରିଥିଲା। ଏଥିଯୋଗୁ କାଙ୍ଗପୋକପି ଜିଲ୍ଲାରେ ସଂଘର୍ଷ ଦେଖାଯାଇଥିଲା। ଏଥିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମହିଳା ଓ ପୁଲିସ କର୍ମଚାରୀଙ୍କ ସମେତ ୪୦ରୁ ଅଧିକ ଆହତ ହୋଇଥିଲେ। ବିକ୍ଷୋଭକାରୀ ଗାଡ଼ିମୋଟର ପୋଡ଼ାଜଳା କରିଥିଲେ ଓ ଇମ୍ଫାଲ ରାସ୍ତାକୁ ବନ୍ଦ କରିଥିଲେ। ଫଳସ୍ୱରୂପ କୁକି ବହୁଳ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଇଥିଲା।

୨୩- ମେ’ ୩ ତାରିଖ ୨୦୨୫: ଏବେ ବି ମଣିପୁର ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତେଣୁ ସମସ୍ତେ ତୁରନ୍ତ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଦାବି କରିଛନ୍ତି।

Manipur Manipur Violence