Advertisment

‘ପାକିସ୍ତାନ ଗୁପ୍ତଚର’ ଜ୍ୟୋତିଙ୍କ ଯାତ୍ରା ଖର୍ଚ୍ଚ ଦେଉଥିଲା ଏହି କମ୍ପାନୀ

ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କର ଲିଙ୍କ ସିଧାସଳଖ କୌଣସି ଆତଙ୍କବାଦୀ ସଂଗଠନ ସହ ନଥିବା ତଦନ୍ତରୁ ଜଣାପଡ଼ିଛି।

author-image
Hemant Lenka
Jyoti

Jyoti

ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନକୁ ଭାରତ ସମ୍ପର୍କରେ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ଦେଇଥିବା ଜ୍ୟୋତି ବିଭିନ୍ନ ସ୍ଥାନକୁ ଯାତ୍ରା କରି ଭିଡିଓ କରୁଥିଲେ।

Advertisment

ନିଜର ଟ୍ରାଭେଲ ବ୍ଲଗ ପ୍ରସ୍ତୁତ ପାଇଁ ତାଙ୍କୁ ଏକାଧିକ ପ୍ରାୟୋଜକ ମିଳି ଯାଉଥିଲେ। କିନ୍ତୁ ତାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ଗୋଟିଏ କମ୍ପାନୀ ଏବେ ତଦନ୍ତକାରୀ ଏଜେନ୍ସିର ସ୍କାନରରେ ରହିଛି। ୟୁଏଇ ଭିତ୍ତିକ ଗୋଟିଏ ଟ୍ରାଭେଲ କମ୍ପାନୀ ଜ୍ୟୋତିଙ୍କ ଯାତ୍ରା ଖର୍ଚ୍ଚ ଦେଇଥିବାରୁ ଏହାକୁ ଏବେ ତଦନ୍ତ ପରିସର ଭୁକ୍ତ କରାଯାଇଛି।

ଜ୍ୟୋତି ପ୍ରସ୍ତୁତ କରିଥିବା ଏକାଧିକ ଭିଡିଓର ପ୍ରୟୋଜକ ସାଜିଥିଲା ୟୁଗୋ ନାମକ କମ୍ପାନୀ। ଏହା ଗୋଟିଏ ୟୁଏଇ ଭିତ୍ତିକ କମ୍ପାନୀ। କିନ୍ତୁ ଏହାର ବ୍ରାଞ୍ଚ ପାକିସ୍ତାନରେ ମଧ୍ୟ ରହିଛି। ପାକିସ୍ତାନରେ କାମ କରିବାକୁ ଏହି କମ୍ପାନୀ ଲାଇସେନ୍ସ ପାଇଛି। ସେଭଳି କମ୍ପାନୀ ଜ୍ୟୋତିଙ୍କ ଏକାଧିକ ଭିଡିଓର ପ୍ରାୟୋଜକ ସାଜିବା ଓ ତାଙ୍କ ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ସନ୍ଦେହ ସୃଷ୍ଟି କରିଛି।

Advertisment

ଗିରଫ ପରେ ପୁଲିସ୍‌ ରିମାଣ୍ଡରେ ଥିବା ଜ୍ୟୋତିଙ୍କ ସମସ୍ତ ପ୍ରାୟୋଜକଙ୍କ ସମ୍ପର୍କରେ ଯାଞ୍ଚ କରାଯାଉଛି। ଟ୍ରାଭେଲ ୱିଥ ଜୋ ନାଁରେ ଥିବା ଜ୍ୟୋତିଙ୍କ ଚ୍ୟାନେଲକୁ ପ୍ରାୟ ୪ ଲକ୍ଷ ଲୋକ ସବସ୍କ୍ରାଇବ କରିଛନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷ।

ଜ୍ୟୋତିଙ୍କ ଟ୍ରାଭେଲ ବ୍ଲଗର ଯାତ୍ରା ଖର୍ଚ୍ଚ ବହନ କରିଥିବା ୟୁଗୋର ଅଫିସ ସିଙ୍ଗାପୁର ଓ ଦୁବାଇରେ ରହିଛି। ଏହା ପାକିସ୍ତାନରେ କାମ କରିବାକୁ ଗୋଟିଏ ବୈଧ ଟ୍ରାଭେଲ ଏଜେନ୍ସି ଲାଇସେନ୍ସ ପାଇଛି। ଏହି କମ୍ପାନୀ ଅନ୍ତର୍ଜାତୀୟ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ବା ଆଇଏଟିଏ ଦ୍ୱାରା ଅଧିକୃତ। ଯଦିଓ ଏଯାଏ ୟୁଗୋ ପାକିସ୍ତାନକୁ ସିଧାସଳଖ ଟଙ୍କା ଦେଉଥିବା ପ୍ରମାଣ ମିଳିନାହିଁ।

କିନ୍ତୁ ପାକିସ୍ତାନରେ ଏହା ନିଜର ଏଜେନ୍ସି ଖୋଲିବା ଓ ଜ୍ୟୋତିଙ୍କ ପ୍ରାୟୋଜକ ସାଜିବା, ତା’ର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି। ପାକିସ୍ତାନର କୌଣସି ଅଧିକାରୀ ଟ୍ରାଭେଲ ଏଜେନ୍ସି ଜରିଆରେ ଜ୍ୟୋତିଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ କି ବୋଲି ମଧ୍ୟ ଏବେ ପ୍ରଶ୍ନ ଉଠିଛି। 

କୌଣସି ଆତଙ୍କୀ ସଂଗଠନ ସହ ନାହିଁ ଜ୍ୟୋତିଙ୍କ ଲିଙ୍କ୍‌

ତଦନ୍ତକାରୀ ଏଜେନ୍ସି ଜାଣିବାକୁ ପାଇଛନ୍ତି ଯେ ଜ୍ୟୋତି ପାକିସ୍ତାନ ଆଇଏସଆଇ ସହ ଭାରତୀୟ ସେନାର ଅପରେସନ ସିନ୍ଦୂର ବେଳେ ଯୋଗାଯୋଗରେ ରହିଥିଲେ। ଏବେ ତଦନ୍ତକାରୀ ସଂସ୍ଥା ଜ୍ୟୋତି କେଉଁ ପ୍ରକାରର ତଥ୍ୟ ପାକିସ୍ତାନୀ ଏଜେଣ୍ଟମାନଙ୍କ ସହ ଶେୟାର କରିଥିଲେ, ତା’ର ଖୋଳତାଡ଼ କରୁଛନ୍ତି। ପାକିସ୍ତାନ ହାଇକମିଶନରେ କାମ କରୁଥିବା ଦାନିଶ ନାମକ ଜଣେ ଅଧିକାରୀ ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ପରିଚୟ କରାଇଥିଲେ। ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କର ଲିଙ୍କ ସିଧାସଳଖ କୌଣସି ଆତଙ୍କବାଦୀ ସଂଗଠନ ସହ ନଥିବା ତଦନ୍ତରୁ ଜଣାପଡ଼ିଛି।

Pakistan Youtuber Spying Jyoti Malhotra