ଏକକ ନାଗରିକ ସଂହିତା ବା ୟୁସିସି ଆଜି ଠାରୁ ଉତ୍ତରାଖଣ୍ଡରେ ଲାଗୁ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟ ପୂରା ଦେଶରେ ୟୁସିସି ଲାଗୁ କରିବାକୁ ବହୁ ଦିନରୁ ପ୍ରୟାସ ଜାରି ରଖିଛନ୍ତି। ଏପରି କି ୨୦୨୨ ଡିସେମ୍ବର ମାସରେ ରାଜ୍ୟସଭାରେ ଏକକ ନାଗରିକ ସଂହିତା ବିଲ୍ ବିଜେପିର ଜଣେ ସାଂସଦ ଉପସ୍ଥାପନ କରିଥିଲେ। ରାଜସ୍ଥାନର ବିଜେପି ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବର ବିଲ୍ ମାଧ୍ୟମରେ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଏହାର ଅର୍ଥ ସରକାର ଏହି ବିଲ୍ ଆଣି ନାହାନ୍ତି। କିନ୍ତୁ ସରକାର ଏହାକୁ ସମର୍ଥନ କରିଛନ୍ତି।
ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ସମସ୍ତଙ୍କ ପାଇଁ ସମାନ ରଖିବାକୁ ବିଲ୍ ଜରିଆରେ କୁହାଯାଇଛି। କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ୟୁସିସି ଲାଗୁ କରି ନଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହାଗୁ ରାଜ୍ୟରେ ପ୍ରଣୟନ କରିଛନ୍ତି।
ୟୁସିସି କ’ଣ?
ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ଆଇନରେ ବାନ୍ଧି ରଖିବାକୁ ହେଉଛି ୟୁସିସି। ଏହାର ସମର୍ଥନ ଓ ବିରୋଧରେ ଅନେକ ଲୋକ ରହିଛନ୍ତି। ସପକ୍ଷବାଦୀମାନେ ସମାନତା ସମ୍ପର୍କରେ ଯୁକ୍ତି କରୁଛନ୍ତି। କିନ୍ତୁ ବିରୋଧକାରୀ ଏପରି ନିୟମ ସାମାଜିକ ବିଭେଦ ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି। ୟୁସିସିରେ ଅନେକ ସାମାଜିକ ପ୍ରସଙ୍ଗ ଯଥା- ବାହାଘର, ଛାଡ଼ପତ୍ର, ଉତ୍ତରାଧିକାର, ନିକା ହଲାଲା ଓ ଲିଭ ଇନ ରିଲେସନଶିପ କଥା ରହିଛି। ବାହାଘର, ଛାଡ଼ପତ୍ର ଓ ଲିଭ ଇନ ପାଇଁ ୟୁସିସିରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି।
ଉତ୍ତରାଖଣ୍ଡରେ ୟୁସିସି
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଧାମି ଘୋଷଣା କରିଥିଲେ ଯେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ସେ ୟୁସିସି ଲାଗୁ କରିବେ। ନିର୍ବାଚନରେ ବିଜେପି ଜିତିବା ପରେ ଧାମି ୟୁସିସି ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ସେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗୋଟିଏ ୫ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ୨.୩ ଲକ୍ଷ ନାଗରିକଙ୍କ ମତାମତ ଗ୍ରହଣ କରି ଗୋଟିଏ ଡ୍ରାଫ୍ଟ କୋଡ୍ ପ୍ରସ୍ତୁତ କରିଥିଲା।
୨୦୨୪ ଫେବୃଆରୀ ୨ରେ କମିଟି ପକ୍ଷରୁ ୭୪୦ ପୃଷ୍ଠାର ଡ୍ରାଫ୍ଟ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା। ଫେବୃଆରୀ ୪ରେ କମିଟି ଏହାକୁ ଅନୁମୋଦନ କରିଥିଲା। ଫେବୃଆରୀ ୬ରେ ସରକାର ଏହାକୁ ବିଧାନସଭାରେ ଆଗତ କରିଥିଲେ। ପରଦିନ ଏହା ପାରିତ ବି ହୋଇଯାଇଥିଲା। ରାଜ୍ୟପାଳ ଲେଫ୍ଟନାଣ୍ଟ(ଅବସରପ୍ରାପ୍ତ) ଗୁରମିତ ସିଂହ ଫେବୃଆରୀ ୨୮ରେ ଏହାକୁ ଅନୁମୋଦନ ଦେଇଥିବା ବେଳେ ମାର୍ଚ୍ଚ ୧୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା ଉପରେ ମୋହର ଲଗାଇଥିଲେ। ଜାନୁଆରୀ ୨୭ରୁ ଉତ୍ତରାଖଣ୍ଡରେ ଏହା ଲାଗୁ ହୋଇଛି।
ୟୁସିସି ଅଧୀନରେ କେଉଁମାନେ ରହିବେ?
ପୂରା ଉତ୍ତରାଖଣ୍ଡରେ ଏହି ଆଇନ କାର୍ଯ୍ୟକାରୀ ହେବ। ଉତ୍ତରାଖଣ୍ଡ ବାହାରେ ରହୁଥିବା ରାଜ୍ୟର ଲୋକ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ। ଅନୁସୂଚିତ ଜନଜାତି ଓ ସଂରକ୍ଷିତ ବର୍ଗର ଲୋକ ଓ ସଂପ୍ରଦାୟକଙ୍କ କ୍ଷେତ୍ରରେ ୟୁସିସି ଲାଗୁ ହେବ ନାହିଁ। ଉତ୍ତରାଖଣ୍ଡରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟର ୩%।
କେମିତି ଅନଲାଇନ ପୋର୍ଟାଲ ବ୍ୟବହାର କରିବେ?
ପଞ୍ଜୀକରଣ ପାଇଁ ଆଜି ଠାରୁ ମୁଖ୍ୟମନ୍ତ୍ରୀ ଧାମି ଗୋଟିଏ ପୋର୍ଟାଲ ଲଞ୍ଚ କରିଛନ୍ତି। ଆସନ୍ତା ସପ୍ତାହରୁ ଉତ୍ତରାଖଣ୍ଡର ନାଗରିକମାନେ ଏହାକୁ ବ୍ୟବହାର କରିପାରିବେ। ଏହି ପୋର୍ଟେଲ ଜରିଆରେ ବାହାଘର, ଛାଡ଼ପତ୍ର, ଉତ୍ତରାଧିକାର, ଲିଭ ଇନ ରିଲେସନଶିପ ଓ ଏହାର ଶେଷ ସମ୍ପର୍କରେ ଲୋକମାନେ ପଞ୍ଜୀକରଣ କରିବାର ଅନୁମତି ପାଇବେ। ମୋବାଇଲ ଫୋନ ଜରିଆରେ ଜଣେ ପୂରା ପ୍ରକ୍ରିୟାକୁ ଘରେ ବସି ଶେଷ କରିପାରିବ। ସେମାନେ ଆବେଦନର ଷ୍ଟାଟସକୁ ଇ-ମେଲ କିମ୍ବା ଏସଏମଏସ୍ ଦ୍ୱାରା ଜାଣିପାରିବେ।
ଲିଭ ଇନ୍ ପାଇଁ କ’ଣ ରହିଛି ନିୟମ?
ୟୁସିସି ଲାଗୁ ହୋଇଥିବାରୁ ଏଣିକି ଲିଭି-ଇନ୍-ରିଲେସନଶିପରେ ଥିବା କିମ୍ବା ରହିବାକୁ ଯୋଜନା କରୁଥିବା କପଲଙ୍କୁ ଜିଲ୍ଲା ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଯଦି ୨୧ ବର୍ଷରୁ କମ୍ ବୟସର ପିଲା ଏହି ରିଲେସନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ବାପା-ମା’ଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। କେବଳ ଏତିକି ନୁହେଁ, ଉତ୍ତରାଖଣ୍ଡର ନାଗରିକତ୍ୱ ଥାଇ ଯଦି ଅନ୍ୟ ରାଜ୍ୟରେ ଲିଭ୍-ଇନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ମଧ୍ୟ ପଞ୍ଜୀକରଣ କରିବାକୁ ବାଧ୍ୟ।
ସେହିପରି ଯାହା ‘ସାଧାରଣ ନୀତି ଏବଂ ନୈତିକତା ବିରୁଦ୍ଧରେ’ସେ କ୍ଷେତ୍ରରେ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜୀକୃତ କରାଯିବ ନାହିଁ। ଯଦି ଜଣେ ବ୍ୟକ୍ତି ବିବାହିତ କିମ୍ବା ଅନ୍ୟ ସମ୍ପର୍କରେ ଥିବେ, ଯଦି ଜଣେ ପାର୍ଟନର ନାବାଳିକା/ନାବାଳକ ହୋଇଥିବେ, ବାଧ୍ୟବାଧକତା କିମ୍ବା ଠକେଇ କ୍ଷେତ୍ରରେ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜିକୃତ କରାଯିବ ନାହିଁ। ଲିଭ୍-ଇନ୍ ସମ୍ପର୍କର ବିବରଣୀ ଗ୍ରହଣ କରିବାକୁ ଏକ ୱେବସାଇଟ୍ ପ୍ରସ୍ତୁତ ହୋଇଛି। ଏହି ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ ହୋଇପାରିବ, ଯାହା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଦ୍ୱାରା ବୈଧ କି ନୁହେଁ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳରେ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଉଭୟ ପାର୍ଟନର୍ କିମ୍ବା ଅନ୍ୟ କାହାକୁ ଡକାଯାଇପାରେ।
ଯଦି ରେଜିଷ୍ଟ୍ରାର ପଞ୍ଜିକରଣକୁ ଖାରଜ କରିଦିଅନ୍ତି, ତେବେ ତାଙ୍କୁ ଏହାର ଯଥାର୍ଥ କାରଣ ଲିଖିତ ଆକାରରେ ଜଣାଇବେ। ଯଦି ସମ୍ପର୍କ ଶେଷ ହେବାର କାରଣ ଭୁଲ୍ କିମ୍ବା ସନ୍ଦେହଜନକ ମନେହୁଏ, ତେବେ ପୁଲିସ ଏହାର ଯାଞ୍ଚ ପାଇଁ ପାର୍ଟନରଙ୍କୁ ଡକାଇପାରେ। ଯଦି ୨୧ ବର୍ଷର କମ୍ ବୟସ୍କ ପିଲା ହୋଇଥିବେ ତେବେ ସେମାନଙ୍କ ସହ ସେମାନଙ୍କ ଅଭିଭାବକ ମଧ୍ୟ ତଦନ୍ତର ପରିସରକୁ ଆସିବେ।
ଲିଭ୍-ଇନ୍ ସମ୍ପର୍କ ଘୋଷଣାନାମା ଦାଖଲ କରିବାରେ ବିଫଳତା, କିମ୍ବା ମିଥ୍ୟା ସୂଚନା ପ୍ରଦାନ ପାଇଁ ତିନି ମାସ ଜେଲ୍, ୨୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଲାଗୁ ହୋଇପାରେ। ଲିଭ-ଇନ୍ ସମ୍ପର୍କ ପଞ୍ଜିକରଣ କରିବାରେ ବିଫଳ ହେଲେ ସର୍ବାଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୨୫,୦୦୦ ଜୋରିମାନା କିମ୍ବା ଉଭୟ ଦଣ୍ଡ ଲାଗୁ ହେବ। ପଞ୍ଜିକରଣରେ ବିଳମ୍ବ ହେଲେ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ, ୧୦,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, “ୟୁନିଫର୍ମ ସିଭିଲ କୋଡ ସଫଳତାର ସହ ଉତ୍ତରାଖଣ୍ଡରେ ଏହି ମୁହୂର୍ତ୍ତରୁ ଲାଗୁ ହୋଇଛି। ରାଜ୍ୟର ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଓ ସିଭିଲ ଅଧିକାର ଏବେ ଆଇନ ଦୃଷ୍ଟିରେ ଏକ ଏବଂ ସମାନ। ସବୁ ଧର୍ମର ମହିଳା ଏଣିକି ସମାନ ଅଧିକାର ପାଇବେ।” ଶ୍ରୀ ଧାମି ୟୁସିସି ପାଇଁ ଗୋଟିଏ ନିୟମ ପୁସ୍ତିକା ସହ ଆବେଦନ ସଂକ୍ରାନ୍ତ ପୋର୍ଟାଲ ଲଞ୍ଚ କରିଛନ୍ତି।
ୟୁସିସି ଅଧୀନରେ ବାହାଘର
୧- ୟୁସିସିରେ ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିଛି। ବାହାଘରର ପଞ୍ଜୀକରଣ ବାଧ୍ୟତାମୂଳକ।
୨- ବହୁ ବିବାହ ପ୍ରଥା ଓ ନିକା ହଲାଲାକୁ ବ୍ୟାନ କରାଯାଇଛି। ହଲାଲା ହେଉଛି ଇସଲାମ ଧର୍ମରେ ଥିବା ବିବାଦୀୟ ବାହାଘର ପ୍ରଥା। ଏହି ପ୍ରଥା ଅନୁସାରେ ଛାଡ଼ପତ୍ର ପାଇଥିବା ମହିଳା ତାଙ୍କ ପୂର୍ବତନ ପତ୍ନୀଙ୍କୁ ଯଦି ପୁଣି ବାହା ହେବାକୁ ଚାହିଁବେ, ତା’ହେଲେ ତାଙ୍କୁ ଆଉ ଜଣଙ୍କ ବିବାହ କରିବାକୁ ପଡ଼ିବ। ଏହାପରେ ତାଙ୍କୁ ଛାଡ଼ପତ୍ର ଦେଇ ପୂର୍ବତନ ସ୍ୱାମୀଙ୍କୁ ବାହା ହେବାକୁ ପଡ଼ିବ। କିନ୍ତୁ ୟୁସିସିରେ ଏହାକୁ ନିଷିଦ୍ଧ କରାଯାଇଛି।
୩- ବାହାଘର ଧାର୍ମିକ ପରମ୍ପରା କିମ୍ବା ଆଇନଗତ ଉପାୟରେ କରାଯାଇ ପାରିବ। କିନ୍ତୁ ବାହାଘରର ୬୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ ବାଧ୍ୟତାମୂଳକ।
୪- ୨୦୧୦ ମାର୍ଚ୍ଚ ୨୬ ପୂର୍ବରୁ ହୋଇଥିବା ବାହାଘର କିମ୍ବା ଉତ୍ତରାଖଣ୍ଡ ବାହାରେ ହୋଇଥିବା ବାହାଘର ଗୁଡ଼ିକର ପଞ୍ଜୀକରଣ ପାଇଁ ୧୮୦ ଦିନର ସମୟ ମିଳିଛି। ତେବେ ଏହା ବାଧ୍ୟତାମୂଳକ ନୁହେଁ।
୫- ଯେକୌଣସି ସ୍ଥଳ ସେନା, ବାୟୁ ସେନା ଓ ନୌସେନାର କର୍ମଚାରୀ ଯୁଦ୍ଧ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି, ତା’ହେଲେ ସେମାନେ ଆଇନକୁ ନିଜ ଇଚ୍ଛା ଅନୁସାରେ ସମୟ ନେଇ କାର୍ଯ୍ୟକାରୀ କରିପାରିବେ।
୬- ବାହାଘର ପଞ୍ଜୀକରଣ ନ କଲେ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ।
ୟୁସିସି ଅଧୀନରେ ଛାଡ଼ପତ୍ର
ଛାଡ଼ପତ୍ର ପାଇଁ ପତି ଓ ପତ୍ନୀଙ୍କର ସମାନ କାରଣ ଏବଂ ଆଧାର ରହିବା ଦରକାର। ଛାଡ଼ପତ୍ର ପାଇଁ ଯେଉଁ କାରଣ ସ୍ୱାମୀଙ୍କ ପାଇଁ ଲାଗୁ ହେବ, ସେହି କାରଣ ପତ୍ନୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାର ଅର୍ଥ ଜଣେ ସ୍ୱାମୀ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ବାହାଘରର ବର୍ଷକ ମଧ୍ୟରେ କେହି ବି ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ନାହିଁ। ବାହାଘର ପରେ ଯଦି ଅନୈତିକ ସମ୍ପର୍କ ସ୍ୱାମୀ କିମ୍ବା ପତ୍ନୀ ରଖୁଛନ୍ତି, ତା’ହେଲେ ଛାଡ଼ପତ୍ର ପାଇଁ ଏହାକୁ କାରଣ ଭାବେ ବିବେଚନା କରାଯାଇ ପାରିବ।
ୟୁସିସିରେ ଉତ୍ତରାଧିକାର
ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।