ଷ୍ଟାର୍ମର ଓ ମୋଦି
ଭାରତ ଗସ୍ତରେ ଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର(Keir Starmer) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି। ନିକଟରେ ଭାରତ ସମ୍ପର୍କରେ ଟ୍ରମ୍ପ ‘ମୃତ ଅର୍ଥନୀତି’ ବୟାନ ଦେଇଥିଲେ। ଭାରତ ପକ୍ଷରୁ ରୁଷ ଠାରୁ ତେଲ କିଣା ଯାଉଥିବାରୁ ୫୦% ଟାରିଫ ଲଗାଇଥିବା ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନ ବେଶ ଚର୍ଚ୍ଚାକୁ ଆସିଥିଲା।
କିନ୍ତୁ ଏବେ ଭାରତ ମାଟିରେ ଛିଡ଼ା ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ସିଧାସଳଖ ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନକୁ କାଉଣ୍ଟର କରିଛନ୍ତି। ଷ୍ଟାର୍ମରଙ୍କ କହିବା କଥା ଯେ ୨୦୨୮ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥନୀତିରେ ପରିଣିତ ହେବ। ତୃତୀୟ ସର୍ବବୃହତ୍ତ ଅର୍ଥନୀତିକ ରାଷ୍ଟ୍ର ହେବା ପାଇଁ ଭାରତ ଉପଯୁକ୍ତ ମାର୍ଗରେ ରହିଛି ବୋଲି ସେ କହିଛନ୍ତି।
ଭାରତର ଅଭିବୃଦ୍ଧି କାହାଣୀ ଅତ୍ୟନ୍ତ ଚତ୍ମକାର ବୋଲି କହିବାକୁ ମଧ୍ୟ ଷ୍ଟାର୍ମର ପଛାଇ ନାହାନ୍ତି। ଭାରତ ନିକଟରେ ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ସର୍ବବୃହତ୍ତ ଅର୍ଥନୀତିରେ ପରିଣତ ହୋଇଥିଲା। ଏବେ ଭାରତ ସହ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାକୁ ଆସିଥିବା ଷ୍ଟାର୍ମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଉପସ୍ଥିତିରେ ଏପରି ବୟାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ହେବା ପରେ ଷ୍ଟାର୍ମର ପ୍ରଥମଥର ପାଇଁ ଭାରତ ଆସିଛନ୍ତି। ଆଜି ସେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ପ୍ରଥମେ ହିନ୍ଦୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଭାରତର ଅଭିବୃଦ୍ଧି ଯାତ୍ରାରେ ବ୍ରିଟେନ(UK) ଯୋଡ଼ି ହେବାକୁ ଚାହୁଁଥିବା ମଧ୍ୟ ସେ ମତ ରଖିଛନ୍ତି।
ସେ କହିଛନ୍ତି, “ବନ୍ଧୁମାନେ ନମସ୍କାର। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ୨୦୨୮ ସୁଦ୍ଧା ଭାରତକୁ ତୃତୀୟ ସର୍ବବୃହତ୍ତ ଅର୍ଥନୀତି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆପଣ ବିକଶିତ ଭାରତ ଆଭିମୁଖ୍ୟ ଦ୍ୱାରା ଭାରତକୁ ୨୦୪୭ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି। ଏଠାକୁ ଆସିବା ପରେ ମୁଁ ଯାହା ସବୁ ଦେଖିବାକୁ ପାଇଛି, ମୋତେ ଲାଗୁଛି ଭାରତ ନିଜର ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ମାର୍ଗରେ ରହିଛି। ଆମେ ଏବେ ସେହି ଯାତ୍ରାର ସାଥୀ ହେବାକୁ ଚାହୁଁଛୁ।”
ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନ
୧୦୦ ଜଣ ସିଇଓ, ଉଦ୍ୟୋଗୀ, ବିଶ୍ୱବିଦ୍ୟାଳୟର କୁଳପତି ଓ ସାଂସ୍କୃତିକ ନେତାଙ୍କୁ ସାଙ୍ଗରେ ଧରି ଷ୍ଟାର୍ମର ଭାରତ ଗସ୍ତରେ ଆସିଛନ୍ତି। ନିକଟରେ ଭାରତର ଅର୍ଥନୀତିକୁ ମୃତ ବୋଲି ଟ୍ରମ୍ପ କହିଥିଲେ। ହେଲେ ଷ୍ଟାର୍ମର ନିଜ ବୟାନ ଦ୍ୱାରା ଭାରତର ଅର୍ଥନୀତି ଆଦୌ ମୃତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଏପରି ବୟାନ ଟ୍ରମ୍ପଙ୍କ ମୃତ ଅର୍ଥନୀତିର କାଉଣ୍ଟର ବୋଲି କୁହାଯାଉଛି।
ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ପ୍ରାୟ ଦୁଇ ମାସ ତଳେ ଟ୍ରମ୍ପ ନୂଆଦିଲ୍ଲୀ ଉପରେ କ୍ଷୁବ୍ଧ ହୋଇଥିଲେ। ଏହି ସମୟରେ ସେ ଭାରତ ପ୍ରତି ମୃତ ଅର୍ଥନୀତି ଶବ୍ଦ ପ୍ରୟୋଗ କରିଥିଲେ। ସେ କହିଥିଲେ, “ରୁଷ ସହ ଭାରତ କ’ଣ କରୁଛି, ସେଥିରେ ମୋର କିଛି ଯାଏ ଆସେ ନାହିଁ। ସେମାନେ ନିଜର ମୃତ ଅର୍ଥନୀତିକୁ ଏକାଠି ଧରି ବୁଡ଼ିବେ।” ଆମେରିକା ଭାରତ ଉପରେ ୫୦% ଟାରିଫ ଲଗାଇଥିବା ବେଳେ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଥିଲା।
ଟ୍ରମ୍ପ ଭାରତର ଅର୍ଥନୀତିକୁ ମୃତ ବୋଲି କହିଛନ୍ତି। କିନ୍ତୁ ଭାରତର ଅର୍ଥନୀତିକ ଅଭିବୃଦ୍ଧି ଏପ୍ରିଲ-ଜୁନ କ୍ୱାର୍ଟରରେ ୭.୮% ରହିଥିଲା। ଏବେ ଷ୍ଟାର୍ମର ମଧ୍ୟ ଭାରତର ଅର୍ଥନୀତିକ ଅଭିବୃଦ୍ଧି ଦେଖି ମୁଗ୍ଧ ହୋଇଛନ୍ତି। ଖାସ ଏଥିପାଇଁ ସେ ଭାରତର ଅଭିବୃଦ୍ଧି ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/09/uk-2025-10-09-14-18-59.jpg)