Advertisment

ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ, କ୍ଷୀର ପିଇବାକୁ କହିଲେ ଉମା ଭାରତୀ

ଉମା ଭାରତୀ ବିଦେଶୀ ମଦ ବିକ୍ରି ହେଉଥିବା ଗୋଟିଏ ଦୋକାନ ଆଗରେ ଗାଈ ବାନ୍ଧି ପ୍ରତିବାଦ କରିଛନ୍ତି। ସେ ମଦ ନୁହେଁ, କ୍ଷୀର ପିଅ ବୋଲି ନାରା ମଧ୍ୟ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Uma Bharti

Uma Bharti

ମଦ ଉପରେ ବ୍ୟାନ ଲଗାଇବା ଦାବିରେ ଆନ୍ଦୋଳନ କରୁଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ଲୋକଙ୍କୁ ଜାଗୃତ କରିବା ପାଇଁ ମଦ ଦୋକାନ ଆଗରେ ବୁଲା ଗାଈ ବାନ୍ଧିଛନ୍ତି। ଏଥିସହ ସମସ୍ତଙ୍କୁ ମଦ ବଦଳରେ କ୍ଷୀର ପିଇବାକୁ କହିଛନ୍ତି।

Advertisment

ମଧ୍ୟପ୍ରଦେଶର ଓରଚା ସହରରେ ଥିବା ଗୋଟିଏ ମଦ ଦୋକାନ ଆଗରେ ଉମା ଭାରତୀ ଏପରି କରିଛନ୍ତି। ପ୍ରଥମେ ସେ ମଦ ଦୋକାନ ଆଗରେ ପହଞ୍ଚି ଏକାଧିକ ବୁଲା ଗାଈଙ୍କୁ ସେଠାରେ ବାନ୍ଧିଥିଲେ। ଏହାପରେ ସେମାନଙ୍କୁ ନଡ଼ା ଓ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥିଲେ। ଏହା ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ ଏକାଠି ହେବା ପରେ ସେ ସମସ୍ତଙ୍କୁ ମଦ ଛାଡ଼ି ଗାଈ କ୍ଷୀର ପିଇବା ଉଚିତ ବୋଲି କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ବିଜେପି ଶାସିତ ମଧ୍ୟପ୍ରଦେଶରେ ହିଁ ମଦ ପିଇବା ବିରୋଧରେ ନିଜର ଅଭିଯାନ ଜାରି ରଖିଛନ୍ତି। ଏଥିସହ ସରକାର ମଦ ପିଇବାକୁ ଆଦୌ ଉତ୍ସାହିତ ନ କରନ୍ତୁ ବୋଲି ବାରମ୍ବାର ମତ ରଖିଛନ୍ତି। ଏହିକ୍ରମରେ ସେ ଓରଚାରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଓରଚାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି।

Advertisment

ରାଜ୍ୟର ମନ୍ଦିର ସହର ଭାବେ ପରିଚିତ ଓରଚାରେ ମଦ ଦୋକାନ ସଂଖ୍ୟା ମଧ୍ୟ କମ ନୁହେଁ। ତେଣୁ ଉମା ଭାରତୀ ବିଦେଶୀ ମଦ ବିକ୍ରି ହେଉଥିବା ଗୋଟିଏ ଦୋକାନ ଆଗରେ ଗାଈ ବାନ୍ଧି ପ୍ରତିବାଦ କରିଛନ୍ତି। ସେ ମଦ ନୁହେଁ, କ୍ଷୀର ପିଅ ବୋଲି ନାରା ମଧ୍ୟ ଦେଇଛନ୍ତି। ଏହି ଘଟଣା ଏବେ ପୂରା ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତବର୍ଷ ସମାନ ମଦ ଦୋକାନ ଉପରକୁ ଗୋବର ଫିଙ୍ଗି ଉମା ଭାରତୀ ପ୍ରତିବାଦ କରିଥିଲେ। ୨୦୨୨ ମାର୍ଚ୍ଚ ମାସରେ ଭୋପାଲରେ ଥିବା ଗୋଟିଏ ମଦ ଦୋକାନ ଉପରକୁ ଉମା ଓ ତାଙ୍କ ସହଯୋଗୀମାନେ ପଥର ମାଡ଼ କରିଥିଲେ। ଓରଚାର ମଦ ଦୋକାନ ଆଗରେ ଉମା ଭାରତୀ ଗାଈ ବାନ୍ଧି ପ୍ରତିବାଦ କରିଥିଲେ ହେଁ ଭୟରେ ଏହାର ସେଲସମ୍ୟାନ ଶଟର ପକାଇ ଦେଇଥିଲେ। କାଳେ ସେ ପଥର କିମ୍ବା ଅନ୍ୟ କିଛି ଜିନିଷ ଦୋକାନକୁ ଫିଙ୍ଗିବେ, ସେହି ଆଶଙ୍କାରେ ବ୍ୟକ୍ତି ଜଣଙ୍କ ଦୋକାନ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି।

Bjp Uma Bharti