/odisha-reporter/media/media_files/2025/11/14/kashmir-2025-11-14-11-47-51.jpg)
ମାଟିରେ ମିଶିଲା ଉମରର ଘର
ଦିଲ୍ଲୀର ଲାଲକିଲ୍ଲାରେ ଆତ୍ମଘାତୀ କାର ବିସ୍ଫୋରଣ(Blast In Delhi) କରିଥିବା ଡାକ୍ତର ଉମର ନବିର ପୁଲୱାମା ଘରକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ। ଶୁକ୍ରବାର ଭୋରରୁ ଉମରର ଘରକୁ ଆଇଇଡି ବିସ୍ଫୋରଣ ଦ୍ୱାରା ମାଟିରେ ମିଶାଇ ଦିଆଯାଇଛି। ଲାଲକିଲ୍ଲା ଆତ୍ମଘାତୀ ଆତଙ୍କବାଦୀ ହମଲାରେ ଉମର ସାମିଲ ଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରୁ ଏପରି ପଦକ୍ଷେପ ନିଆଯାଇଛି।
ଏହାପୂର୍ବରୁ ଉମରର ଦୁଇ ଭାଇ, ମା’ ଓ ବାପାଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ମା’ଙ୍କ ଡିଏନଏ ସଂଗ୍ରହ କରି ଉମର ଆତ୍ମଘାତୀ ହମଲାରେ ପ୍ରାଣ ହରାଇଥିବା ଖବରକୁ ନିଶ୍ଚିତ ମଧ୍ୟ କରାଯାଇଥିଲା।
ସୋମବାର ଉମର ନବି ଆଇ ୨୦ କାର ସହ ଲାଲକିଲ୍ଲାରେ ବିସ୍ଫୋରଣ କରିଥିଲା। ଏଥିରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପରେ ଜମ୍ମୁ-କଶ୍ମୀର ପୁଲିସ୍ ଉପତ୍ୟକାର ବିଭିନ୍ନ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଉମରର ପରିବାର ଲୋକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା।
ଅଧିକାରୀଙ୍କ କହିବା କଥା ଯେ ଉମର କଶ୍ମୀରର ଆଉ ୨ ଜଣ ଡାକ୍ତରଙ୍କ ସହ ନିମୟିତ ଯୋଗାଯୋଗରେ ରହିଥିଲା। ଫରିଦାବାଦ ଟେରର ମଡ୍ୟୁଲର ପର୍ଦ୍ଦାଫାସ ହେବା ସହ ପୁଲିସ୍ ୨୯୦୦ କେଜିର ବିସ୍ଫୋରଣ ଜବତ କରିଥିଲା। ଏହି ଘଟଣା ପରେ ଉମର ଆତଙ୍କିତ ହେବା ସହ ଧାର୍ଯ୍ୟ ସମୟ ପୂର୍ବରୁ ସୋମବାର ହିଁ ଲାଲକିଲ୍ଲାରେ କାର ବିସ୍ଫୋରଣ କରିଥିଲା।
ସୋମବାର ଅପରାହ୍ନ ପ୍ରାୟ ୩.୧୯ରେ ଉମରର କାର ସୁନେହରି ମସଜିଦର ପାର୍କିଂ ଲଟ୍ରେ ପ୍ରବେଶ କରିଥିଲା। ପାର୍କିଂ ସ୍ଥଳରେ ଅନ୍ୟ କାରଗୁଡ଼ିକ ଭିତରେ ଉମର ଆଇ ୨୦ ସହ ୩ ଘଣ୍ଟା ରହିଥିଲା। ଏହି ୩ ଘଣ୍ଟା ମଧ୍ୟରେ କେହି ବି କାର ପାଖକୁ ଯାଇ ନଥିଲେ କିମ୍ବା କାରରୁ କେହି ବାହାରି ନଥିଲେ।
ସନ୍ଧ୍ୟା ୬.୨୨ରେ ପାର୍କିଂ ସ୍ଥଳରୁ ବାହାରିଥିଲା କାର୍। ଏହା ସିଧା ରେଡ ଫୋର୍ଟ ମେଟ୍ରୋ ଷ୍ଟେସନକୁ ଯାଇଥିଲା। ଶେଷରେ ସନ୍ଧ୍ୟା ୬.୫୨ରେ ଜନଗହଳୀ ପୂର୍ଣ୍ଣ ଲାଲକିଲ୍ଲା ଟ୍ରାଫିକରେ ଉମର ନିଜ ସହ କାରକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏଥିରେ ଉମର ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
