ଜଳବାୟୁ ପରିବର୍ତ୍ତନ କେମିତି ବିଶ୍ୱ ଉପରେ ପ୍ରଭାବ ପକାଉଛି, ତା’ର ରିପୋର୍ଟ ଜାତିସଂଘ ପକ୍ଷରୁ ପ୍ରକାଶ କରାଇଛି। ବିଶ୍ୱ ପାଣିପାଗ ସଂଗଠନ(WMO) ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର କେମିତି ପ୍ରଭାବିତ ହୋଇଛନ୍ତି, ତା’ର ଚିତ୍ର ଉପସ୍ଥାନପ କରିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତାପ ସୃଷ୍ଟି କରୁଥିବା ଗ୍ରୀନ୍ ହାଉସ୍ ଗ୍ୟାସର ରେକର୍ଡ ସ୍ତର ସମଗ୍ର ବିଶ୍ୱରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ବା ହିଟ୍ୱେଭ ସ୍ଥିତିକୁ ବୃଦ୍ଧି କରିଛି। ୨୦୨୨ ବର୍ଷରେ ହିଟୱେଭ ଯୋଗୁ ୟୁରୋପରେ ପ୍ରାୟ ୧୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଛି।
ମିଳିତ ଜାତିସଂଘର ଏଜେନ୍ସି WMO ଏହାର ରିପୋର୍ଟରେ କହିଛି ଯେ ନିର୍ଦ୍ଦିଷ୍ଟ ସ୍ଥାନରୁ ମିଳିଥିବା ରିଅଲ୍ ଟାଇମ୍ ଡାଟାରୁ ଜଣାପଡ଼ିଛି ଯେ ତିନୋଟି ଗ୍ରୀନ୍ ହାଉସ୍ ଗ୍ୟାସ୍- କାର୍ବନ ଡାଇଅକ୍ସାଇଡ୍, ମିଥେନ ଓ ନାଇଟ୍ରସ୍ ଅକ୍ସାଇଡସ୍ତରର ବୃଦ୍ଧି ୨୦୨୨ରେ ଅଧିକ ଦେଖିବାକୁ ମିଳିଥିଲା।
ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଡ଼ି, ବନ୍ୟା ଓ ହିଟୱେଭ ଭାରତ ସମେତ ସବୁ ମହାଦେଶରେ ରହୁଥିବା ଲୋକଙ୍କୁ ପ୍ରଭାବିତ କରିଛି। ଏଥିରୁ ମୁକୁଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଛି। ଆଣ୍ଟାର୍କଟିକ୍ ସମୁଦ୍ରରେ ଥିବା ବରଫ ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଛି। କେତେକ ୟୁରୋପୀୟ ଗ୍ଲେସିୟର ତରଳିବା ମଧ୍ୟ ଆରମ୍ଭ ହୋଇଛି। ଗତ ୮ ବର୍ଷ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ସବୁଠାରୁ ଅଧିକ ରହିଛି। ୨୦୨୨ରେ ଏହା ସ୍ୱାଭାବିକ ଠାରୁ ୧.୧୫ ଡିଗ୍ରୀ ଅଧିକ ରହିଥିଲା।
WMO ସେକ୍ରେଟେରୀ ଜେନେରାଲ ପେଟେରୀ ତାଲାସ ଗୋଟିଏ ବିବୃତିରେ କହିଛନ୍ତି ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବଢ଼ିବାରେ ଲାଗିଛି ଓ ଜଳବାୟୁ ପରିବର୍ତ୍ତନ ଜାରି ରହିଥିବାରୁ ବିଶ୍ୱର ଲୋକମାନେ ପାଣିପାଗର ଭୟଙ୍କର ରୂପରେ ପ୍ରଭାବିତ ହେଉଛନ୍ତି। ୨୦୨୨ରେ ପୂର୍ବ ଆଫ୍ରିକାରେ ଲଗାତାର ମରୁଡ଼ି, ପାକିସ୍ତାନରେ ରେକର୍ଡ ଭାଙ୍ଗିଥିବା ବର୍ଷା ଓ ଚାଇନା ଏବଂ ୟୁରୋପରେ ରେକର୍ଡ ଭାଙ୍ଗିଥିବା ଗ୍ରୀଷ୍ମ ପ୍ରବାହ ଏହାର ଉଦାହରଣ। ଏହାଦ୍ୱାରା ଖାଦ୍ୟ ନିରାପତ୍ତା ବଢ଼ିଛି, ବହୁ ଲୋକ ପଳାୟନ କରିଛନ୍ତି ଓ କ୍ଷୟକ୍ଷତି ଯୋଗୁ କୋଟି କୋଟି ଟଙ୍କା ନଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ଭାରତରେ ମୌସୁମୀର ଆଗମନ ଆଗୁଆ ହୋଇଥିଲା ଓ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଭାରତ ଓ ପଡ଼ୋଶୀ ପାକିସ୍ତାନରେ ମୌସୁମୀ ପୂର୍ବରୁ ପ୍ରବଳ ଗରମ ଅନୁଭତ ହେଉଥିଲା। ଅତ୍ୟଧିକ ଉତ୍ତାପ ଶସ୍ୟ ଅମଳର ପରିମାଣକୁ ହ୍ରାସ କରିଛି। ଅନେକ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟାଇଥିଲା। ବିଶେଷ କରି ପାହାଡ଼ ରାଜ୍ୟ ଉତ୍ତରାଖଣ୍ଡ ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା।
WMO ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଭାରତ ଓ ପାକିସ୍ତାନରେ ମୌସୁମୀ ପୂର୍ବରୁ ଦେଖାଯାଇଥିବା ହିଟୱେଭ୍ ଯୋଗୁ ଫସଲ ଅମଳରେ କମ ହୋଇଥିଲା। ଏଥିପାଇଁ ଗହମ ରପ୍ତାନୀ ଉପରେ ରୋକ ଲାଗିଥିଲା। ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତର ଚାଉଳ ରପ୍ତାନୀ ଉପରେ ମଧ୍ୟ ରୋକ ଲାଗିଥିଲା। ଫଳରେ ଅନ୍ତର୍ଜାତୀୟ ଖାଦ୍ୟ ବଜାରରେ ଖାଦ୍ୟ ଉପଲବ୍ଧତା ବିପଦରେ ପଡ଼ିଥିଲା।
ଭାରତରେ ମୌସୁମୀ ବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ୨୦୨୨ ଜୁନରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ବଜ୍ରପାତ ଯୋଗୁ ମଧ୍ୟ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
ଚାଇନାରେ ଗ୍ରୀଷ୍ମ ପ୍ରବାହ ରେକର୍ଡ କରିବା ସହ ଦୀର୍ଘ ସମୟ ଧରି ଗରମ ଅନୁଭୂତ ହୋଇଥିଲା। ଜୁନ ମଧ୍ୟଭାଗରୁ ଅଗଷ୍ଟ ଶେଷ ଯାଏ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ୟୁରୋପ ମଧ୍ୟ ଅନେକ ଉତ୍ତାପର ସମ୍ମୁଖୀନ ହୋଇଥିଲା। ପ୍ରବଳ ଗରମ ଯୋଗୁ ସ୍ପେନରେ ପ୍ରାୟ ୪,୬୦୦, ଜର୍ମାନୀରେ ୪,୫୦୦, ବ୍ରିଟେନରେ ୨,୮୦୦ ଓ ପର୍ତ୍ତୁଗାଲରେ ପ୍ରାୟ ୧୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।