/odisha-reporter/media/post_attachments/uploadimage/library/16_9/16_9_0/CDS_1748685619.jpg)
CDS
ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସହ ହୋଇଥିବା ଲଢ଼େଇରେ ଭାରତ ଯୁଦ୍ଧ ବିମାନ ହରାଇଥିବା କଥାକୁ ପ୍ରଥମଥର ପାଇଁ ଭାରତୀୟ ସେନା ସ୍ୱୀକାର କରିଛି। ଏଥିସହ ପାକିସ୍ତାନ ସହ ୪ ଦିନ ଧରି ଚାଲିଥିବା ତିକ୍ତତା କୌଣସି ବି ସ୍ଥିତିରେ ଆଣିବିକ ଯୁଦ୍ଧ ଆଡ଼କୁ ଯାଇ ନଥିବା ମଧ୍ୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
୩ ସେନାର ମୁଖ୍ୟ ବା ଭାରତୀୟ ସଶସ୍ତ୍ର ବଳର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ଅନୀଲ ଚୌହାନ କହିଛନ୍ତି ଯେ “ଜେଟ ଖସିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଗୁଡ଼ିକ କାହିଁକି ଖସିଲା?”
ସିଙ୍ଗାପୁରରେ ଆୟୋଜିତ ଶଙ୍ଗ୍ରୀ ଲା ଡାଏଲଗ ବେଳେ ସିଡିଏସ୍ ଅନୀଲ ଚୌହାନ ବ୍ଲୁମବର୍ଗ ଟିଭକୁ ଗୋଟିଏ ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ଭାରତର ୬ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ନେଇ କରୁଥିବା ଦାବିକୁ ସଂପୂର୍ଣ୍ଣ ମିଛ ବୋଲି ମଧ୍ୟ ସିଡିଏସ ସ୍ପଷ୍ଟ କରିଛନ୍ତି। ସେ ଜଟ ଖସିଥିବା କଥାକୁ ସ୍ୱୀକାର କରିଥିଲେ ହେଁ ଲଢ଼େଇରେ ଭାରତ କେତୋଟି ବିମାନ ହରାଇଛି, ତା’ର ସଂଖ୍ୟା କହି ନାହାନ୍ତି।
ଯୁଦ୍ଧ ବିମାନ କ୍ଷୟକ୍ଷତି ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସିଡିଏସ୍ ଅନୀଲ ଚୌହାନ କହିଛନ୍ତି, “ସେଗୁଡ଼ିକ କାହିଁକି ଖସିଲା? ଆମେ କେଉଁ ପ୍ରକାରର ଭୁଲ କରିଥିଲୁ, ତାହା ଗୁରୁତ୍ୱପୂର୍ଣ୍ଣ। ସଂଖ୍ୟା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସବୁଠାରୁ ସକାରାତ୍ମକ ଘଟଣା ହେଲା ଆମେ କରିଥିବା ରଣନୀତିଗତ ତ୍ରୁଟିକୁ ବୁଝି ପାରିଥିଲୁ। ଏହାକୁ ସୁଧାରି ଥିଲୁ। ଏଥିରେ ସଂଶୋଧନ କରି ଆମେ ପୁଣି ଦୁଇ ଦିନ ପରେ ଏହାକୁ କାର୍ଯ୍ୟକାରୀ କରିଥିଲୁ ଓ ଆମର ସବୁ ଯୁଦ୍ଧ ବିମାନକୁ ଉଡ଼ାଇଥିଲୁ। ଦୂରଗାମୀ ଲକ୍ଷ୍ୟକୁ ଟାର୍ଗେଟ ବି କରିଥିଲୁ।”
ମେ’ ୭ରୁ ପାକିସ୍ତାନ ସହ ଆରମ୍ଭ ହୋଇଥିବା ଲଢ଼େଇ ବେଳେ ଭାରତର ଯୁଦ୍ଧ ବିମାନର ସ୍ଥିତି ସମ୍ପର୍କରେ ପ୍ରଥମଥର ପାଇଁ ଏପରି ବୟାନ ସିଡିଏସ୍ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦାବି କରିଥିଲେ ଯେ ଇସଲାମାବାଦ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଛି।
ହେଲେ ପାକିସ୍ତାନ ପକ୍ଷରୁ ଏହାର ପ୍ରମାଣ ଦିଆଯାଇ ପାରିନି। ଶରିଫ ଓ ପାକିସ୍ତାନ ଯୁଦ୍ଧ ବିମାନ ଖସାଇ ଦେବା ନେଇ ବୟାନ ଦେଉଥିଲେ ହେଁ ଭାରତ ସରକାର ଲଢ଼େଇରେ ଯୁଦ୍ଧ ବିମାନ ଖସିଛି କି ନାହିଁ, ତା’ର ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
