Advertisment

ୱାକଫକୁ ନେଇ ଆଇନ ଯୁଦ୍ଧ ଆରମ୍ଭ: ପ୍ରଶ୍ନ ମାଡ଼ରେ କେନ୍ଦ୍ର ସରକାର ଘାଇଲା

‘ୱାକଫ ବାଇ ୟୁଜର’ ସମ୍ପତ୍ତିର ପ୍ରାବଧାନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରୀୟ ୱାକଫ କାଉନସିଲରେ ଅଣ ମୁସଲିମମାନଙ୍କୁ ସାମିଲ କରିବା ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଉଠିଛି।

author-image
Hemant Lenka
Waqf

Waqf

ଅନେକ ବିରୋଧ ଓ ବବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶରେ ୱାକଫ ସଂଶୋଧନ ଆଇନ ଲାଗୁ କରିଛନ୍ତି। ୱାକଫ ବୋର୍ଡ ଦ୍ୱାରା ପରିଚାଳିତ ସମ୍ପତ୍ତିରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ପୂର୍ବରୁ ପ୍ରଚଳିତ ଆଇନରେ ଏକାଧିକ ସଂଶୋଧନ କରାଯାଇଛି। ଏହାକୁ ବିରୋଧୀ ବିରୋଧ କରୁଥିବା ବେଳେ ପଶ୍ଚିମବଙ୍ଗରେ ଆଇନ ବିରୋଧରେ ହିଂସାକାଣ୍ଡ ଘଟିଛି। ସଂସଦରେ ଉଭୟ ଗୃହ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନକ୍ରମେ ୱାକଫ ଆଇନ ଲାଗୁ ହୋଇଥିଲେ ହେଁ ବିବାଦ ଥମି ନାହିଁ।

Advertisment

ଏବେ ୱାକଫକୁ ନେଇ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୱାକଫ ସଂଶୋଧନ ଆଇନ ବିରୋଧରେ ୭୩ଟି ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିବା ବେଳେ ଆଜି ଠାରୁ ଏହାର ଶୁଣାଣି ଆରମ୍ଭ ହୋଇଛି। ଶୁଣାଣିର ପ୍ରଥମ ଦିନରେ ନୂଆ ୱାକଫ ଆଇନରେ ଥିବା ଏକାଧିକ ବ୍ୟବସ୍ଥାକୁ ନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି।

ବିଶେଷ କରି ‘ୱାକଫ ବାଇ ୟୁଜର’ ସମ୍ପତ୍ତିର ପ୍ରାବଧାନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରୀୟ ୱାକଫ କାଉନସିଲରେ ଅଣ ମୁସଲିମମାନଙ୍କୁ ସାମିଲ କରିବା ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଉଠିଛି। ହିନ୍ଦୁ ପରିଚାଳନା ବୋର୍ଡରେ କ’ଣ ମୁସଲିମମାନଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ରକୁ ସର୍ବୋଚ୍ଚ ଅଦାଲତ ପାଲଟା ପ୍ରଶ୍ନ କରିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ୱାକଫ ଆକ୍ଟ ବିରୋଧରେ ଆଗତ ୭୩ଟି ଆବେଦନର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା ଆବେଦନକାରୀମାନଙ୍କୁ ୨ଟି ପ୍ରଶ୍ନର ଉତ୍ତର ମାଗିଥିଲେ। ପ୍ରଥମ ପ୍ରଶ୍ନ ହେଲା- କ’ଣ ସୁପ୍ରିମକୋର୍ଟ ଆବେଦନଗୁଡ଼ିକୁ ହାଇକୋର୍ଟକୁ ପଠାଇ ପାରିବେ ଓ ଦ୍ୱିତୀୟ ପ୍ରଶ୍ନ ହେଲା-ଆବେଦନକାରୀ କେଉଁ ଉଦ୍ଦେଶ୍ୟରେ ଏଠାରେ ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଁଛନ୍ତି?

ଜଣେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ ନୂଆ ୱାକଫ ଆଇନରେ ଥିବା ଏକାଧିକ ପ୍ରାବଧାନ ସମ୍ବିଧାନର ଧାରା ୨୬କୁ ଉଲ୍ଲଙ୍ଘନ କରୁଛି। ଧାରା ୨୬ରେ ଧାର୍ମିକ ବ୍ୟାପାର ସମ୍ପର୍କରେ ସ୍ୱାଧୀନତାକୁ ନିଶ୍ଚିତ କରାଯାଇଛି। ଶ୍ରୀ ଶିବଲ ନୂଆ ଆଇନରେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଯୁକ୍ତି କରିଛନ୍ତି ଯେ ଜିଲ୍ଲାପାଳ ହେଉଛନ୍ତି ସରକାରଙ୍କ ଅଂଶ ବିଶେଷ ଓ ଯଦି ସେ ବିଚାରପତି ଭୂମିକାରେ ରହିବେ, ତା’ହେଲେ ଏହା ଅସାମ୍ବିଧାନିକ।

ଶିବଲ ଉଲ୍ଲେଖ କରିଥିଲେ ଯେ “ୱାକଫ ବାଇ ୟୁଜର’- ନିୟମ ଅନୁସାରେ ବୈଧ କାଗଜପତ୍ର ବିନା ଦୀର୍ଘ ବର୍ଷ ଧରି ଯଦି କୌଣସି ସମ୍ପତ୍ତି ଧାର୍ମିକ କିମ୍ବା ଚ୍ୟାରିଟେବୁଲ କାମ ପାଇଁ ବ୍ୟବହାର ହେଉଛି, ତା’ହେଲେ ଏହାକୁ ୱାକଫ ସମ୍ପତ୍ତି ଭାବେ ବିବେଚନା କରାଯିବ। କିନ୍ତୁ ନୂଆ ନିୟମରେ ଏହାକୁ ବଦଳାଇ ଦିଆଯାଇଛି। ବିବାଦୀୟ କିମ୍ବା ସରକାରୀ ଜମିରେ ଏହା ଲାଗୁ ହୋଇପାରିବ ନାହିଁ ବୋଲି ଏବେ କେନ୍ଦ୍ର ସରକାର ଆଣିଥିବା ଆଇନରେ ବ୍ୟବସ୍ଥା କରିଛନ୍ତି।

ଶିବଲଙ୍କ କହିବା କଥା ଯେ “ୱାକଫ ବାଇ ୟୁଜର ଇସଲାମର ଅବିଚ୍ଛେଦ୍ୟ ଅଙ୍ଗ। ସମସ୍ୟା ହେଲା ଯଦି ଗୋଟିଏ ୱାକଫ ୩ ହଜାର ବର୍ଷ ତଳେ ତିଆରି କରାଯାଇଛି, ଏବେ ସେମାନେ ଏହାର କାଗଜ ଦେଖାଇବାକୁ କହିବେ। କାଗଜ କେଉଁଠୁ ଆସିବ? ଏହି ଠାରେ ବିବାଦ ସୃଷ୍ଟି ହେବ।”

ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ମଧ୍ୟ ଜଣେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଛନ୍ତି। ସେ କହିଛନ୍ତି, “ଦେଶର ୮ ଲକ୍ଷ ୱାକଫ ସମ୍ପତ୍ତି ମଧ୍ୟରୁ ୪ ଲକ୍ଷ ହେଉଛି ୱାକଫ ବାଇ ୟୁଜର ସମ୍ପତ୍ତି।” ଏହି ସମୟରେ ସିଜେଆଇ କହିଥିଲେ ଯେ “ଆମକୁ କୁହାଯାଇଛି ଯେ କ’ଣ ଦିଲ୍ଲୀ ହାଇକୋର୍ଟ ୱାକଫ ଜମିରେ ତିଆରି ହୋଇଛି। ଆମେ କହୁନାହୁଁ ଯେ ସମସ୍ତ ୱାକଫ ବାଇ ୟୁଜର ଭୁଲ। କିନ୍ତୁ ଏଠାରେ ଚିନ୍ତା କରାଯିବା ସ୍ୱାଭାବିକ।” ସିଙ୍ଘଭୀ ଏହାପରେ କହିଥିଲେ ଆବେଦନକାରୀ ପୂରା ଆଇନ ନୁହେଁ, ବରଂ କିଛି ନିୟମ ଉପରେ ରୋକ ଲଗାଇବାକୁ ଚାହୁଁଛନ୍ତି।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ସଂସଦରେ ବିସ୍ତୃତ ଆଲୋଚନା ପରେ ଆଇନ ପାରିତ ହୋଇଥିଲା। ଯୁଗ୍ମ ସଂସଦୀୟ କମିଟି ଏହା ଉପରେ ଆଲୋଚନା କରିଥିଲା ଓ ଏହା ପୁଣି ଉଭୟ ଗୃହରେ ପାରିତ ହୋଇଥିଲା।

ଏତିକି ବେଳେ ସିଜେଆଇ ଜଷ୍ଟିସ ଖାନ୍ନା ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ୱାକଫ ବାଇ ୟୁଜର ପ୍ରୋଭିଜନ ଉପରେ ଫୋକସ କରିବାକୁ କହିଥିଲେ। ଆପଣ ଏଠାରେ କହିବାକୁ ଚାହୁଁଛନ୍ତି ଯେ ଯଦି ଗୋଟିଏ ୱାକଫ ବାଇ ୟୁଜର କୌଣସି ରାୟ କିମ୍ବା ଯେକୌଣସି ଉପାୟରେ ପ୍ରତିଷ୍ଠା ହୋଇଛି, ତା’ହେଲେ ଏବେ ନୂଆ ଆଇନ ବଳରେ ଏହା ଅବୈଧ ବା ବାତିଲ ହୋଇଯିବ? ୱାକଫର ଅଂଶ ବିଶେଷ ଥିବା ଅନେକ ମସିଜିଦ ୧୩, ୧୪ ଓ ୧୫ତମ ଶତାବ୍ଦୀରେ ତିଆରି ହୋଇଥିଲା। ଏବେ ସେସବୁ ମସଜିଦ ପାଇଁ କାଗଜ ଦେଖାଇବା ଅସମ୍ଭବ ବୋଲି ସିଜେଆଇ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଯଦି ସରକାର ୱାକ‍ଫ ବାଇ ୟୁଜରକୁ ହଟାଇ ଦେବେ, ତା’ହେଲେ ସମସ୍ୟା ଦେଖାଯିବ। କୌଣସି ବିଧେୟକ ବଳରେ କେବେ ହେଲେ କୋର୍ଟଙ୍କ ରାୟକୁ ମାନିବାକୁ ବାଧ୍ୟ ନୁହେଁ ବୋଲି କେହି କହିପାରିବ ନାହିଁ। ଅପବ୍ୟବହାର ହେଉଥିବା କଥାରେ ଯେତିକି ସତ୍ୟତା ରହିଛ, ଠିକ ସେହିପରି ଅନେକ ପ୍ରକୃତ ୱାକଫ ମଧ୍ୟ ରହିଛି। ଦୀର୍ଘ ବର୍ଷ ଧରି ରହିଥିବା ୱାକଫ ବାଇ ୟୁଜର ସମ୍ପତ୍ତିକୁ ଆପଣ କେମିତି ପଞ୍ଜିକରଣ କରିବେ?

ସେମାନେ କେଉଁ ପ୍ରକାରର ଦସ୍ତାବିଜ ଦେଖାଇବେ? ଏପରି ବ୍ୟବସ୍ଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ। ହଁ, କିଛି ଅପବ୍ୟବହାର ଘଟିଛି। କିନ୍ତୁ ପ୍ରକୃତ ୱାକଫ ବାଇ ୟୁଜର ବି ରହିଛି। ମୁଁ ପ୍ରିଭୀ କାଉନସିଲ ଜଜମେଣ୍ଟକୁ ଦେଖିଛି। ସେଥିରେ ୱାକଫ ବାଇ ୟୁଜରକୁ ଅନୁମୋଦନ ଦିଆଯାଇଥିଲା। ଯଦି ଆପଣ ଏହାକୁ ବାତିଲ କରିବେ, ତା’ହେଲେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଜଷ୍ଟିସ ଖାନ୍ନା ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି।

ଆଉ କ’ଣ ସବୁ କହିଛନ୍ତି ଯେ ସିଜେଆଇ?

ଧରା ଯାଉ ଗୋଟିଏ ସର୍ବସାଧାରଣ ଟ୍ରଷ୍ଟ ୧୦୦ କିମ୍ବା ୨୦୦ ବର୍ଷ ପୂର୍ବରୁ ୱାକଫ ଭାବେ ବିବେଚିତ ହୋଇଛି। ହଠାତ ଏବେ ଆପଣ ଆସିବେ ଓ କହିବେ ଯେ ଏହାକୁ ୱାକଫ ବୋର୍ଡ ବଳପୂର୍ବକ ନେଇ ଯାଇଛି। ଏଥିସହ ଏହାକୁ ଅନ୍ୟ କିଛି ଘୋଷିତ କରିଦେବେ। ଏହା କ’ଣ ଠିକ? ଏଥିରେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ ଯଦି କାହା ପାଖରେ ୱାକଫ ରହିଛି, ତା’ହେଲେ ଏହାକୁ ଟ୍ରଷ୍ଟରେ ପରିଣତ କରାଯାଇ ପାରିବ। ନୂଆ ଆଇନରେ ଏହାର ପ୍ରାବଧାନ ରହିଛି। ଏହାକୁ ଶୁଣି ସିଜେଆଇ କହିଥିଲେ, “ଆପଣ ଅତୀତକୁ ପୁନର୍ବାର ଲେଖିପାରିବେ ନାହିଁ।”

ସିଜେଆଇ କହିଛନ୍ତି, ଆଇନରେ କୁହାଯାଇଛି ଯେ ବୋର୍ଡରେ ୮ ଜଣ ମୁସଲିମ ସଦସ୍ୟ ରହିବେ। ଦୁଇ ଜଣ ମୁସଲିମ ହୋଇ ନଥିବେ। ଏହାର ଅର୍ଥ ବାକି ସଦସ୍ୟ ଅଣ ମୁସଲିମ। ଏହା ଶୁଣି ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ “ଏପରି ସ୍ଥିତିରେ ଖଣ୍ଡପୀଠ ମଧ୍ୟ ମାମଲାର ଶୁଣାଣି କରିପାରିବେ ନାହିଁ।” ସିଜେଆଇ ଖାନ୍ନା କହିଥିଲେ, “କ’ଣ ହେଲା? ଆମେ ଯେତେବେଳେ ଏଠାରେ ବସିବାକୁ ଆସୁଛୁ ସେତେବେଳେ ଆମ ଧର୍ମକୁ ପରିତ୍ୟାଗ କରି ଦେଉଛୁ। ଆମ ପାଇଁ ଉଭୟ ପକ୍ଷ ସମାନ। ଆପଣ ଏହାକୁ କେମିତି ବିଚାରପତିମାନଙ୍କ ସହ ତୁଳନା କରୁଛନ୍ତି?

ହିନ୍ଦୁ ଟ୍ରଷ୍ଟର ପରାମର୍ଶଦାତା ବୋର୍ଡରେ କାହିଁକି ଅଣ ମୁସଲିମ ନାହାନ୍ତି? ଆପଣ ଏଠାରେ କହିବାକୁ ଚାହୁଁଛନ୍ତି ଯେ ଆମେ ଏଣିକି ଅଣ ମୁସଲିମାନଙ୍କୁ ହିନ୍ଦୁ ପରିଚାଳନା ବୋର୍ଡର ସଦସ୍ୟ ହେବାକୁ ଅନୁମତି ଦେବୁ? ଆପଣ ସ୍ପଷ୍ଟ ଭାବେ ଏହା ଉପରେ ମତ ରଖନ୍ତୁ।”

ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ “ଆପଣ ବିଧେୟକ ଉପରେ ବିଚାର କରୁଛନ୍ତି। ଗୋଟିଏ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଥିଲା। ୩୮ଟି ବୈଠକ ବସିଥିଲା। ୯୮ ଲକ୍ଷ ପ୍ରସ୍ତାବର ବିଚାର କରାଯାଇଥିଲା। ଏହାପରେ ଏହା ଉଭୟ ଗୃହକୁ ଯାଇଥିଲା ଓ ପାରିତ ହୋଇଥିଲା।”

ୱାକଫ ଆଇନ ଉପରେ ହୋଇଥିବା ଆବେଦନର ଶୁଣାଣି ଆଜି ଅସମାପ୍ତ ରହିଛି। ସୁପ୍ରିମକୋର୍ଟ ଆସନ୍ତାକାଲି ଦିନ ୨ଟାରୁ ପୁଣି ଏହା ଉପରେ ଶୁଣାଣି କରିବେ। ଶୁଣାଣି କାଲିକୁ ଘୁଞ୍ଚାଇବା ବେଳେ ଜଷ୍ଟିସ ଖାନ୍ନା କହିଛନ୍ତି ଯେ ଆଇନ ବିରୋଧରେ ହେଉଥିବା ବିକ୍ଷୋଭ ବେଳେ ଘଟିଥିବା ହିଂସାକାଣ୍ଡ ଅତ୍ୟନ୍ତ ବିଚଳିତ କରୁଛି।

Supreme Court Waqf Act Waqf Board Amendment Bill